Unknown

 

 

 

 

 

 

 

 

 

 

 

ତୃଣାଙ୍କୁର

ଶ୍ରୀମତୀ ସୁମିତ୍ରା ଦେବୀ

 

ସୂଚୀପତ୍ର

 

୧.

ପରମ-କର୍ତ୍ତବ୍ୟ

୨.

ବିଦ୍ୟାରମ୍ଭ

୩.

ଖଣ୍ଡିଏ ଚିଠି

୪.

ବ୍ୟର୍ଥ ସନ୍ଦେହ

୫.

ନିରନ୍ନର ପ୍ରତିଷ୍ଠା

Image

 

ପରମ-କର୍ତ୍ତବ୍ୟ

 

‘‘ଚିଠି ନିଅ ଚିଠି’’–

 

ଡାକବାଲା ଘରର ବନ୍ଦ ଦୁଆର ଉପରେ ଖଟ୍‌ ଖଟ୍‌ କରି ଡାକିଲା । ଭିତରୁ କୌଣସି ଶବ୍ଦ ନାହିଁ । ଆଉଥରେ ଶୁଣାଗଲା—

 

‘‘ଚିଠି ନିଅ ଚିଠି ।’’

 

ଏଥର ଇନ୍ଦ୍ରାଣୀ ଆଉ ସ୍ଥିର ହୋଇ ଘର ଭିତରେ ପଢ଼ିପାରିଲା ନାହିଁ । ବାହାରକୁ ଆସି ଡାକବାଲା ହାତରୁ ନେଲା ନୀଳ ଲଫାପାଟି । ଏ ସମୟରେ ପୁଣି ତାକୁ ଚିଠି ଦେଲା କିଏ ? ଖଟ ଉପରେ ବସୁ ବସୁ ଲଫାପାଟି ଖୋଲି ଦେଖିଲା—ନିମନ୍ତ୍ରଣ ପତ୍ର ।

 

ଜୀବନରେ ଏପରି ଆଶ୍ଚର୍ଯ୍ୟ ଆଉ କେବେ ଇନ୍ଦ୍ରାଣୀ ହୋଇଥିଲା ପରି ତାର ମନେ ପଡ଼ୁନାହିଁ । ଯଦି ଶୁଣିଥାନ୍ତା ରୁଷିଆ ରକେଟ୍‍ଟା ପୁରୀ ସମୁଦ୍ରକୂଳରେ ପଡ଼ିଛି, କିମ୍ୱା ହିମାଳୟଟା ଚିଲିକା ଭିତରକୁ ଚାଲିଆସି କାଳିଜାଈ ପାହାଡ଼ ପରି ମୁଣ୍ଡ ଟେକିଛି ତେବେ ବି ଏତେ ଆଶ୍ଚର୍ଯ୍ୟ ହୋଇ ନ ଥାନ୍ତା । ଏ ଯେ ତାହାଠାରୁ ବଳି ଆଶ୍ଚର୍ଯ୍ୟ ।

 

ଅଳକାର ବିବାହ ନିମନ୍ତ୍ରଣ ବୈଦିକ ରୀତିରେ, ତାହା ପୁଣି ଦରିଦ୍ର ଶିଳ୍ପୀ ଅଶୋକ ସହିତ । ଅଳକା ତାର ବନ୍ଧୁ । ସେହି ଅଳକାର ବିବାହ—ଯେଉଁ ଅଳକା ବି.ଏ. ପାସ୍‍ କରି ଶିକ୍ଷୟିତ୍ରୀ ରୂପେ ପୁରୀ ଗାର୍ଲସ୍କୁଲର ଗୌରବ ବଢ଼ାଉଥିଲା; ଯାହା ଉପରେ ଗୋଟିଏ ସଂସାର ନିର୍ଭରକରି ଚଳୁଥିଲା; ଯାହାର ପୋଷ୍ୟ ଥିଲେ ଚାରୋଟି ଛୋଟ ଛୋଟ ଭାଇ, ଭଉଣୀ ଓ ବିଧବା ମା । ତାଙ୍କ ମଧ୍ୟରୁ ପୁଣି ଗୋଟିଏ ଭାଇ ପଙ୍ଗୁ । ସେହି ଅଳକା ପୁଣି ବିବାହ କରୁଛି ଏତେ ବୟସରେ ।

 

ଅଳକା ଦାସ କଲେଜର ଛାତ୍ରୀ ଥିଲା । ‘ମିସ୍‌ ଦାସ୍‌’ ବୋଲି ପରିଚିତା ସେ । ‘କଲେଜ-କୁଇନ’ ନାଁ ତାର ଓଡ଼ିଶାରେ ବିଖ୍ୟାତ । ରୂପସୀ ଅଳକା ଯେତେବେଳେ ଘନନୀଳ ନାଇଲନ୍‌ ଶାଢ଼ି ପିନ୍ଧି, ବକ୍ର ଚାହାଣି ଭରି, ବେଣୀ ଦୋହଲାଇ ଚାଲେ; ସେତେବେଳେ କଲେଜର ଛାତ୍ରଠାରୁ ଆରମ୍ଭକରି ଅଧ୍ୟାପକମାନେ ମଧ୍ୟ ତଟସ୍ଥ ହୋଇ ଚାହାଁନ୍ତି । କିନ୍ତୁ ସେ ରାଣୀପରି ଠାଣିରେ ଚାଲିଯାଏ କ୍ଳାସକୁ, କାହା ପ୍ରତି ସାମାନ୍ୟ ମଧ୍ୟ କରୁଣା ନ କରି । ତାର ଆୟତନେତ୍ରର ସାମାନ୍ୟ ଇଙ୍ଗିତ ପାଇଁ କଲେଜର ଛାତ୍ର ମାତ୍ରକେ ଆକୁଳିତ ନୟନରେ ପ୍ରତ୍ୟହ ଚାହିଁ ରହନ୍ତି । ଏହାବୋଲି ଅଳକାର ଯେ ଗର୍ବ ଥିଲା ତାହା ନୁହେଁ । ଇନ୍ଦ୍ରାଣୀ, ସ୍ନିଗ୍‌ଧା, ଦୀପାଳି, ସୌମ୍ୟା ଏପରି ଅନେକ ତାର ବନ୍ଧୁ ଥିଲେ । ଛାତ୍ରଙ୍କ ମଧ୍ୟରେ ଥିଲେ ବୀରେନ୍ଦ୍ର, ରଣେନ୍ଦ୍ର, ଅନୁପକୁମାର । ଛାତ୍ରଙ୍କ ପ୍ରତି ତାର କେବେହେଲେ ଭ୍ରୂକ୍ଷେପ ନ ଥିଲା । ଭୟ କିପରି ବସ୍ତୁ ତା ହୁଏ ତ ଅଳକା କେବେ ଜାଣି ନ ଥିଲା । ସମ୍ମାନିତ ଅତିଥି ପରି ସମସ୍ତେ ତାକୁ ସମ୍ଭ୍ରମ ଓ ଶ୍ରଦ୍ଧା କରୁଥିଲେ । ତାର କରୁଣାର ପାତ୍ର ଯେ ହେଉଥିଲା ସେ ନିଜକୁ ଧନ୍ୟ ମନେ କରୁଥିଲା । ଅଧ୍ୟାପକମାନେ ତାକୁ ପାଠ ପଢ଼ାଇବାକୁ ଆଗ୍ରହରେ ଆଗଭର ହୋଇ ଆସୁଥିଲେ; କିନ୍ତୁ ନିଜ ଭାବରେ ସେ ଥିଲା ନିଜର ସାମ୍ରାଜ୍ଞୀ ।

 

ବିଧାତା ତାକୁ ରୂପ ଗୁଣରେ ଭରପୂର କରି ପଠାଇଥିଲେ । ପରୀକ୍ଷାରେ ପ୍ରଥମ ସ୍ଥାନ ତା ପାଇଁ ଥୁଆ ହୋଇଥିଲା । ଅନ୍ୟମାନଙ୍କର କେତେ ଚେଷ୍ଟା, ପରିଣାମରେ ବ୍ୟର୍ଥ ହୁଏ । ଛାତ୍ରମାନେ ବାଧ୍ୟ ହୋଇ ମନେ କରନ୍ତି ଅଧ୍ୟାପକମାନଙ୍କ କୋମଳ ଭାବରେ ଗଢ଼ି ଉଠୁଛି ଅଳକାର ଏ ପ୍ରଥମ ସ୍ଥାନ ।

 

ଅଳକାର ବାପା ଓକିଲାତିର ଭଲ ପଇସା ରୋଜଗାର କରୁଥିଲେ । ଏତେ ରୋଜଗାର କରି ସୁଦ୍ଧା ସୁରେନ୍‌ବାବୁ ଶେଷ ଜୀବନକୁ କିଛି ରଖି ନଥିଲେ, ଖାଲି କଟକରେ ତିନୋଟି ଘରଛଡ଼ା-। ହଠାତ୍‌ ହୃଦ୍‌ରୋଗରେ ଆକ୍ରାନ୍ତ ହୋଇ ଦିନେ ସେ ଆଖି ବୁଜିଦେଲେ । ଅଳକା ସେତେବେଳେ ବି.ଏ. ପରୀକ୍ଷାରେ ବିଶ୍ୱବିଦ୍ୟାଳୟର ପରୀକ୍ଷାର୍ଥିନୀ । ପିତାଙ୍କର ମୃତ୍ୟୁ, ସୁତରାଂ ସେ ଟିକିଏ ବିଚଳିତ ହୋଇ ପଡ଼ିଲା; କିନ୍ତୁ ତାହା କ୍ଷଣକପାଇଁ । ନିଜର ପାରିବାରିକ ଗାରିମାକୁ ବଜାୟ ରଖି ଯଥେଷ୍ଟ ଆଡ଼ମ୍ୱରରେ ଶୁଦ୍ଧିକ୍ରିୟା ଶେଷ ହେଲା । ଜଞ୍ଜାଳଟା ତୁଟିଯିବା ପରେ ଅଳକା ନିଜକୁ ପ୍ରସ୍ତୁତ କଲା ଜୀବନ-ସଂଗ୍ରାମର ସୈନିକା ଭାବରେ । ପରୀକ୍ଷାର ଫଳ ବାହାରିବା ଦିନ ପାଖେଇ ଆସିଲା ।

 

ଅଳକାର ପରିଶ୍ରମକୁ ସାର୍ଥକ କରି ତା ନାଁ ଶୀର୍ଷ ସ୍ଥାନଟାକୁ ଅଧିକାର କରି ବସିଥିଲା । ଖବର କାଗଜରେ ସମ୍ୱାଦଟା ପ୍ରକାଶ ପାଇବା ପରେ ଛୁଟିଲେ ବନ୍ଧୁ ବାନ୍ଧବମାନେ ଅଭିନନ୍ଦନ ଜଣାଇବା ପାଇଁ । ପରେ ପରେ ଆସିଗଲା ବହୁ ସମ୍ଭ୍ରାନ୍ତ ବଂଶରୁ ବିବାହ ପ୍ରସ୍ତାବ । ଯେଉଁମାନଙ୍କୁ ଜୀବନର ସଙ୍ଗୀ କରିବ ବୋଲି ଅଳକା ସ୍ୱପ୍ନରେ ଭାବିଥିଲା ସେମାନଙ୍କୁ ମଧ୍ୟ ଫେରାଇ ଦେଲା । ପରମବନ୍ଧୁମାନଙ୍କୁ ଏପରି ଫେରାଇ ଦେବାରେ ତାର ହୃଦୟର ଗଭୀର ପ୍ରଦେଶରୁ ଯେ ଦୀର୍ଘନିଶ୍ୱାସ ଉଠି ମିଳାଇଗଲା ତାହା କେବଲ ଈଶ୍ୱର ଜାଣିଲେ । ସେ କିନ୍ତୁ ସବୁ କୋମଳତାକୁ ନିର୍ମମ ଭାବରେ ଚାପି ଦେଇ ସଂସାରର ଭାର ମୁଣ୍ଡାଇ ନେଲା । ବିବାହ କଲେ ନିଜେ ସ୍ୱାର୍ଥପର ଭାବରେ ଆଡ଼େଇ ହୋଇ ରହିଯିବ, ଏ ଭୟ ତାକୁ ଗ୍ରାସ କରିଥିଲା । ସଂସାରର ଦାବୀ ଆଗରେ ତାର ନିଜର ଦାବୀ ଲୁଚିଗଲା । ସେ ଭାବିଲା ତାର କର୍ତ୍ତବ୍ୟ ରହିଛି ମା ଓ ଭାଇ ଭଉଣୀଙ୍କ ପ୍ରତି ।

 

ବି.ଏ.ପାସ୍‍ ପରେ ଆଉ ନ ପଢ଼ିବାକୁ ସେ ସ୍ଥିର କଲା । ବର୍ତ୍ତମାନ ଚାକିରି ତାର ଏକମାତ୍ର ସମ୍ୱଳ । ବାପାଙ୍କ ନାମରେ ଜୀବନ-ବୀମାରେ ଟଙ୍କା ଯାହା ଥିଲା ସେତକ ପାଇଲା । ସେଥିରେ ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇ ନିଜକୁ ସଜାଡ଼ି ନେଲା ଚାକିରି କରିବ ବୋଲି । ଏତେ ଦୁଃଖରେ ସୁଦ୍ଧା ସେ ଟିକିଏ ହେଲେ ମ୍ଳାନ ଦେଖାଗଲା ନାହିଁ ।

 

ମଧ୍ୟବିତ୍ତ ପରିବାରର ଝିଅ ଇନ୍ଦ୍ରାଣୀ । ବି.ଏ. ପାସ୍‍କରି ଚାକିରିର ସନ୍ଧାନରେ ବୁଲୁ ବୁଲୁ ପୁରୀ ବାଳିକା ବିଦ୍ୟାଳୟ ଅଫିସରେ ଅଳକାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା ।

 

‘‘ଅଳକା, ତୁ ଏଠି ?’’

 

‘‘ହଁ ଇନ୍ଦ୍ରାଣି, ସ୍କୁଲ ସେକ୍ରେଟରୀ ମତେ ଡକାଇଥିଲେ ଶିକ୍ଷୟିତ୍ରୀ ଭାବରେ ଯୋଗ ଦେବା ଲାଗି । ଚାକିରିଟା ନେଲି ଘରର ସ୍ୱଚ୍ଛଳତା ପାଇଁ । ତୁ କଣ ଚାକିରି ଉଦ୍ଦେଶ୍ୟରେ ?’’ ‘‘ହଁ, ଦେଖେ, ଭାଗ୍ୟ ପରୀକ୍ଷା କରି । ତେବେ ଆଉ ସମ୍ଭବ ହେଲା ପରି ଲାଗୁନାହିଁ ।’’ ଟିକିଏ ରହି ଅଳକା କହିଲା—‘‘ଆଉ ଜଣେ ଶିକ୍ଷୟିତ୍ରୀ ସପ୍ତମ ଶ୍ରେଣୀ ପାଇଁ ଆବଶ୍ୟକ ହେଉଛନ୍ତି । ତୋତେ ସେହି ଜାଗାରେ ନେବାକୁ ମୁଁ ସେକ୍ରେଟରୀଙ୍କୁ କହି ଦେଉଛି । ତୁ ମୋ ସହିତ ଆ, ଇନ୍ଦ୍ରାଣି ।’’

 

ଅଳକାର ପ୍ରତିପତ୍ତି ଏଠାରେ ଦେଖି ଇନ୍ଦ୍ରାଣୀ ବିସ୍ମିତ ହେଲା । କଟକରୁ ଯେ ଘରଭଡ଼ା ମିଳେ, ସେଥିରେ ‘ଯେନ କେନ ପ୍ରକାରେଣ’ ତ ଚଳିଯାଆନ୍ତା, ତଥାପି କାହିଁକି ଏ ଶିକ୍ଷୟିତ୍ରୀ ଚାକିରିରେ ତାର ଆଗ୍ରହ । ତେବେ କଣ ଅଭାବର ସଂସାର ଅଳକାର ? ଅଳକା କଥା ଚିନ୍ତା କରୁ କରୁ ଇନ୍ଦ୍ରାଣୀ ନିଜ ଚିନ୍ତା ଆଡ଼କୁ ଢଳି ଆସିଲା । ଏ ଚାକିରିଟା ନହେଲେ ତାର ଭାଗ୍ୟରେ ଯେ କଣ ଅଛି କିଏ କହିବ ? ଘରେ ପ୍ରବୋଧନା ଦେଇ ଆସିଛି ଚାକିରି ହେଲେ ବାପା, ମା ଓ ତିନୋଟି ଭାଇଙ୍କୁ ଆଣି ପୁରୀରେ ରଖିବ । ପିତା ବୃଦ୍ଧ, ପେନ୍‌ସନ୍‌ ପାଇଲେଣି । ଅସୁସ୍ଥ ଶରୀର ନେଇ ଆଉ ଅନ୍ୟ କାର୍ଯ୍ୟ କରିବା ତାଙ୍କ ପକ୍ଷରେ ସମ୍ଭବପର ନୁହେଁ । ଝିଅକୁ ବିବାହ ଦେଇ ପାରି ନାହାନ୍ତି, ଯୌତୁକ ଟଙ୍କା ଅଭାବରୁ ବର୍ତ୍ତମାନ ଝିଅର ରୋଜଗାରରେ ବସି ରହିବା ଛଡ଼ା ଅନ୍ୟ ଉପାୟ ନାହିଁ-। ଭାଗ୍ୟ ନେଉଛି କେଉଁଆଡ଼େ କେଜାଣି ।

 

ଅଳକା ଓ ଇନ୍ଦ୍ରାଣୀ ଅଫିସ ଘର ଭିତରକୁ ଆସିଲେ, ଇନ୍ଦ୍ରାଣୀ ସେକ୍ରେଟରୀ ସୁବୋଧବାବୁଙ୍କୁ ନମସ୍କାର କଲା । ପ୍ରତି ନମସ୍କାର ଜଣାଉ ଜଣାଉ ସୁବୋଧବାବୁ ପଚାରିଲେ, ‘‘ଆପଣ ଇନ୍ଦ୍ରାଣୀ ଦେବୀ– ? ଅଳକା ଦେବୀ ଆପଣଙ୍କର ସୁପାରିଶ କରିଛନ୍ତି ଯେତେବେଳେ, ଚାକିରି ଆପଣଙ୍କର ହୋଇ ଯାଇଛି ଜାଣନ୍ତୁ । ହେଇ ନିଅନ୍ତୁ ନିୟୋଗ-ପତ୍ର । ସାତଦିନ ଭିତରେ କାମକୁ ଆସି ଯାଆନ୍ତୁ ।’’

 

ଇନ୍ଦ୍ରାଣୀ ନିୟୋଗ ପତ୍ର ପାଇ ଆବେଗରେ ଥରି ଉଠିଲା । କ’ଣ କହି ଉଭୟଙ୍କୁ ଧନ୍ୟବାଦ ଦେବ ଭାବି ପାରିଲା ନାହିଁ । ନିଜକୁ ଟିକିଏ ପ୍ରକୃତିସ୍ଥ କରି କହିଲା,-‘‘ଧନ୍ୟବାଦ ସୁବୋଧବାବୁ, ଆପଣଙ୍କର ଏ ଦାନ ମୁଁ ସର୍ବାନ୍ତଃକରଣରେ ସାର୍ଥକ କରିବାକୁ ଚେଷ୍ଟା କରିବି ।’’

 

‘‘ଏଥିରେ ଧନ୍ୟବାଦର କଥା କିଛି ନାହିଁ । ତେବେ ସ୍କୁଲକୁ ନିଜର ସନ୍ତାନ ମନେକରି ଲାଳନ କରିବା ପ୍ରତି ଶିକ୍ଷୟିତ୍ରୀଙ୍କର କର୍ତ୍ତବ୍ୟ । ଏଥିରୁ ଆପଣ ବିଚ୍ୟୁତ ନହେଲେ ହେଲା ।’’

 

ଇନ୍ଦ୍ରାଣୀ ଓ ଅଳକା ଅଫିସ୍‌ଘର ଛାଡ଼ି ଆସିଲେ । ହୃଦୟର ଆବେଗଭରା ଧନ୍ୟବାଦ ଜ୍ଞାପନ କରିବାକୁ ଯାଇ ଇନ୍ଦ୍ରାଣୀ ଅଳକାର ହାତ ଦୁଇଟି ଧରି ପକାଇଲା । ଛଳ ଛଳ ଆଖିରେ କହି ଉଠିଲା—‘‘ଅଳକା । ତୋ ସାହାଯ୍ୟ ପାଇ ମୁଁ ତୋ ନିକଟରେ କୃତଜ୍ଞ । ମୁଁ ଯେପରି ଅବସ୍ଥାରେ ପଡ଼ିଯାଇଛି ଚାକିରିଟିଏ ନ ହେଲେ ନ ଚଳେ । ତୁ ତୋର ମହୀୟସୀ ହୃଦୟବତ୍ତା ଦେଖାଇ ନଥିଲେ..... ।’’ ଇନ୍ଦ୍ରାଣୀକୁ ଆଉ କହିବାକୁ ନ ଦେଇ ଅଳକା କହିଲା-‘‘ନା ଇନ୍ଦ୍ରାଣି, ମନୁଷ୍ୟ ସବୁ ସମାନ । ସାନ ବଡ଼ ଆମେ ତାକୁ କରିଥାଉ ନିଜର ରୁଚି ଅନୁଯାୟୀ । ଛାଡ଼ ସେ କଥା, ଚାଲ ସମୁଦ୍ରକୂଳରେ ଗୋଟିଏ ଘର ଠିକଣା କରିଛି, ତାକୁ ଦେଖି ଆସିବୁ ।’’

ଘର ଦେଖି ସାରି ଅଳକା, ଇନ୍ଦ୍ରାଣୀ ଦୁହେଁ ବସିଲେ ମହୋଦଧି କୂଳରେ । ସେଠାରେ କିଛି ସମୟ ବସି କାର୍ଯ୍ୟର ଗୋଟାଏ ତାଲିକା କଲେ । ସେତେବେଳେ ସନ୍ଧ୍ୟାର କାଳିମା ଓ ସାଗରର ନୀଳିମା ଉଭୟେ ମିଶି ଯେପରି ବିମୋହନ ଦୃଶ୍ୟ ଦୃଷ୍ଟି କରୁଥିଲେ, ଫେନିଳ ତରଙ୍ଗ ଅପୂର୍ବ ସଙ୍ଗୀତର ମୂର୍ଚ୍ଛନା ସୃଷ୍ଟି କରୁଥିଲା ସେପରି । ରାତି ହୋଇ ଆସୁଥିଲା; ସୁତରାଂ ଦୁହେଁ ଉଠିଲେ ।

ଅଳକା ତା ଜୀବନର ଗତିପଥ ବଦଳାଇ ଶିକ୍ଷୟିତ୍ରୀ ହେଲା । ସମସ୍ତଙ୍କ ସମ୍ମାନର ଅଧିକାରିଣୀ ହୋଇ ଜୀବନର ପିଚ୍ଛିଳ ପଥରୁ ସେ ନିଜକୁ ଅପସାରିତ କରି ରଖିଲା । ‘‘ସୁନ୍ଦର ମୁହଁର ସବୁଠି ଜୟ’’ କଥାଟା କ୍ରମେ ଖାପିବାର ହେଲା ଆରମ୍ଭ । ସେକ୍ରେଟରୀ ସୁବୋଧବାବୁଙ୍କ ଅବାଧ ଗତି ଅଳକା ଘରକୁ ଲୋକଙ୍କର ଦୃଷ୍ଟି କଟୁ ହେଲା; କିନ୍ତୁ ଅଳକା କେବେ ସେ ସବୁରେ କାନ ଦିଏନାହିଁ । ସନ୍ଧ୍ୟାରେ ସାଗର-ବେଳା ଉପରେ ଦୁହେଁ ଅଭିମୁଖ ହୋଇ ବସିବା ପୁରୀ ସହରରେ କ୍ରମେ ସୃଷ୍ଟି କଲା ଗୋଟାଏ ଚାଞ୍ଚଲ୍ୟ ।

ଇନ୍ଦ୍ରାଣୀ କେତେ ଥର ଅଳକାକୁ କହିଲା ସୁବୋଧବାବୁଙ୍କ ପ୍ରେମରେ ନିଜକୁ ନିମଗ୍ନ କରି ତାର ସଂସାର ଗଢ଼ିବାକୁ । ଅଳକା ହସିଲା ମାତ୍ର । କହିଲା—‘‘ଏତେ ସହଜରେ ଅଳକା ବୁଡ଼ିଯିବାର ପାତ୍ରୀ ନୁହେଁ, ଇନ୍ଦ୍ରାଣୀ । ତା’ଛଡ଼ା ମୁଁ ଯେ ସୁବୋଧବାବୁଙ୍କୁ ବିବାହ କରିବି ଏ କଥା ତତେ କିଏ କହିଲା ? ଜୀବନରେ ତାର ଆଉ ଆବଶ୍ୟକ ରହିବ କି ନାହିଁ କେଜାଣି । ସୁବୋଧବାବୁ ଅତି ଉତ୍ତମ ଲୋକ-ସନ୍ଦେହ ନାହିଁ । କିନ୍ତୁ ବୁଝି ରଖ ଇନ୍ଦ୍ରାଣି, ସଂସାର ମୋତେ ଆରେଇବ ନାହିଁ ।’’

ଏହା ମଧ୍ୟରେ ପାଞ୍ଚବର୍ଷ ବିତିଗଲା ପୁରୀରେ ଅଳକା ଓ ଇନ୍ଦ୍ରାଣୀର । ସ୍କୁଲର ଉନ୍ନତିକଳ୍ପେ ଦୁହେଁ ଅଧିକ ଅନ୍ତରଙ୍ଗ ହେଲେ । ସୁବୋଧବାବୁଙ୍କୁ ପରି ଆହୁରି ଅନେକ ଆସି ଅଳକା ପାଖରେ ଭିଡ଼ ଜମାଇଲେ; କିନ୍ତୁ ଅଳକା ରହିଥାଏ ନିର୍ବିକାର । ଶେଷକୁ ସୌମ୍ୟଦର୍ଶନ ଧନିକ ଅରବିନ୍ଦ ଆସି ଅଳକାର କୃପାଭିକ୍ଷୁ ହେଲେ । ସେତେବେଳେ ସମସ୍ତେ ମନେକଲେ ଏଥର ଅଳକାର ଜୀବନ ତରୀ ସଂସାରକୂଳରେ ଲାଗିବ । ତଥାପି ଅଳକା ନିଃସ୍ପନ୍ଦ, ଭାବଶୂନ୍ୟ ଓ ନୀରବ-। ମାସକୁ ମାସ ଘରକୁ ଟଙ୍କା ପଠାଇ ନିଜେ ସମୁଦ୍ର ତଟରେ ଗୋଟିଏ ସୁସଜ୍ଜିତ ମନୋରମ ଛୋଟ ଘରଟିରେ ନିଜକୁ ଅଧୀଶ୍ୱରୀ କରିଥାଏ । ତାର କୃପାପ୍ରାର୍ଥୀ ଏବେ ବି କମ୍‌ ନାହାନ୍ତି ।

ସେ ଦିନ ସ୍କୁଲର ପୁରସ୍କାର ବିତରଣ ଉପଲକ୍ଷରେ ପୁରୀର ଶିଳ୍ପୀ ଅଶୋକର ଚିତ୍ରଟିଏ ଆଣି ଦେଲା ଲଳିତା । ଅପରୂପ ଚିତ୍ର ଏଥିରେ ସନ୍ଦେହ ନାହିଁ । ସେଥିପାଇଁ ପ୍ରଧାନ ଶିକ୍ଷୟିତ୍ରୀ, ଅଳକା ଓ ଇନ୍ଦ୍ରାଣୀ ଯାଇଥିଲେ ତାଙ୍କୁ ଅନୁରୋଧ କରିବାକୁ—ତାଙ୍କ ସ୍କୁଲର ପ୍ରତିଷ୍ଠାତା ଶ୍ରୀ ଈଶ୍ୱରପ୍ରସାଦ ଶର୍ମାଙ୍କର ଗୋଟିଏ ଚିତ୍ର ଆଙ୍କି ଦେବାକୁ ।

ଅଶୋକ ଦରିଦ୍ର ଶିଳ୍ପୀ । ଅର୍ଦ୍ଧାହାର ଓ କେବେ କେବେ ଅନାହାରରେ ଦିନ କଟାଇବାକୁ ପଡ଼େ । ସୁତରାଂ ଶିଳ୍ପିଭବନରେ ଆଡ଼ମ୍ୱରର ସମ୍ଭାବନା ନ ରଖି ଠିଆ ଠିଆ ହିଁ ଆଲୋଚନା ହେଲା, ସାମାନ୍ୟ କେତେ ପଦ ମାତ୍ର । ଅଳକା କିନ୍ତୁ ହଠାତ୍‌ ପରିହାସ କରିବା ପାଇଁ ପଛାଇ ନାହିଁ । ଅଳକାର ଏପରି ସରସ ଭାଷାରେ ଶିଳ୍ପୀ ନିଜକୁ ଅସହାୟ ମଣିଲେ । ଚିତ୍ର ଆଙ୍କିବାର ଭାର ଶିଳ୍ପୀ ଉପରେ ନ୍ୟସ୍ତ ରଖି ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହିତ ଅଳକା ଓ ଇନ୍ଦ୍ରାଣୀ ଫେରିଲେ । ସେ ଦିନର ପରିଚୟ ସେତିକି ।

ଶିଳ୍ପୀ ଅଶୋକଙ୍କ ସହିତ ଅଳକାର ଆଉ ପରିଚୟ ଘଟିନି । ସେ କେତୋଟି ମୁହୂର୍ତ୍ତ ଅଳକାର କ୍ଷୁଦ୍ର ହେଉ, ବିରାଟ ହେଉ ଚିତ୍ତସିନ୍ଧୁରେ କି ତରଙ୍ଗ ତୋଳିଲା କେଜାଣି ଶିଳ୍ପୀର ହୃଦୟପଟରେ ତାହା ଉତ୍ତାଳ ହୋଇ ଅଙ୍କିତ ହେଲା । ଶିଳ୍ପୀ ତୂଳୀ ନ ଧରି, ପୁରୋଭାଗରେ ଫଳକ ନ ରଖି ଚିତ୍ରିବାରେ ଲାଗିଲେ-ରୂପାୟିତ ହୋଇ ଉଠିଲା ଅଳକା ।

ଈଶ୍ୱର ସୃଷ୍ଟିରେ ବିଧାନଟା ଏପରି ବିଚିତ୍ର ଯେ, ଖାଲି ଚିନ୍ତା କଲେ ସୁଦ୍ଧା ଅଘଟନ ଘଟିଯାଏ । ଏହି ଚିନ୍ତା ଫଳରେ ଅଶୋକ ନିଜର ହୃଦୟରେ ଶିଳ୍ପଚାତୁର୍ଯ୍ୟର ଯେ ମଧୁଚକ୍ର ସୃଷ୍ଟି କଲେ, ତା ମଧ୍ୟରେ ରାଣୀ ମହୁମାଛି ପରି ଅବାଧ ଭ୍ରମଣ କରିବାରେ ଲାଗିଲା ଅଳକା । ଅଳକା ମଧ୍ୟ ଶିଳ୍ପିବରଙ୍କୁ ଘେନି ନିଜର ଅଳକାପୁରୀ କଳ୍ପନା କରିବାରେ ଲାଗିଲା । ଏହି ଅବସରରେ ହଠାତ୍‌ ଇନ୍ଦ୍ରାଣୀ ପାଇଛି ନିମନ୍ତ୍ରଣ ପତ୍ର ।

ଅନୂଢ଼ା ଅଳକା ନିଜର ସଂକଳ୍ପ ଛାଡ଼ି ହଠାତ୍‌ ଏପରି ବିବାହ କରିବ, ଇନ୍ଦ୍ରାଣୀ କଳ୍ପନା କରି ନ ଥିଲା । ପୁଣ୍ୟତିଥିରେ ସାକ୍ଷାତ୍‌ ଘଟିବା ମାତ୍ରକେ ଇନ୍ଦ୍ରାଣୀ ପଚାରି ଉଠିଲା—‘‘କଣ ଅଳକା, ଏପରି ତର ତର ହେଲୁ କାହିଁକି ?’’

‘‘ତର ତର ତ ହୋଇ ନାହିଁ । ଗୋଟାଏ କାର୍ଯ୍ୟ ତୁଲାଇଲେ କର୍ତ୍ତବ୍ୟରେ ଇତି ହେଉନାହିଁ-। ଜୀବନର ଯେ ମୁହୂର୍ତ୍ତରେ ଯାହା କର୍ତ୍ତବ୍ୟ ରହିଛି, ତାହା ତ ପୁଣି କରିବାକୁ ହେବ । କର୍ତ୍ତବ୍ୟ ତ ରହିଛି ଅନେକ, କିନ୍ତୁ ଏହା ପରମ କର୍ତ୍ତବ୍ୟ ଇନ୍ଦ୍ରାଣୀ ।

Image

 

ବିଦ୍ୟାରମ୍ଭ

 

‘ମାଣିକ’ ।

 

‘କଣ ବୋଉ’ ।

 

‘ଧନ ପରା । ଯା, ଜମିଦାର ମାଉସୀଙ୍କଠୁଁ ଭାତ ଗଣ୍ଡିକ ନେଇ ଆ । ଆଜି ମୁଁ ଯାଇ ପାରିବିନି’ ।

 

‘ବୋଉ, ପୁଣି କଣ ଜର ହେଲା ?’

 

‘ହଁ ବାପ, ଖଣ୍ଡିଆ ଜରଟା ମତେ ନ ନେଇ ଛାଡ଼ିବ ନାହିଁ ।

 

‘ନା ବୋଉ, ତୁ ଏମିତି କଥା କହନା । ମତେ ଏକୁଟିଆ ଛାଡ଼ି କୁଆଡ଼େ ଯିବୁ ବୋଉ ।’

 

ନା, କୁମ ମାଣିକକୁ ଛାଡ଼ି କୁଆଡ଼େ ଯାଇ ପାରିବ ନାହିଁ । ଏକୋଇର ବଳା ବିଶିକେସନ, ମାଣିକ ତାର ହୃଦୟ ପସରା । ତାରି ମୁହଁକୁ ଚାହିଁ ବିଧାତାର କ୍ରୂର ନିର୍ଦ୍ଦେଶ ମାନି ସେ ବୈଧବ୍ୟ ବରଣ କରିଛି । ଖାଲି ଦିନେ ମାଣିକ ବଡ଼ ହେବ, ତାର ଦୁଃଖ ଘୁଞ୍ଚିବ । ଏତେ ଦିନ ମାଗି ଯାଚି, ନିଜ ଦେହ ଶ୍ରମ ବଦଳରେ ଯେ ମୁଠିକ, ଖଣ୍ଡିକ ପାଏ ସେତିକିରେ ସେ ମାଣିକକୁ ମଣିଷ କରିବାକୁ ପଛାଇ ନାହିଁ । କୁମ ଗଲେ ମାଣିକକୁ ଦେଖିବ କିଏ ? କୁମର ଅନ୍ଧର ଲଉଡ଼ି, କାହା ପାଖରେ ହାତ ପତାଇବ । ସେଥିପାଇଁ କୁମ ତା ନିଜର ରୋଗକ୍ଳିଷ୍ଟ, ପାଣ୍ଡୁର ମୁହଁରେ ହସ ଫୁଟାଇ ମାଣିକକୁ ଜାଣିବାକୁ ଦିଏନା ତାର ଦେହ ଖରାପ ହୋଇଛି ବୋଲି । ମାଣିକ ଜାଣିଲେ ପଢ଼ିବାକୁ ଯିବ ନାହିଁ ।

 

ମାଣିକ ଗାଁ ମୁଣ୍ଡ ଚାଟଶାଳୀରେ ପଢ଼େ । ଆଠ ବର୍ଷର ଗରିବ ପିଲା ସେ । ପାଠରେ ଖୁବ୍‌ମନ; କିନ୍ତୁ ବିଧାତା ବାଦ ସାଧିଛି । ବହି ନାହିଁ, ଜାମା ନାହିଁ, ପେଟ ପୂରାଇ ଦିମୁଠା ଖାଇବାକୁ ନାହିଁ ମଧ୍ୟ । ତା ବୋଉ କହିଛି ଏ ମାସରେ ଚାଟଶାଳୀର ପାଠ ଶେଷ ହେଲେ ରଘୁମାଷ୍ଟ୍ରଙ୍କ ସାଙ୍ଗେ ଯାଇ ସ୍କୁଲରେ ପଢ଼ିବ । ପଢ଼ି ପାରିବ ତ ? ପଢ଼ିବାରେ ତାର ଭାରି ଇଚ୍ଛା; କିନ୍ତୁ ବୋଉ ଦେହଟା ଏଇ କେତେଦିନ ହେଲା ଭଲ ନାହିଁ । ତାକୁ ଛାଡ଼ି ସକାଳଠାରୁ ସଞ୍ଜ ପର୍ଯ୍ୟନ୍ତ ସ୍କୁଲରେ ସେ ରହିବ କେମିତି ? କିଏ ଆଉ କିଛି ଯେ ବୋଉକୁ ଦେଖିବ ? ତାରି ଭଳି ପିଲାଏ ସବୁ ସ୍କୁଲକୁ ଗଲାବେଳେ ସେ ନିରେଖି ଚାହେଁ । ମନ ହୁଏ ତାର ଯିବାକୁ, ମାତ୍ର ନିଶ୍ୱାସଟିଏ ମାରି ଘର ଭିତରକୁ ଲେଉଟେ ।

 

କୁମ ଗରିବ ବିଧବାଟିଏ । ଗାଁର ଗୋଟିଏ ନିର୍ଜନ ବରଗଛ ତଳେ ତାର କୁଡ଼ିଆଟି । ଘରେ ଗାଈଟିଏ, ମାଣିକ ଓ ସେ । ମଙ୍ଗୁଳି ଯୋଗୁ ଘର ଅଧେ ଚଳୁଛି । ଦି ଓଳି ଦି ସେର ଦୁଧ ନେଇ ଗାଁ ମିଶ୍ରଙ୍କ ଘରେ ଦିଏ । ମିଳେ ମାସକୁ ଦଶଟି ଟଙ୍କା । ମିଶ୍ର ଘର ସେ ଗାଁର ବଡ଼ଲୋକ । ଲୋକେ ଜମିଦାରବାବୁ ବୋଲି ଡାକନ୍ତି । ମିଶ୍ରାଣୀ ଅତି ଦୟାବତୀ, ଲୋକଙ୍କ ଦୁଃଖ ସହି ପାରନ୍ତି ନାହିଁ । ତାଙ୍କରି ଦୟାରୁ କୁମ କାମ ପାଇଛି ।

 

ମିଶ୍ର ଘରେ ବାସି ପାଇଟି କରେ । ମିଶ୍ରାଣୀ ଗଣ୍ଡିଏ ଭାତ ଦିଅନ୍ତି ଶ୍ରମ ବଦଳରେ । କେଉଁଦିନ ଭୁଜା ଗଣ୍ଡେ, ପନି ପରିବା ମଧ୍ୟ ଦେଇଥାନ୍ତି । ସେହି ଭାତ ଧରି କୁମ ଫେରିଆସେ କୁଡ଼ିଆକୁ । ସେଥିରେ କୁମ ଓ ମାଣିକ ପେଟ ପୂରାନ୍ତି ସକାଳ ଓଳି । କୁମ କାମର ମୂଲ୍ୟ ସେତିକି । ତା ପାଇଁ ଆଉ ଅଧିକ ପଇସା ସେ ଦାବୀ କରି ପାରେନି । ଗରିବ ସେ । ଯେତିକି ମିଳେ, ସେତିକିରେ ସନ୍ତୁଷ୍ଟ ରହିବା ପାଇଁ ବିଧାତା ତାକୁ ନିର୍ଦ୍ଦେଶ ଦେଇଛି । ସେବା ଆଉ ଅଧିକ ମାଗିବ କାହାକୁ ?

 

ହେଇଟି ସେ ଦିନର କଥା । ମାଣିକ ଯେତେବେଳେ ନ’ ମାସର ସେତେବେଳେ କୁମର ବର ଲକ୍ଷ୍ମଣ ହଇଜାରେ ଗୋଟିଏ ଦିନରେ ଆଖି ବୁଜିଲା । ଗଜା ଭେଣ୍ଡାଟାଏ ଲକ୍ଷ୍ମଣ । ଦିନ ମଜୁରି କରି ଘରକୁ ଦି ଟଙ୍କା ଆଣୁଥିଲା । ସେତେବେଳେ କୁମର ସଂସାର ହସି ଉଠୁଥିଲା ଆନନ୍ଦରେ । ମାଣିକର ଆଗମନୀରେ କୁମର ସଂସାର ହସି ଉଠୁଥିଲା ଆନନ୍ଦରେ । ମାଣିକର ଆଗମନୀରେ କୁମ ଓ ଲକ୍ଷ୍ମଣ ଗାଁ ବାସେଲୀଙ୍କଠାରେ ମୁଆଁ ଭୋଗ କରିବାକୁ ଯାଇଥିଲେ । ଲକ୍ଷ୍ମଣ କୁମ କାନରେ ଚୁପ୍‌ଚୁପ୍‌ କହିଲା—

 

‘କୁମ, ପୁଅ ହେଲେ ମୋର, ଝିଅ ହେଲେ ତୋର ।’

 

କୁମ ଲାଜରେ ରଙ୍ଗ ପଡ଼ିଗଲା । ଏତେ ମାଇପଙ୍କ ମଝିରେ ଲକ୍ଷ୍ମଣ ତାରି କାନରେ ଏମିତି କହିଲା କିମିତି ମ । ଛି, କେଡ଼େ ଅଲାଜୁକ । ‘ଧେତ୍‌’—କହି ଦୂରକୁ ଚାଲିଗଲା କୁମ ।

 

ସେ ଦିନ ପୂଜା ସାରି ରାତି ଘଡ଼ିଏ ବେଳକୁ ଦୁହେଁ ଘରକୁ ଆସିଲେ । ଏତେ ରାତିରେ ଆଉ ରୋଷାଇ ନ କରି ସେହି ମୁଆଁ ଖାଇ ଶୋଇଲେ । ସକାଳୁ ଉଠି ଲକ୍ଷ୍ମଣ ଗଲା କାମକୁ । ସଂସାରର ଏକମାତ୍ର ଅଧୀଶ୍ୱରୀ କୁମ ନିଜ ମନ ମୁତାବକ ସଂସାର କରେ । ଲକ୍ଷ୍ମଣ ପୁରୁଷ, ସେ କଣ ସଂସାର ମୁଣ୍ଡାନ୍ତା ? ଦୈନିକ ମଜୁରି ଯାହା ଆଣେ ସେଥିରେ ଦୁହେଁ ଚଳି କିଛି କିଛି ପାଣ୍ଠି କରନ୍ତି । ଚିନ୍ତା ଥାଏ କୋଳକୁ ଗୋଟିଏ ଆସିଲେ ଚଳିବ କିପରି ?

 

ନୂତନର ଆସିବା ଦିନ ପାଖେଇ ଆସିଲା । ସେ ଦିନଟା ଥାଏ ପୁଷ ପୂର୍ଣ୍ଣିମା । ଧାନ କଟା କଟି, କାମର ଭିଡ଼ ଏତିକି ବେଳେ । ଲକ୍ଷ୍ମଣ ବାହାରିଲା କାମକୁ । କୁମ ଆସି କୁନ୍ଥେଇ କହିଲା–

 

‘ଦୁରିବୁଢ଼ୀ ଧାଈକୁ କହିଦେବ, ଏଇଲେ ଆସିବ ।’

 

‘କାହିଁକି, ଆଜି ହବ କିଲୋ ?’ ଲକ୍ଷ୍ମଣ ବ୍ୟଗ୍ରଭାବେ ପଚାରିଲା ।

 

‘ଦେହଟା ଭଲ ଲାଗୁ ନାହିଁ, ତମେ ତାକୁ କହିଦେବ ଯାଅ ।’

 

‘ହଉ ଯାଉଛି ଆଗ’–କହି ଲକ୍ଷ୍ମଣ ଚାଲିଗଲା ଦୁରିବୁଢ଼ୀ ଘରକୁ । ଆଜି ଆଉ କାମରେ ଲକ୍ଷ୍ମଣର ମନ ଲାଗିଲା ନାହିଁ । ନ ହେଲେ ପଇସା ମିଳିବନାହିଁ, ଦନେଇ ସାହୁ ବାପ ଚଉଦପୁରୁଷ ଧାରି ଗାଳିଦେବ; ତେଣୁ ବସି ଉଠି କାମରେ ଲାଗିଥାଏ । କିନ୍ତୁ ମନଟା ଥାଏ ଗାଁ ମୁଣ୍ଡ ବରଗଛ କୁଡ଼ିଆଟିରେ । ‘ଦୁରିବୁଢ଼ୀ କୁମ କ’ଣ କରୁଥିବେ । ଗଲାବେଳକୁ କୁମ ଭଲରେ ଥିବ ତ । ଏଇଟା ମାଇପିମାନଙ୍କର ଗୋଟାଏ ଘାଟି । ମା ବାସେଳୀ, ଭଲରେ ଭଲରେ କୁମକୁ ଏଥିରୁ ପାରି କର ?’

 

ସକାଳ ଯାଇ ଦି ପହର ହେଲା, ତାର ଅସ୍ଥିରତା ଅଧିକତର ବୃଦ୍ଧି ପାଇଲା ସିନା, କମିଲା ନାହିଁ । ‘ଘର ପାଖର ନୟନା ହେଲେ ଆସି ଟିକିଏ ଖବର ଦିଅନ୍ତା’—ଏପରି ଭାବୁ ଭାବୁ ଅସ୍ଥିରତାକୁ ସ୍ଥିର କଲା ତା ସାଙ୍ଗ ଅରକ୍ଷିତ । ସେ ତା ଘର ପାଖସାଇରେ ଥାଏ । ଦୁହେଁ ଏକାଠି ସାହୁକାର କାମ କରନ୍ତି । ଗଲାବେଳେ ସାଙ୍ଗ ହୋଇ ଯାଆନ୍ତି । ଅରକ୍ଷିତ ଘରେ ତାକୁ ଛାଡ଼ି ଲକ୍ଷ୍ମଣ ଆଗକୁ ଯାଏ ତା ଘରକୁ ।

 

ଅରକ୍ଷିତ ଲକ୍ଷ୍ମଣର ଏପରି ମନ ମରା ବ୍ୟଗ୍ରଭାବ ଦେଖି ପଚାରିଲା-‘କିରେ ଲକ୍ଷ୍ମଣ, କଣ ହୋଇଛି କିରେ ? ଆଜି ଏମିତି ଉଦାସିଆ ହେଉଛୁ କିଆଁ ?’

 

ଲକ୍ଷ୍ମଣ—‘ନାଇଁ ମ, କିଛି ନାହିଁ ।’

 

ଅରକ୍ଷିତ—‘ମଲା, କଣ ହେଇଛି କହୁନୁ ?’

 

ଲକ୍ଷ୍ମଣ—‘‘କୁମ’ର ପିଲା ହେବ । ଦୁରିବୁଢ଼ୀ ଯାଇଛି ତା ପାଖକୁ ସକାଳୁ । କାହିଁକି ଏତେବେଳ ହେଲା କିଛି ଖବର ନାହିଁ । ଅରକ୍ଷିତ, କୁମ ଭଲରେ ଥିବଟି ?’’ ଲକ୍ଷ୍ମଣକୁ ଅରକ୍ଷିତ ଦମ୍ଭ ଦେଇ କହିଲା-‘ଦୁରିବୁଢ଼ୀ ହାତର ଯଶ ଅଛି । ଚିନ୍ତା କଣ ?’ କିନ୍ତୁ ଲକ୍ଷ୍ମଣର ଅବୁଝା ମନ ମାନିଲା ନାହିଁ । କିମିତି ସୂର୍ଯ୍ୟଦେବ ବୁଡ଼ିଯିବେ, ସେ ଘରକୁ ଯିବ, ସେହିକଥା ତା ମନରେ ନାଚିଲା-

 

ସନ୍ଧ୍ୟା ମାଡ଼ି ଆସିଲା । ଯେ ଯାହାର ଘରକୁ ବାହୁଡ଼ିଲେ । ତର ତର ହୋଇ ଲକ୍ଷ୍ମଣ ଓ ଅରକ୍ଷିତ ଧାଇଁଲେ । ଅରକ୍ଷିତ ବାଟ ସାରା ଯେତେ କଥା ତାକୁ ପଚାରୁଥାଏ ସେ ଖାଲି ହୁଁ ହାଁ କରୁଥାଏ । ଅଧବାଟଠି ସେମାନେ ବାଟ ଭାଙ୍ଗି ଗାଁ ବାସେଳୀଙ୍କ ପାଖକୁ ଗଲେ । ଲକ୍ଷ୍ମଣର ଏପରି ଡରକୁଳା ଭାବ ଦେଖି ଅରକ୍ଷିତର ମଧ୍ୟ ମୁହଁରୁ ହସ ଲିଭିଗଲା । ଦୁହେଁ ଦୁହିଁଙ୍କର ଆପଦର ବନ୍ଧୁ ହୋଇ ବାସେଳୀଙ୍କଠାରେ ମୁଆଁ ଯାଚିଲେ । ଶୁଭ ମନାସି ଘରକୁ ଫେରିଲେ । ବାଟରେ ଯାଉ ଯାଉ ଘର ପାଖରେ ନୟନାକୁ ଦେଖିଲେ ଧାଇଁ ଧାଇଁ ଆସୁଛି । ନୟନାକୁ ଧାଇଁବାର ଦେଖି ଦୁହେଁ ଆହୁରି ତଟସ୍ଥ ହେଲେ । ପାଦ ଆଉ ଆଗକୁ ଚଳିଲା ନାହିଁ । ଦୁହେଁ ସ୍ଥାଣୁ ପରି ଠିଆ ହୋଇଗଲେ । ନୟନା ନିକଟକୁ ଆସି ଓ ଲକ୍ଷ୍ମଣର ହାତ ଧରି ପକାଇ କହିଲା ।

 

‘‘ଲକ୍ଷ୍ମଣ ଭାଇ । ପୁଅ ହୋଇଛି ପୁଅ, ଦେ ମିଠାଇ ଦେ ।’’

 

ଏତେବେଳକୁ ଯାଇ ଲକ୍ଷ୍ମଣର ହୋସ୍‌ହେଲା । ଆନନ୍ଦର ଆବେଗରେ ସେ ନୟନାକୁ କୁଣ୍ଢେଇ ପକାଇଲା ।

 

‘ସତେ ନୟନା ପୁଅ ହୋଇଛି ?’ —ଲକ୍ଷ୍ମଣ ଯେପରି ବିଶ୍ୱାସ କରିପାରୁ ନ ଥିଲା । ‘ହଁ, ମ, ମୁଁ ପରା ଦେଖି ଆସିଲି । ଦୁରିବୁଢ଼ୀ ମତେ ଦେଖେଇବା ପରଠୁଁ ମୁଁ ତ ଧାଇଁଛି । ସଅଳ ଚାଲ ଦେଖିବୁ ଯେ । ଯୋଉ ଚନ୍ଦ୍ରଉଦିଆ ପୁଅ ହୋଇଛି, ଦେଖିଲେ ପେଟ ପୂରିଯିବ । ତୋ ଭାଗ୍ୟଟା ଭାରି ଭଲ, ଲକ୍ଷ୍ମଣ ଭାଇ ।’

 

ଲକ୍ଷ୍ମଣ, ଅରକ୍ଷିତ, ନୟନା ସମସ୍ତେ ଆନନ୍ଦରେ ଚାଲିଲେ ବରଗଛ ତଳ କୁଡ଼ିଆକୁ । ସନ୍ଧ୍ୟାଦୀପ ଲାଗିଯାଇଛି, କାହା କାହା ଘରୁ ଶଙ୍ଖ ଶୁଭୁଛି । ଗାଁ ମଝି ଦେଉଳରୁ ଘଣ୍ଟ, ମାଦଳ ଶୁଣାଯାଉଛି । ସନ୍ଧ୍ୟାରାଣୀ ତାର ପାତଳ ନୀଳ ପଣତ ଚାରିଆଡ଼େ ବିଛାଇ ଦେଲାଣି । ଅନ୍ଧକାର ଓ ଦୀପ ଆଲୁଅର ମିଶ୍ରଣରେ ଅପୂର୍ବ ଏକ ଶୋଭା ଠାଏ ଠାଏ ଦେଖା ଯାଉଛି । ସେହି ପାତଳା ଅନ୍ଧକାର ଭିତରେ ଚାଲିଛନ୍ତି ତିନୋଟି ଲୋକ । ଘରେ ପହଞ୍ଚି ଦେଖନ୍ତି ଗୋଟିଏ ବଖରାରେ ଶୋଇ ରହିଛି ନବଜାତ ଶିଶୁ ଓ ନାରୀର ସାର୍ଥକତାରେ ପରିପୂର୍ଣ୍ଣା ମା କୁମ । ଦୀପଟିଏ ମିଞ୍ଜି ମିଞ୍ଜି ହୋଇ ଜଳୁଛି । କୌତୂହଳ ପରବଶ ହୋଇ ଲକ୍ଷ୍ମଣ ଝୁଙ୍କି ପଡ଼ିଲା ତାର ପ୍ରଥମ ସୃଷ୍ଟି ଦେଖିବାକୁ ।

 

ସେ ଦିନ ରାତିରେ ଅରକ୍ଷିତ, ନୟନା ବିଦାୟ ନେଲେ ‘ପୁଣି କାଲି ଆସିବୁ’ କହି । ଲକ୍ଷ୍ମଣର ଫୂର୍ତ୍ତି କହିଲେ ନ ସରେ । ସେ ରାତିସାରା ଭବିଷ୍ୟତ କଳ୍ପନାରେ ବ୍ୟସ୍ତ ରହିଲା ।

 

ଦିନ ପରେ ରାତି, ରାତି ପରେ ଦିନ ଆସେ । କୁମର ସଂସାରରେ ପରିବର୍ତ୍ତନ ଦେଖା ଦେଇଛି । କୁମ ଓ ଲକ୍ଷ୍ମଣ ଅତି ଆନନ୍ଦରେ ଗାଁ ବାସେଳୀଙ୍କଠି ମୁଆଁ ପୂଜା କଲେ ଓ ଏକୋଇଶିଆ ଭୋଜି କରି ଗାଁର କେତେ ଲୋକଙ୍କୁ ଖାଇବାକୁ ଦେଲେ । ଦିନ ଗଡ଼ି ଚାଲିଲା । ଲକ୍ଷ୍ମଣ ଏହାପରେ ଅଧିକ କାମ କରି ଟଙ୍କା ଆଣିଲା, ପିଲା ଦୁଧ ଖାଇବାକୁ ଗାଈଟିଏ ରଖିଲା । କୁମକୁ ବେଶି କାମ କରିବାକୁ ଦେଲା ନାହିଁ । ଦୁହେଁ ଏକାଠି ବସି ପିଲାର ଭବିଷ୍ୟତ ଘେନି କେତେ ସୁନେଲି ସ୍ୱପ୍ନ ଦେଖନ୍ତି । ପୁଅକୁ ପାଠ ପଢ଼ାଇବ ଲକ୍ଷ୍ମଣ । ତା ପରି ଗଜ ମୂର୍ଖ କରି ମଜୁରିଆ କରିବନି । ପୁଅ ତାର ବାବୁ ହେବ, ଚଉକିରେ ବସିବ—ଭାବୁ ଭାବୁ ଆଖି ଆଗରେ ଲକ୍ଷ୍ମଣକୁ ସବୁ ଦିଶିଯାଏ ।

 

ପୁଅର ବର୍ଷ ପୂରିବାକୁ ଆଉ ତିନି ମାସ ବାକି । ସେ ଦିନ ଚିତା ଲାଗି ଅମାବାସ୍ୟ । ମଜୁରିରୁ ଫେରି ପେଟ କାଟି ହୋଇ ଲକ୍ଷ୍ମଣର ଝାଡ଼ା ଦି’ଟା ହୋଇଗଲା । ରାତିରେ ନ ଡାକି ସକାଳୁ ବଇଦ ଡାକିବାର କଥା ହେଲା; କିନ୍ତୁ ଅଧ ରାତିଠାରୁ ଝାଡ଼ା ବାନ୍ତିରେ ଉଚ୍ଛନ୍ନ ହେଲା ଲକ୍ଷ୍ମଣ-। କୁମ ତର ତରରେ ଯାଇ ଡାକି ଆଣିଲା ଆର ସାଇର ନୟନାକୁ । ଯାହା ତୁଟକା ଜଣାଥିଲା ତା ଦିଆ ହେଲା । ତୁଟକାକୁ ନ ମାନି ସକାଳ ସୂର୍ଯ୍ୟଦର୍ଶନକୁ ଅପେକ୍ଷା ନ କରି, ସୁଖର ସଂସାରରେ ଦୁଃଖର ନିଆଁ ଜାଳି ବେକ ମୋଡ଼ି ଦେଲା ଲକ୍ଷ୍ମଣ, କୁମକୁ ଅକୂଳ ସମୁଦ୍ରରେ ଭସାଇ ଦେଇ । ଗୋଟିଏ ରାତିର ବ୍ୟବଧାନରେ ଏତେ ପରିବର୍ତ୍ତନ କିପରି ସମ୍ଭବ ହେଲା କୁମ ଭାବି ପାରିଲା ନାହିଁ-। କେତେ ସାନ୍ତ୍ୱନା କିଏ ଦେଲେ, ଦ୍ୱିତୀୟ ହେବାର ପ୍ରସଙ୍ଗ ମଧ୍ୟ କେତେ ବାଢ଼ି ବସିଲେ, ମାତ୍ର କୁମ କାହାରି ସହିତ ସେପରି ମିଳାମିଶା କଲାନାହିଁ । ଠିକ୍‌କଲା–କୁଆଡ଼େ ନ ଯାଇ ପିଲାଟିକି ମଣିଷ କରିବ ।

 

ମାଣିକ କ୍ରମେ ଧୂଳି ଖେଳ ଛାଡ଼ି ବଡ଼ ହେଲା । ଖପରା ମାଟି ଛାଡ଼ି ସିଲଟ ଧରିଲା । କୁମ’ର ଅନୁରୋଧରେ ଗାଁ ଚାଟଶାଳୀର ଅଗାଧୁ ଅବଧାନ ତାର ଖଡ଼ିଛୁଆଁ କଲେ । ମାଣିକ ପଢ଼ାରେ ମନ ଦେଲା । ଦି ଓଳି ଯାଇ ଚାଟଶାଳୀରେ ବସେ, ବାକି ସମୟ ଗାଈ ମଙ୍ଗୁଳିର କାମ କରେ, ତାକୁ ଘାସ ଆଣିଦିଏ । ଦାନା ଦେବାର ସାମର୍ଥ୍ୟ ତ ନାହିଁ, ତୋରାଣି, ପେଜ ଯାହା ଥାଏ ଦିଏ । ମା ତାର ଯେତେବେଳେ କାମକୁ ଯାଏ ସେ ଡିବି ଜାଳି ପାଠ ପଢ଼ି ବସେ ସେତେବେଳେ ।

 

ଚାଟଶାଳୀ ପାଠ ଶେଷ ହେଲା । ମାର ଆଶାକୁ ସଫଳ କରି ସେ ଭଲ କଲା ପରୀକ୍ଷାରେ । ଏଥର ସ୍କୁଲ ଯିବା ପାଳି । ତାର ଭଲ ଜାମା ନାହିଁ । କାଲି ସକାଳେ ଜମିଦାର ମାଉସୀ ଟଙ୍କା ଦେଲେ ସେ ଗୋଟିଏ ଜାମା କିଣିବ । ରଘୁମାଷ୍ଟ୍ରେ କହିଛନ୍ତି ବହିତକ ଦେବେ । ସେତ ରଘୁମାଷ୍ଟ୍ରେ ନ ଥିଲେ ସେ କ’ଣ ପାଠ ପଢ଼ିଥାନ୍ତା ।

 

ସେ ଦିନ ବୋଉ କହିବା ଅନୁସାରେ ମାଣିକ ଜମିଦାର ମାଉସୀଙ୍କୁ ଘରକୁ ଗଲା । ମାଉସୀ ପୂଜା କରୁଥିଲେ । ଟିକିଏ ଅପେକ୍ଷା କରିବା ପରେ ମାଉସୀ ଆସି ମାଣିକକୁ ଭାତ ଥାଳି ଓ ଦଶଟି ଟଙ୍କା ଦେଲେ । କହିଲେ—‘ମାଣିକ । ବୋଉକୁ କଣ ଆଜି ବି ଜର ଆସିଛି ?’

 

ମାଣିକ—‘ହଁ, ମାଉସି । ଆଜି ଔଷଧ ନେଇଯିବି ଘନଶ୍ୟାମ କବିରାଜଙ୍କଠୁ । କାଲି ପରା ମୁଁ ସ୍କୁଲ ଯିବି । ବୋଉ ଜର ନ ଛାଡ଼ିଲେ କିମିତି ଯିବି, ମାଉସି ।

 

ମାଉସୀ—‘ହଁ ମାଣିକ, କବିରାଜକୁ ଟଙ୍କାଟିଏ ଦେଇ ଘରକୁ ଡାକି ନେବୁ । ବୋଉର ଏ ଜରଟା ଭଲ ନୁହେଁ, ଏଇଟା ଭଲ ନ ହେଲେ......’ ।

 

ମାଣିକ—‘ଭଲ ନ ହେଲେ କଣ ହବ ମାଉସି ? ବୋଉ କଣ ଆଉ ଭଲ ହବ ନି ? –ସତ କହ, ମାଉସି।’

 

ମାଉସୀ—ହଁ ଭଲ ହବ, ବାପା । ତୁ ଯା ଚଞ୍ଚଳ କବିରାଜକୁ ଡାକି ନେବୁ । ହଁ, ଏ ବାଲି ପାଣି ମୁନ୍ଦିକ ନେଇ ଯା, ବୋଉକୁ ପିଇବାକୁ ଦେବୁ ।’’

 

ମାଣିକ—‘ମାଉସି, ବୋଉ କାହିଁକି ବାଲି ପିଇବ ? ଏ ଭାତ କଣ ଖାଇବ ନି ?

 

ପିଲାର ସରଳ ପ୍ରଶ୍ନର ତାଙ୍କ ଅନ୍ତର କାନ୍ଦି ଉଠିଲା । ସତେ କୁମ’ର ଯଦି କଣ ହୋଇଯାଏ, ଏ ଅନାଥ ପିଲା କାହା ପାଖରେ ରହିବ ? ସଂସାରରେ ସେ ଚିହ୍ନେ ଏକମାତ୍ର ବୋଉକୁ । ଏହା ଭାବୁ ଭାବୁ ସେ ବିହ୍ୱଳ ହୋଇ ପଡ଼ିଲେ । କେତେବେଳେ ମାଣିକ ପୁଣି ବୋଉ ଖାଇବା କଥା ପଚାରିଛି ସେ ଶୁଣି, ନାହାନ୍ତି । ତାକୁ କୋଳକୁ ଟାଣି ନେଇ କହିଲେ—

 

‘‘ଜର ହେଲେ ଭାତ ଖାଆନ୍ତି ନାହିଁ । ତୁ ଚଞ୍ଚଳ ଯା, ମାଣିକ ।’’

 

ଭାତ ଥାଳି ଧରି ମାଣିକ ଘରେ ପହଞ୍ଚି ଦେଖିଲା, ବୋଉ ଶୋଇଛି । ଥାଳି ଥୋଇ ଦେଇ ହଠାତ୍‌ ଧାଇଁଲା କବିରାଜଙ୍କ ଘରକୁ, ନ ହେଲେ ବୋଉ ଉଠିଲେ ଯିବାକୁ ମନାକରିବ । କବିରାଜଙ୍କ ଘରକୁ ଯାଇ ଦେଖିଲା ସେ ନାହାନ୍ତି । ତାଙ୍କୁ ଅପେକ୍ଷା କରି ବସିବା ଛଡ଼ା ତାର ଆଉ ଉପାୟ ନ ଥିଲା । ଭାବିଲା, ‘ବୋଉର ଜର ନ ଛାଡ଼ିଲେ ସେ କାଲି ସ୍କୁଲକୁ ଯିବନାହିଁ । ସକାଳେ ରଘୁମାଷ୍ଟ୍ରଙ୍କୁ ଯାଇ କହି ଆସିବ । ବୋଉ କାହିଁକି ଜମା ଭାତ ଭଲରେ ଖାଉ ନାହିଁ । ବେଶି ସମୟ ଖାଲି ଶୋଉଛି । କବିରାଜ ତ କେତେ ଔଷଧ ଦେଲେଣି; ତଥାପି ଜର ଛାଡ଼ୁନି । ବୋଉ ଭଲ ହେଲେ ସିନା ମୁଁ ସ୍କୁଲ ଯାଇ ପାଠ ପଢ଼ିବି ? .....କବିରାଜ ପହଞ୍ଚି ପଚାରିଲେ-

 

‘କିରେ ମାଣିକ, ପୁଣି କୁଆଡ଼େ ?’

 

ମାଣିକ–‘ବୋଉକୁ ଆଜି ବେଶି ଜର । ତମେ ଟିକିଏ ଚାଲ ଦେଖି ଆସିବ ।’

 

କବିରାଜ–‘ମୁଁ କାହିଁକି ଯିବି ? ତୁ ଯା ଔଷଧ ଦେଇ ଦେବୁ ।’

 

ମାଣିକ–‘ନାଇ କବିରାଜେ, ମୁଁ ଟଙ୍କା ଧରି ଆସିଛି, ତମେ ଆସ ।’

 

ଟଙ୍କା କଥା ଶୁଣି କବିରାଜଙ୍କ ମନ ନରମି ଗଲା । ଔଷଧ ଧରି ମାଣିକ ସହିତ ତା ଘରକୁ ମୁହାଁଇଲେ ।

 

କବିରାଜ ପହଞ୍ଚି ଦେଖିଲେ ଯରେ କୁମ ଅନ୍ଧାରରେ ଶୋଇଛି ଦୀପ ଜଳା ହୋଇ ନାହିଁ-। ମାଣିକ ଡାକିଲା–

 

‘ବୋଉ, କବିରାଜ ଆସିଛନ୍ତି, ତୁ ଉଠୁ । ବୋଉ ମ, ବୋଉ ।’

 

ମାଣିକ ଡାକରେ କୁମ ଅତି କଷ୍ଟରେ ଜବାବ ଦେଲା ।

 

‘ଆଲୁଅଟା ଜାଳେ, ମାଣିକ । କବିରାଜେ ବସିବେ ମଶିଣାଟା ପକା’ ।

 

ମାଣିକ ଡିବି ଜାଳି ପଟିଟି ପକାଇ ଦେଲା । କବିରାଜ ନାଡ଼ି ଦେଖିଲେ । ଗତି ଅତି କ୍ଷୀଣ । ଦେହଟା ଧଡ଼ ହୋଇ ସାରିଲାଣି । ରୋଗରେ ହାଲିଆ ହୋଇ କୁମ କେବଳ ଶ୍ୱାସ ପ୍ରଶ୍ୱାସକୁ ପ୍ରାଣ ଆକାରରେ ଧରି ରଖିଛି । ଜୀବନ-ଦୀପ ଲିଭି ଆସୁଛି । ତଥାପି ଟଙ୍କା ନେଇ କବିରାଜ ଔଷଧ ଦେଲେ ଓ ମାଣିକକୁ ଉପଦେଶ ଶୁଣାଇ ବାହାରି ଗଲେ ।

 

କୁମ ଆଜି ଆଉ ଉଠିପାରୁ ନାହିଁ । ମାଣିକ ଦିନ ସାରା ଅଖିଆ ରହିଛି । ତାକୁ ବାଢ଼ି ନ ଦେଲେ ସେ ଖାଏ ନାହିଁ । ଆଜି କିନ୍ତୁ କୁମ ଦେହଟା ଜମା ଚଳୁନାହିଁ । କୁମ ପାଖରେ ବସିଛି ମାଣିକ, ପଙ୍ଖାଟିଏ ଧରି ।

 

‘ମାଣିକ, ଖାଇବୁ ଯା ବାପା ।’

 

‘ତୁ କ’ଣ ଆଜି ଭାତ ଖାଇବୁ ନାହିଁ, ବୋଉ ? ହଁ, ମାଉସୀ ବାଲି ଦେଇଛନ୍ତି, ପିଇ ଦେ-।’

 

‘ନା ମୁଁ କିଛି ଖାଇବି ନାହିଁ । ତୁ ଖାଇ ଆ, ଧନ ।’

 

‘ନାଇ, ତୁ ନ ଖାଇଲେ ମୁଁ ଖାଇବି ନାହିଁ, ବୋଉ ।’

 

କୁମର ଛାତ ଥରି ଉଠିଲା ମାଣିକ କଥାରେ । ଜୀବନଲୀଳା ସରି ଆସୁଛି, ମାଣିକ ଜିଦ୍‌ଧରୁଛି ସେ ନ ଖାଇଲେ ଖାଇବ ନାହିଁ । କଣ ବୁଝୁଛି ଅବୁଝା ପିଲା ।

 

କୁମ ଡାକିଲା ଅତି କ୍ଷୀଣ କଣ୍ଠରେ–‘ମାଣିକ ରେ, ହଉ ଆଣି ଦେ ବାଲି । ମୁଁ ଉଠିପାରୁ ନାହିଁ ଧନ, ଆଉ ରାନ୍ଧିବି ନାହିଁ । ତୁ ପେଟପୂରା ଖାଇଦେ । ମୁଁ ଯଦି ଶୋଇପଡ଼ିବି, ଡାକିଲେ ଶୁଣି ନ ପାରିବି–ତେବେ ତୁ ଯାଇ ମାଉସୀ ଘରେ ଖବର ଦେବୁ । ଜମା ଡରିବୁ ନି, ବାପ ।’

 

ମାଣିକ ବାଲି ଦେଲା କୁମକୁ । କୁମ ବାଲି ପିଇସାରି ମାଣିକର ଖାଇବା ପ୍ରତି ଲକ୍ଷ୍ୟ ଦେଲା । କାଲିକି ମାଣିକର ଖାଇବା ଦେଖିବା ପାଇଁ ସେ ଥିବ ତ ?

 

ମାଣିକକୁ ପାଖରେ ଶୁଆଇଲା କୁମ । ଆଖିରୁ ଧାର ଧାର ଲୁହ ବୋହି କାନି ତିନ୍ତି ଯାଉଥାଏ । କାହା ହାତରେ ମାଣିକକୁ ତାର ଛାଡ଼ିଯିବ ? କୁମ ଛାତି ଉପରେ ମୁଣ୍ଡ ରଖି ମାଣିକର ନିଶ୍ଚିନ୍ତରେ ଶୋଇପଡ଼ିଛି । ରାତି ବଢ଼ି ଚାଲିଲା । ଛାତି ଭିତରଟା କିମିତି କିମିତି ହୋଇ ଯାଉଛି । ଜିଭଟା ଶୁଖି ଶୁଖି ଭିତରକୁ ଚାଲିଯାଉଛି ଯେପରି । ତଥାପି ମାଣିକକୁ ଆଉଁସି ଦେଲା, ତାର ପ୍ରାଣ-ନିଷ୍ପ୍ରଭ ନିର୍ଜୀବ ହାତରେ ।

 

ଭୋର ହୋଇ ଆସିଲା । ସୂର୍ଯ୍ୟଦେବ ହସି ହସି ମା କୋଳରୁ ଆସିଲେ ବାହାରକୁ । କୁମ ରାତିସାରା ଛଟପଟ ହେଉଛି । ମାଣିକର ନିଦ ଭାଙ୍ଗିଲା କୁମର ଧୀର ଡାକରେ-‘ମାଣିକ, ପାଣି ଟୋପେ ଦେ ।’

 

ମାଣିକ ପାଣି ପିଆଇଦେଲା ଅତି ଯତ୍ନରେ । ମୁଣ୍ଡ ଆଉଁଷି ଦେଇ କହିଲା-‘ତୁ ଶୋଇପଡ଼େ, ବୋଉ । ତୋ ଦେହ ଥଣ୍ଡା ହୋଇଯାଇଛି, ଆଉ ଜର ନାହିଁ । ମୁଁ ପାଖରେ ବସିଛି ।’

 

‘ହଁ ଶୋଉଛି ଧନ, ମାଣିକ ମୋର, ମାଣିକ ରେ, ମା...ଣି...କ-ତୁ.....।’

 

‘ବୋଉ ଡାକୁ ଡାକୁ ଶୋଇପଡ଼ିଲା କିମିତି ? କଣ କହୁଥିଲା ରହିଗଲା କାହିଁକି ?’ —ଭାବୁ ଭାବୁ ମାଣିକ ଉଠାଇଲା, ‘ବୋଉ-ବୋଉ’- । କୁମ ଶୁଣିପାରିଲା ନାହିଁ । ମାଣିକର ମନେପଡ଼ିଲା ବୋଉ କହିଛି-‘ମୁଁ ଶୋଇପଡ଼ିଲେ ତୁ ମାଉସୀ ଘରେ ଖବର ଦେବୁ ।’ ସେ ଧାଇଁଲା ମାଉସୀ ଘରକୁ । ମାଉସୀ ନିତ୍ୟକର୍ମ ସାରି ପୂଜାକୁ ବାହାରୁଥିଲେ । ମାଣିକକୁ ଦେଖି ତାଙ୍କର ଛାତି ଥରି ଉଠିଲା ଆଶଙ୍କାରେ । ‘କଣ କିରେ ମାଣିକ, ଏତେ ସକାଳୁ କୁଆଡ଼େ ?’

 

ମାଣିକ କହିଲା—‘ମାଉସି, ବୋଉ ଶୋଇପଡ଼ିଛି, ଡାକିଲେ ଶୁଣୁନି । ଶୋଇପଡ଼ିଲେ ତମକୁ କହିବାକୁ କହିଥିଲା ।’

 

ପୂଜାର ବାସନ ହାତରୁ ଖସି ପଡ଼ିଲା ଝନ୍‌ଝନ୍‌ ଶବ୍ଦ କରି । ଠିକ୍‌ ଏହି ସମୟରେ ମାଣିକକୁ ମିଶ୍ରଙ୍କ ଘରଠି ଦେଖି ରଘୁମାଷ୍ଟ୍ରେ ଡାକିଲେ—

 

‘‘ମାଣିକ, ଆଜି ପରା ତୋର ବିଦ୍ୟାରମ୍ଭ, ସ୍କୁଲକୁ ଯିବୁ ନାହିଁ ? ଏଠି ଠିଆ ହୋଇଛୁ କାହିଁକି ?’’

Image

 

ଖଣ୍ଡିଏ ଚିଠି

 

ପ୍ରିୟ ବଉଳ ମୋର,

 

ଅନେକ ଦିନ ହେଲା ମୋଠାରୁ ଚିଠି ନ ପାଇ ତୁ ଅତିଶୟ ବିରକ୍ତ ଅଛୁ ବୋଲି ଆଜି ତୋ ଚିଠିରୁ ଜାଣିଲି । ବଉଳ ଲୋ, ତୁ କାହିଁକି ବୁଝୁନାହିଁ ଯେ ହୃଦୟର ଗୁରୁ ଭାରରେ ମୁଁ ଦହି ହୋଇ-ଯାଉଛି । ମନର ଶାନ୍ତି ନ ଥିଲେ କେହି କଣ କେବେହେଲେ କର୍ତ୍ତବ୍ୟ-ପରାୟଣ ହୋଇପାରେ ? ମନ ପୋଡ଼ିଗଲାବେଳେ ଦଶଦିଗ ଅନ୍ଧାର ଦିଶେ ପରା ?

 

ତୁ ତୋ ଚିଠିରେ ଅନେକ ସାନ୍ତ୍ୱନା ଦେବାକୁ ଚେଷ୍ଟା କରିଛୁ । ସେଥିପାଇଁ ତତେ ଅନ୍ତରର ଧନ୍ୟବାଦ ଜଣାଉଛି । କେବଳ ତୋରି ସ୍ନେହ ପାଇଁ ମୁଁ ଏକପ୍ରକାର ବଞ୍ଚି ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ମୋ ଭଳି ହତଭାଗିନୀର ସଂସାରରେ ବଞ୍ଚି ରହିବାର ଅର୍ଥ ଅଛି ବୋଲି ମନେ ହୁଏନା । ତୁ ଯଦି ମୋ ଜୀବନର କରୁଣ ଇତିହାସ ଶୁଣନ୍ତୁ, ତେବେ ନିଶ୍ଚୟ ମୋ କଥାରେ ଏକମତ ହୁଅନ୍ତୁ । ମୋ ଅତୀତଟା ତୋର ଅଜଣାରେ ଆଉ ବେଶି-ଦିନ ରହିବା ମତେ ଗୋଟାଏ ଗୁରୁଭାର ପରି ଲାଗୁଛି । ତୋ ପାଖରେ ବସି, ତୋ ସୁକୋମଳ ସରସ ମୁହଁକୁ ଚାହିଁ କହିବାର ସୌଭାଗ୍ୟ ତ ମୋର ନାହିଁ । ସେଥିପାଇଁ କାଗଜ କଲମ ଧରି ଲେଖୁଛି-

 

ଜନ୍ମ ମୋର ଖୋରଧାର ଧନାଢ଼୍ୟ ଜାତିଷ୍ଠ ଓ ବିଖ୍ୟାତ ଜମିଦାର ମୁକୁନ୍ଦ ମିଶ୍ରଙ୍କ ଘରେ-। ମୋ ଜନ୍ମବେଳକୁ ପ୍ରଜାମାନଙ୍କର ବର୍ଷକର ଖଜଣା ଛାଡ଼ ହୋଇ ଯାଇଥିଲା ଶୁଣିଛି । ମାସକ ପର୍ଯ୍ୟନ୍ତ ଗୋଟିପୁଅ ନାଚ, ଦାସକାଠିଆ, ଥିଏଟର ଓ ମ୍ୟାଜିକ୍‌ରେ ଲୋକେ ମାତି ରହିଥିଲେ । ତୁ ଭାବିବୁ, ଝିଅଟାଏ ହେଲା ତ ଏତେ ଆନନ୍ଦ କଣ ପାଇଁ ? ମାତ୍ର ଆମ ବଂଶରେ ସାତ ପୁରୁଷ ହେଲା ଝିଅ କାହାର ହୋଇ ନ ଥିଲା । ସେଥିପାଇଁ ବାପା ବୋଉ ବିମଳାଙ୍କ ମନ୍ଦିରରେ ଆରାଧନା କରୁଥିଲେ । ଝିଅ ହେବାପରେ ଦେବୀଙ୍କର ନାମାନ୍ତର ଅନୁସାରେ ମୋ ନାଁ ‘ଗୌରୀ’ ରଖିଲେ । କନ୍ୟା ପାଇଁ ଆଦର ତାଙ୍କର ପୁତ୍ର ସୋହାଗଠାରୁ ବଳି ପଡ଼ିଥିଲା । ଏତେ ଆନନ୍ଦର ଘନଘଟା ଭିତରେ ମୋର ଜନ୍ମ ଉତ୍ସବ ସରିଲା । ଲୋକେ ମୋତେ ସୌଭାଗ୍ୟବତୀ, ରୂପବତୀ ବୋଲି ଖ୍ୟାତି ଦେଲେ । ଶୁଣିଛି ପ୍ରଜାମାନେ ମାସକୁ ଥରେ ଲେଖାଏଁ ମୋତେ ଦେଖିବାକୁ ବାପାଙ୍କ କୃପାଭିକ୍ଷା କରି ଆବେଦନ କରୁଥିଲେ । ବାପା ତାହା ମଞ୍ଜୁର କରି ମାସକୁ ଥରେ–ମୋର ସେବାକାରିଣୀ ଧାତ୍ରୀ ହାତରେ କଚେରୀ ଘର ପାଖ ମଣ୍ଡପ ଉପରକୁ ଅଣାଉଥିଲେ-। ଅତିଶୟ ଆଦର, ଯତ୍ନ, ସ୍ନେହ, ମମତାରେ ମୋର ‘ଲାକୟେତ୍‌ ପଞ୍ଚବର୍ଷାଣି’-ବାଲ୍ୟପର୍ବଟା ଶେଷହେଲା ।

 

ପାଞ୍ଚବର୍ଷ ଚାଲିଲା ବେଳକୁ ହେଲା ବିଦ୍ୟାରମ୍ଭର ସୂତ୍ରପାତ । ସେ ଦିନର କଥା ଏବେ ମଧ୍ୟ ମୋର ମନେ ପଡ଼େ । ସେ ଦିନର ବାଦ୍ୟ ବାଜଣାରେ ଖୋରଧା ଗଡ଼ କମ୍ପି ଉଠିଥିଲା । ଭୋଜିଭାତ ଖାଇ ସମସ୍ତେ ଆନନ୍ଦରେ ମୋରି ଗୁଣ କୀର୍ତ୍ତନ କରିଥିଲେ ଓ ମୋର ସୌଭାଗ୍ୟ କାମନା କରି ଗଡ଼ର ଶ୍ରେଷ୍ଠ ପଣ୍ଡିତମାନେ ଆଶୀର୍ବାଦ ଚାଉଳ ଦେଲେ । ସେ ଆଶୀର୍ବାଦ ମୋ ଜୀବନରେ କିଭଳି କାମ ଦେଲା, ତାହା ପରବର୍ତ୍ତୀ ଘଟଣାରୁ ବୁଝିବୁ । ଖୋରଧାର ସବୁଠାରୁ ଆଦର୍ଶ-ବିଦ୍ୟାଳୟରେ ମୋର ପାଠ ପଢ଼ା ଆରମ୍ଭ ହୋଇ ‘ତାଡ଼ୟେତ୍‌ ଦଶବର୍ଷାଣି’ ପର୍ବର ଆରମ୍ଭ ହେଲା ।

 

ସ୍କୁଲରେ ପାଠ ପଢ଼ିବାବେଳେ ସାଧାରଣ ପିଲାଙ୍କଠାରୁ ମୋ ପ୍ରତି ଅଧିକ ଦୃଷ୍ଟି ଦିଆଯାଉଥିଲା; କାରଣ ମୁଁ ଥିଲି ଧନିକର ଦୁଲାଳୀ, ଖୋରଧାର ବିଶିଷ୍ଟ ଜମିଦାରଙ୍କ କନ୍ୟା ଓ ଅନବିଦ୍ୟା ସୁନ୍ଦରୀ । ପିଲାଏ ମୋ ସହିତ ସାଥି ହେବାକୁ ଆସୁଥିଲେ ଅଦମ୍ୟ ଉତ୍ସାହ ନେଇ ଏବଂ ମୁଁ ସାଥି ହେଲେ ସେମାନେ ନିଜକୁ ଧନ୍ୟ ମନେ କରୁଥିଲେ ।

 

ସପ୍ତମ ଶ୍ରେଣୀରେ ପଢ଼ିବାବେଳେ ଶ୍ରେଣୀର ଷାଠିଏ ପିଲାଙ୍କ ଭିତରୁ ମୋତେ ଆକୃଷ୍ଟ କରିଥିଲା ହେଡ଼ପଣ୍ଡିତ ବିଷ୍ଣୁପଦ ଶର୍ମାଙ୍କ ପୁଅ ‘ଶିବଶଙ୍କର’ । ଅତି ସୁନ୍ଦର, ସୌମ୍ୟ ମୂର୍ତ୍ତି ତାର । ଭସାଣିଆ ଆଖି ଦୁଇଟି କଳାଭ୍ରମର ପରି ଚତୁର୍ଦ୍ଦିଗକୁ ବିକ୍ଷିପ୍ତ କଲାବେଳେ ମୁଁ ପଢ଼ା ଛାଡ଼ି ନିର୍ନିମେଷ ନୟନରେ ତାକୁ ଚାହିଁ ରହେ । ଶିବଶଙ୍କର ମୋର ଏକମାତ୍ର ପୁରୁଷ ସଙ୍ଗୀ ହେଲା । ଖାଲି ସେ ଯେ ସୁନ୍ଦର ଥିଲା ତାହା ନୁହେଁ, ପାଠରେ ମଧ୍ୟ ଥିଲା ଅଗ୍ରଣୀ । ସେ ଓ ମୁଁ ପାଖାପାଖି ବେଞ୍ଚରେ ବସି ପଢ଼ୁ । ଛୁଟି ହେଲାପରେ ମୋର ସେବାକାରିଣୀ ମୋ ସହିତ ଆସିବାସତ୍ତ୍ୱେ ଶିବଶଙ୍କର ମୋତେ ଘରେ ଛାଡ଼ି ଯାଏ । ବାଟରେ ଦୁହେଁ ଆସୁଥିଲାବେଳେ ଅନେକ ଗଳ୍ପ କରି ଫେରୁ । ବିଦ୍ୟାଳୟରୁ ପଛପଟେ ଯେଉଁ ସ୍ରୋତସ୍ୱିନୀ ନଦୀ ଥିଲା—ଆଜି ସେଠାରେ କେବଳ ଧାରଟିଏ ବିଲ ଭିତର ଦେଇ ବୋହିବାର ଦେଖିବୁ—ତାରି କୋଳର ବାଲୁକା ଶଯ୍ୟା ଉପରେ ଘଟୁଥିଲା ଆମର କୈଶୋରର ଧୂଳିଖେଳ ଓ ନବତଳ ପ୍ରାସାଦର ନିର୍ମାଣ । ଉଭୟେ ପରସ୍ପରକୁ କ୍ରମଶଃ ଅନ୍ତରଙ୍ଗ ବନ୍ଧୁ ହିସାବରେ ଗ୍ରହଣ କରିଥିଲୁ ।

 

ଆମ ଅନ୍ତରଙ୍ଗତା ଅଧିକତର ହେଲା ଗୋଟାଏ ବାର୍ଷିକ ପୁରସ୍କାର ବିତରଣବେଳେ । ସେଥିରେ ଯେଉଁ ପରିପ୍ରଦର୍ଶନ ହୋଇଥିଲା ତହିଁରେ ରାମାୟଣର ଏକାଙ୍କିକାରେ ସେ ହୋଇଥିଲା ରଘୁ, ମୁଁ ହୋଇଥିଲି ରଘୁବଧୂ । ସଭାପତି ମହୋଦୟ ଏକାଙ୍କିକା ପରେ ପୁରସ୍କାର ବିତରଣ କଲାବେଳେ ଆମର ପରିଚୟ ଲୋଡ଼ି ବସିଲେ । ଆମର ଅଭିନୟ ଜୀବନ-କ୍ଷେତ୍ରରେ ବାସ୍ତବରେ ପରିଣତ ହେଉ ଏହି କାମନା ସେ ସଭା ମଝିରେ କରିଥିଲେ । କୈଶୋର କାଳର ଚପଳ ମନରେ ସେ ଦାଗ ଯେ ଏତେ ଗଭୀରଭାବରେ ତରଙ୍ଗ ସୃଷ୍ଟି କରିବ ଏ କଥା କିଏ ଜାଣିଥିଲା, ବଉଳ । ସେହି ଗୋଟିଏ ଦିନର ଅଭିନୟ ଜୀବନର ରଙ୍ଗମଞ୍ଚରେ ଯେ ନଟୀ ସଜାଇବ, ସେତେବେଳେ ଜଣା ପଡ଼ି ନ ଥିଲା । ତାହା । ସେତେବେଳର ଜୀବନ ଉପରେ ବୀଜ ବୁଣି ବୁଣିଥିଲେ ସୁଦ୍ଧା ମହୀରୁହ ହେବ ବୋଲି କଣ କଳ୍ପନାକୁ ଆସିଥିଲା ? ତାର ପ୍ରତି ଚେର ଯେ ଅତଳଗର୍ଭକୁ ଭେଦକରି, ହୃଦୟର ରସ ଆହରଣ କରି ବୃଦ୍ଧି ପାଇବ ଏକଥା ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲି ।

 

ସେହି ଦିନଠାରୁ ଶିବଶଙ୍କର ହେଲା । ‘ସୀତାପତି’ ଓ ମୋର ନାମ ହେଲା ‘ସୀତା’ । ଆମେ ପରସ୍ପର ସେହି ନାମରେ ଡକାଡକି ହେଉଥିଲୁ । ଦିନେ ଶଙ୍କର କହିଲା—‘ଗୌରୀ, ରାମ କେତେ ଭଲ ପାଉଥିଲେ ସୀତାଙ୍କୁ । ତାଙ୍କ ପାଇଁ ଆଉ ଦ୍ୱିତୀୟ ବିବାହ କରି ନ ଥିଲେ ।’

 

ମୁଁ ହଠାତ୍‌ କହିଲି—‘ଦେଖ ସୀତାପତି, ରାମ ଭଲ ପାଇଲେ କଣ ହେବ, ସୀତାଙ୍କୁ ତ ଛାଡ଼ିଦେଲେ ପ୍ରଜାଙ୍କ ଭୟରେ । ସୀତା ଶେଷଜୀବନଟା ଘନଘଞ୍ଚ ଅରଣ୍ୟରେ କଟାଇଲେ, ରାମ ପରି ପତି ପାଇ । ଏଥିରେ ଆଉ ତାଙ୍କର ଭଲ ପାଇବାର ବଡ଼ପଣ ରହିଲା କେଉଁଠି ?’

 

ଶଙ୍କର—ସୀତା, ତୁ ରାମଙ୍କୁ ଦୋଷ ଦେଉଛୁ ସିନା; ମାତ୍ର ଭାବି ଦେଖ, କେତେ ବଡ଼ ସ୍ୱାର୍ଥତ୍ୟାଗ ସେ ନ କଲେ, ନିଜର ପ୍ରାଣପ୍ରିୟା ଜୀବନସଙ୍ଗିନୀ ପ୍ରୀତିପସରାକୁ ଛାଡ଼ି । କି ଦୁଃଖରେ ଥିବେ ତୁ ଭାବିଛୁ ?

 

ମୁଁ ତାର ଯୁକ୍ତି ଶୁଣି କ୍ଷଣ ଗୋଟାଏ ନୀରବ ରହି ପଚାରିଲି—‘ସୀତାପତି, ମୋତେ ସୀତା ପରି ନିର୍ବାସିତ କରିବ ନି ତ ?

 

ଏକଥା ଯେ ମୁଁ କାହିଁକି କହିଲି ନିଜେ ଜାଣେ ନା । ବୋଧହୁଏ ବିଧାତା ଅଦୂରରେ; କିନ୍ତୁ କେତେ ଅଳ୍ପଦୂର ମୁଁ ଜାଣି ନି–ରହି ହସୁଥିଲା ମୋ କଥା ଶୁଣି ।

 

ଶଙ୍କର—‘ନା ସୀତା, ତତେ ମୁଁ କେବେ ହେଲେ ହୃଦୟରୁ ଅନ୍ତର କରିବି ନାହିଁ । ମୁଁ ଏଠାରେ ପାସ୍‍କଲେ ନନା କହିଛନ୍ତି ପ୍ରୟାଗ ପଠାଇବେ ସଂସ୍କୃତ ପଢ଼ିବା ପାଇଁ । ସେଠାରେ ପଢ଼ି ଆସିଲେ ତୋରି ପାଖରେ ରହିବି । ମୁଁ ଗଲା ବେଳେ ତୁ ଜମା କାନ୍ଦିବୁ ନାହିଁ, ସୁନାଟି ପରା ?’

 

ତାର ସେ ଦିନର କଥାରେ ମୁଁ ଆଶ୍ୱସ୍ତ ହେଲି । ଦିନ ପରେ ଦିନ ଗଡ଼ି ଚାଲିଲା । ପରସ୍ପରର ସ୍ନେହ-ଲତା ଧୀରେ ଧୀରେ ହୃଦୟର ରସରେ ବଢ଼ିବାକୁ ଲାଗିଲା । ଦିନ ଦିନକର କଥା ଏବେ ବି ମନେ ପଡ଼େ । ସେ ଦିନଟା ଥାଏ ରବିବାର । ଆମ ବଣ-ଭୋଜି ପାଇଁ ଠିକ୍‌ କରିଥାଉ । ଦୁଇପହର ସମୟରେ ଶଙ୍କର ଆସିଲା ଆମ ଘରକୁ । ମୁଁ ଖାଇ ସାରି ବୋଉ ପାଖରେ ଗଡ଼ୁଥାଏ । ପଣ୍ଡିତେ ଆମ ଘର ଲୋକପରି ଓ ବାପାଙ୍କର ସମ୍ମାନର ପାତ୍ର; ତେଣୁ ଶଙ୍କର ଆମ ଘରେ ତାଙ୍କ ନିଜ ଘରପରି ଚଳେ ।

 

ଶଙ୍କର ଆସି ଦେଖେ ତ ମୁଁ ଶୋଇଛି । ସଙ୍ଗେ ସଙ୍ଗେ ବୋଉକୁ କହିଲା—‘ମାଉସି, ଗୌରୀକୁ ତମେ ଖାଲି ଗେହ୍ଲା କରି ଖରାପ କରି ଦେଉଛ । ସେ ମୋଟେ ପଢ଼ାରେ ମନ ଦେଉ ନି, ଖାଲି ଖେଳରେ ମନ ।’

 

ବୋଉ—‘ନାଇ ରେ ବାପା, ସେ କଣ ଶୋଉଥିଲା କି, ମୁଁ ତାକୁ ବାଧ୍ୟ କରି ଶୁଆଇଛି । ଖାଲି ଖରାରେ ବୁଲି ବୁଲି କଳାକାଠ ପଡ଼ିଗଲାଣି ସିନା । ଝିଅ ପିଲା, ଦୁଇ ଅକ୍ଷର ଚିହ୍ନିଲେ ହେଲା-। ପଢ଼ି କଣ ଡିପୋଟି ହେବ ?’

 

ଶଙ୍କର—‘ମାଉସି, ଏପରି କଣ କହୁଛ । ଆଜିକାଲି ପରା ଝିଅମାନେ ଓକିଲ, ଜଜ୍‌, ମାଷ୍ଟ୍ର ହେଉଛନ୍ତି । ଗୌରୀ ତ କହୁଛି ମାଷ୍ଟ୍ରାଣୀ ହେବ । ଝିଅକୁ ଗେହ୍ଲାକଲେ ସେ ବେଶି ପଢ଼ିବ ନା ମାଷ୍ଟ୍ରାଣୀ ହେବ?’

 

ବୋଉ—‘କଣ କହିଲୁ ଶଙ୍କର, ଗୌରୀ ମାଷ୍ଟ୍ରାଣୀ ହବ ? ଏ କଥା ପୁଣି ଗୌରୀ କହିଛି-? ବ୍ରାହ୍ମଣ ଘରେ ଝିଅମାନେ ବେଶି ପାଠ ପଢ଼ନ୍ତି ନି । ବାରବର୍ଷରେ ବିଭା ହୋଇ ନିଜର ସଂସାର ସମ୍ଭାଳିବେ । ଏହି ସମୟ ଭିତରେ-ଯାହା ପଢ଼ିଥିବ ସେତିକି ।’

 

ଶଙ୍କର—ନାହିଁ ମାଉସି, ଗୌରୀକୁ ପଢ଼ାରୁ ଉଠାଇ ନେବ ନାହିଁ । ପଢ଼ିଲେ ଭଲ ପଢ଼ିବ-। ତାର..... ।’

 

ସେମାନଙ୍କର ଏପରି କଥାବାର୍ତ୍ତାରେ ମୁଁ ଭାରି ବିରକ୍ତି ବୋଧ କରୁଥାଏ । ହଠାତ୍‌ କଥା ମଝିରେ କହି ଉଠିଲି—

 

‘ଶଙ୍କର, ଆଜି ପରା ବଣଭୋଜିକୁ ଯିବା, ତମେ ଯେ ଗପରେ ଭୋଳ ?’

 

ଶଙ୍କର ମନେ ପଡ଼ିଲା ବାହାରେ ମଧୁ, ଗୋପାଳ, କୁମୁଦ, ଅଳକା, ରଞ୍ଜନ ଓ ଅନ୍ୟମାନେ ଅପେକ୍ଷା କରି ଅଛନ୍ତି । ସେ ବୋଉଠାରୁ ଅନୁମତି ମାଗି ମତେ ନେଇ ଚାଲିଲା ବରୁଣେଇ ପାହାଡ଼ ଆଡ଼େ ସମସ୍ତଙ୍କ ସହିତ । ସେଠାରେ ସମସ୍ତ ମିଶି ରାନ୍ଧିଲୁ ଭାତ ଆଉ ଡାଲମା-। ଅପଟୁ ହାତର ରାନ୍ଧଣା ହେଲେ ସୁଦ୍ଧା ଆମକୁ ଗୋଟାଏ ଗଡ଼ ଜିଣିଲା ପରି ମନେ ହେଲା । ସମସ୍ତେ ଖାଇ ଆନନ୍ଦରେ ଗୀତ ଗାଇ ଫେରିଲୁ । ଯେ ଯାହାର ଘରକୁ ଗଲେ; କିନ୍ତୁ ଶଙ୍କର ମତେ ଛାଡ଼ିବାକୁ ଆସିଲା ।

 

ବାଟରେ ଫେରିବା ବେଳେ ମୁଁ ଶଙ୍କରର ହାତ ଧରି ଚାଲିଥାଏ; ଛିପିଛିପିକା ଅନ୍ଧାର ଭିତରେ ଚନ୍ଦ୍ର ଉଠି ନ ଥାନ୍ତି । କେତୋଟି ତାରା ଖାଲି ମିଟି ମିଟି କରୁଥାନ୍ତି ଦୂର ଆକାଶରେ । ଆମେ ଗପ କରି ବାଟ ଚାଲୁଥାଉ । ହଠାତ୍‌ ଠିଆ ହୋଇ ରହି ଶଙ୍କର କହିଲା—‘ସୀତା, ତୁ କଣ ଅଧାରୁ ପଢ଼ା ଛାଡ଼ିଦେବୁ ।’

 

ମୁଁ କହିଲି—‘ନା ଶଙ୍କର, ତମେ ବୋଉ କଥା କାହିଁକି ଶୁଣୁଛ ? ପରୀକ୍ଷାରେ ଭଲ କରି ପାସ୍‍କଲେ, ବାପା କହିଛନ୍ତି ପଢ଼ାଇବେ ମାଷ୍ଟ୍ର ରଖି । ମୁଁ ତ ଆଉ ତମ ପରି ପ୍ରୟାଗରେ ଯାଇ ହଷ୍ଟେଲରେ ରହି ପାଠପଢ଼ି ପରୀକ୍ଷା ଦେବି ନି ।’

 

ଶଙ୍କର—‘ତାହା ହିଁ ଭଲ ଗୌରୀ, ପଢ଼ାରୁ କେବେ ହେଲେ ଅଲଗା ହେବୁ ନି । ପଢ଼ିଲେ କେତେ ଦେଶ ବିଦେଶରେ କଥା ଜାଣି ପାରିବୁ । ନ ପଢ଼ିଲେ ମୋଟା ମୋଟା ବହି ପଢ଼ିବୁ କିମିତି ?’

 

ମୁଁ କହିଲି—‘ଆଚ୍ଛା ରଘୁପତି । ତମେ ଯେବେ ପାଶକରି ଯିବ ପ୍ରୟାଗ; ସେତେବେଳେ କଣ ମନେ ରଖିବ ମୋ ଭଳି ଗୋଟିଏ ଦରପାଠୋଇ ଝିଅକୁ ?’

 

ଶଙ୍କର–‘ସୀତା ତୁ କଣ ଭାବିଛୁ ମୁଁ ତୋତେ ଭୁଲିଯିବି ? ଏତେ ଦିନ ଯେ, ଏକାଠି କଟାଇଛେ ସେ କଥା କ’ଣ ଭୁଲି ହେବ ? ମୁଁ ତୋତେ ଛାଡ଼ି ଯିବାକୁ ମୋର ଜମା ମନ ହେଉ ନି, ସେ କଥା ଭାବିଲାବେଳକୁ କାନ୍ଦ ଲାଗୁଛି । ରାତିରେ ଶୋଇଥାଏ, ଭାବେ କେତେବେଳେ ସକାଳ ହେବ, ତୋ ସହିତ ପୁଣି ଦେଖା ହେବ । ତୁ କଣ ମୋ କଥା ଭାବୁ, ସୀତା ? ତୁ ତ ବଡ଼ଲୋକର ଝିଅ । ବିଭା ହୋଇ ରଜାଘରକୁ ଯିବୁ ଶୁଣୁଛି । ସେତେବେଳେ କଣ ମୋତେ ଆଉ ଚିହ୍ନିପାରିବୁ ?’

 

ତାର ଏ କେତେ ପଦ କଥା ମୋ ଛାତିରେ ଛୁରୀ ପରି ଗଳିଗଲା । ଓଃ, ସେ ଦୁଃଖରେ ଅଭିଭୂତ ହୋଇ ସେତକ କହିଲା । ପତଳା ଅନ୍ଧାର ଭିତରେ ମୁହଁ ତାର ସ୍ପଷ୍ଟ ନ ଦିଶିଲେ ମଧ୍ୟ ତାର କରୁଣ ଆଖି ଲୁହରେ ପୂରିଥିଲା—ଦେଖିଛି । ଚାଲୁ ଚାଲୁ ବାଟରେ ଗୋଟାଏ ଶିବମନ୍ଦିର ପଡ଼ିଲା । କେଜାଣି କାହିଁକି ହଠାତ୍‌ ଶଙ୍କରର ହାତ ଧରି କ୍ଷଣେ ଠିଆ ହୋଇ ଭାବିଲି ମନେ ନାହିଁ । ପରେ କେତେବେଳେ ଆମେ ଦେଉଳ ଭିତରକୁ ଯାଇଛୁ ଜାଣେ ନା । ସନ୍ଧ୍ୟାର ଆଳତି ସାରି ପୂଜାରୀ ଘରକୁ ଯିବାକୁ ଯୋଗାଡ଼ କରୁଥାଏ । ଆମେ ପହଞ୍ଚି ପ୍ରଣାମ ସାରିଲାବେଳକୁ ଦୁଇଖଣ୍ଡ ମାଳା ଆଣି ଦେଲା । ଫୁଲ ପିନ୍ଧି ସାରି ମୁଁ କହିଲି-

 

‘‘ସୀତା ରାମଙ୍କୁ ବିଭା ହୋଇଥିଲେ । ମୁଁ ତ ସୀତା, ତମେ ତ ରାମ–ମୁଁ ତମ ଛଡ଼ା ଆଉ କାହାର ନୁହେଁ, ଠାକୁରଙ୍କ ପାଖେ ସତ କହୁଛି । ତମେ ମତେ ଆଉ ବିଭା ହେବା କଥା କହିବ ନାହିଁ, ମୋର ରାଣ ।’’

 

ଶଙ୍କର—‘ହଁ ସୀତା, ସତ କହିଛୁ । ଆମେ ତ ବହୁଦିନରୁ ବିଭା ହୋଇଛେ । ରାମ କେବଳ ସୀତାର । ଆଜି ଠାକୁରଙ୍କ ପାଖରେ ପ୍ରତିଜ୍ଞା କରି କହୁଛି ସୀତା, ଜୀବନରେ ଆଉ କାହାକୁ ଚାହିବି ନାହିଁ ତୋ ଛଡ଼ା । ଏହି ମାଳା ଚିରଦିନ ମୋ ପାଖରେ ଥିବ ।’

 

ଏହା କହି ସେଦିନ ଆମେ ସେହି ମନ୍ଦିର ଭିତରେ ଠାକୁର ଛୁଇଁ ଶପଥ କରିଥିଲୁ । ଶଙ୍କର ମତେ ତା ଆଡ଼କୁ ଢଳାଇ ନେଲା । ଯେ ଆବେଗରେ ପରସ୍ପରକୁ ଆମେ କୁଣ୍ଢାଇ ଧରିଥିଲୁ, ସେ ଶିହରଣ ଏବେ ମଧ୍ୟ ପୁଲକାଏ । ପ୍ରଥମ କରି ସେହିଦିନ ପୁରୁଷ ଦେହର ସ୍ପର୍ଶ ପାଇଲି ମୁଁ । ଜୀବନରେ ରୋମାଞ୍ଚର ପ୍ରଥମ ଜାଗରଣ ହେଲା ଶଙ୍କର ଯୋଗୁଁ ଶିବ ମନ୍ଦିରରେ ।

 

ସେ ଦିନର ଘଟଣା ପରଠାରୁ ଆମେ ପରସ୍ପର ଏକାଠି ଅନେକ ସମୟ କଟାଉ ଗଳ୍ପକରି । ଅନେକ ପିଲା ସହି ନ ପାରି ହେଡ଼ପଣ୍ଡିତଙ୍କୁ କହିଲେ; କିନ୍ତୁ ପଣ୍ଡିତେ ମୋତେ ଭାରି ଭଲ ପାଉଥାନ୍ତି । ତେଣୁ ଅନ୍ୟମାନେ ଈର୍ଷାଳୁ ହେବାର ଦେଖି, ଟିକିଏ ହସି ଦେଇ, ସେ ଆଡ଼େଇ ହୋଇ ଚାଲି ଯାଆନ୍ତି ।

 

ବୟସ ପଢ଼ିବା ସଙ୍ଗେ ସଙ୍ଗେ ଘରେ ବୋଉର ଆକଟ ବଢ଼ିଲା । ସେ ପୂର୍ବପରି ମୋତେ ଆଉ ଏକୁଟିଆ ସ୍କୁଲକୁ ଛାଡ଼େ ନି, ସଙ୍ଗରେ ଧାଈ ଯାଏ । ଜାମା ଛାଡ଼ି କ୍ରମେ ଶାଢ଼ି ଧରିଲି । ଆହୁରି କେତେ କଣ ପରିବର୍ତ୍ତନ ହୋଇଗଲା । କାହିଁକି କେଜାଣି ଧାଈ ଆଗରେ ଆମେ ଆଉ ଆଗପରି ଗପ କରିବାକୁ ଭଲ ପାଉ ନ ଥିଲୁ । କିପରି ତାଠାରୁ ଛଡ଼ାରେ ପରସ୍ପରକୁ ପାଇବୁ ସେହି ଚିନ୍ତା ଥାଏ ।

 

ବଉଳ ଲୋ, ପ୍ରେମ କିଭଳି ଜିନିଷ ଯେ ଜାଣେ ସେ ଭୋଗେ ତାର ପରିଣାମ । ଏକଥା କଥାରେ କହି ତେତ ବୁଝାଇ ପାରିବି ନାହିଁ । ପ୍ରେମର ବର୍ଣ୍ଣନା ତ ଦେଇ ହେବ ନି ଖାଲି ଅନୁଭବ କରିବା କଥା । ଦିନ ରାତି ତାରି କଥାରେ ଘାରି ହେବା ହେଲା ସାର । ପ୍ରାକ୍‌ ଯୌବନରେ ପ୍ରେମ ଏଭଳି ଗ୍ରାସ କରେ—କିଏ ଜାଣିଥିଲା, ବଉଳ । ସେତେବେଳର ରଙ୍ଗୀନ ଆଖିରେ ସବୁ ରଙ୍ଗୀନ, ଦିଶେ, ଲୋ ବଉଳ । ସେ ଅମୃତ ଖାଇ ବିହ୍ୱଳା ହେବା କେତେ ଜଣଙ୍କ ଭାଗ୍ୟରେ ଯୁଟେ ? କହିବାକୁ ଗଲେ ଅତି ଅଳ୍ପ ବୟସରୁ ପ୍ରେମ ମୋ ପାଖେ ଧରା ଦେଲା । ତାରି ସ୍ରୋତରେ ମୁଁ ନିଜକୁ ଅକାତରେ ଭସାଇ ଦେଲି ।

 

ଦିନ ଗଡ଼ି ଚାଲିଲା । ମାଟ୍ରିକ ଫଳ ପ୍ରକାଶିତ ହେଲା । ଶଙ୍କର ବୃତ୍ତି ପାଇ ପ୍ରଥମ ଶ୍ରେଣୀରେ ପାସ୍‍ କଲା, ମୋର ହେଲା ଖାଲି ପାସ୍‍ ଦ୍ୱିତୀୟ ଶ୍ରେଣୀରେ । ବଉଳ, ଆଉ କଣ ପାଠରେ ମନ ଥାଏ ଯେ ବୃତ୍ତି ପାଇଁ ଚେଷ୍ଟା କରିବି ? ଖାଲି ଭଗବାନଙ୍କୁ ଡାକି କୌଣସି ପ୍ରକାରେ ପାସ୍‍କଲି, ସେହି ଯଥେଷ୍ଟ ।

 

ସେ ଦିନର ମୋ ବଡ଼ ଆନନ୍ଦର ଦିନ । ଶଙ୍କର ଆସିଥାଏ ଆମ ଘରକୁ । ତାକୁ ଦେଖି ମୁଁ ପାଖ ଘରେ ଲୁଚି ରହିଲି । ପରୀକ୍ଷା ଫଳ ଆଗରୁ ଆମେ ପତ୍ରିକାରେ ଦେଖିଥାଉ । ସେ ଆସି ବାପା, ବୋଉଙ୍କୁ ପ୍ରଣାମ କଲା । ବାପା ତାକୁ ଆଦରରେ କୋଳକୁ ଟାଣି ନେଇ କହିଲେ-‘‘ଶଙ୍କର, ତୁ ବାପା ସଫଳ ହେଲୁ, ବଡ଼ ଆନନ୍ଦର ବିଷୟ ମୋର ପୁଅ ହୋଇଥିଲେ.... । ଈଶ୍ୱର ତତେ ସୁପୁରୁଷ କରନ୍ତୁ । ତୁ ଆମ ଗଡ଼ର ଟେକ ରଖି ଜଣେ ବଡ଼ ମଣିଷ ହୁଅ, ଏହି ଆଶୀର୍ବାଦ କରୁଛି ।’’

 

ବାପାଙ୍କ ଆଖି ଛଳ ଛଳ ହେବା ସଙ୍ଗେ ସଙ୍ଗେ କଣ୍ଠ ବାଷ୍ପରୁଦ୍ଧ ହେଲା । ଶଙ୍କର କହିଲା–‘‘ମଉସା, ଆପଣଙ୍କ ଆଶୀର୍ବାଦ ମୋ ଜୀବନର ପାଥେୟ ହେଉ । ଆପଣଙ୍କ ଆଶୀର୍ବାଦରେ ଏଥର ପାସ୍‍କଲି । ଏଣିକି ଉଚ୍ଚ ପରୀକ୍ଷାରେ ଯେପରି ଭଲ ଫଳ କରେ । ହଁ ମଉସା, ଗୌରୀ କାହିଁ ? ସେ ମଧ୍ୟ ପ୍ରଶଂସା ପାଇବାର ହକଦାର କାଇଁ ତାକୁ ତ ଦେଖୁ ନାହିଁ ।’’ ବାପା କହିଲେ—‘‘ଭିତରେ ଥିବ । ପାଗଳୀ ତ ଭାରି ଖୁସି ତୁ ବୃତ୍ତି ପାଇଛୁ ବୋଲି । ପାସ୍‍ ତ କଲା, ଏବେ କଣ କରିବ କେଜାଣି ? ତୁ ଭିତରକୁ ଯା ।’’

 

ଶଙ୍କର ଘର ଭିତରକୁ ଆସବାର ଦେଖି ମୁଁ ବଗିଚା ଆଡ଼କୁ ଚାଲି ଗଲି । ସେ ମତେ ଡାକି ଡାକି ଭିତରକୁ ଗଲା । ତାର ସେ ଦିନ ମୁଖମଣ୍ଡଳରୁ ଜ୍ୟୋତି ଝଲସି ପଡ଼ୁଥାଏ । ମୋତେ ବଗିଚାରେ ପାଇଲା, ଆମ୍ୱଗଛ ଚଉରା ପାଖରେ । ବଉଳ, ନିଜର ଅଭିନ୍ନଆତ୍ମାକୁ କପଟ ରାଗ ଦେଖାଇଲେ ବୋଧହୁଏ ଆନନ୍ଦ ଲାଗେ । ପ୍ରେମରେ ମନଭଞ୍ଜନ ଗୋଟାଏ ବିଭାବ । ସେଥିପାଇଁ ମୁଁ କପଟ ରାଗ କରି ବସିଥାଏ । ଏସବୁ ପ୍ରେମର ଆନୁଷଙ୍ଗିକ ଗୁଣ କେହି ଶିଖାଏ ନାହିଁ, ବଉଳ । ପ୍ରେମ କଣ କହି ଶିଖାଏ ? ସେ ପରା ସ୍ୱତ୍ତଃ ଫୁଟି ଉଠେ ମଳୟ ସ୍ପର୍ଶରେ ବଉଳ ପରି, ଭାଦ୍ରବ ମାସର ଚାନ୍ଦିନୀ ରାତିରେ ଗଙ୍ଗଶିଉଳୀ ପରି ।

 

ମୁଁ ମୁହଁ ଶୁଖାଇ ବସିବାର ଦେଖି ସେ ମୋର ନିକଟତମ ହୋଇ ବସିଲା—‘‘ଗୌରୀ, ତୁ ଦୁଃଖ କରୁଛି ପ୍ରଥମ ଶ୍ରେଣୀରେ ପାସ୍‍ କଲୁନି ବୋଲି ? ସୁନାଟି ପରା, ମନ ଦୁଃଖ କରନା । ତୁ ମୁହଁ ଶୁଖାଇ ବସିଲେ ମତେ ଭାରି କଷ୍ଟ ହେବ । ସତେ, ତୁ ପ୍ରଥମଶ୍ରେଣୀରେ ପାସ୍‍ କରିଥାନ୍ତୁ, ମୁଁ ହେଲେ ଖାଲି ପାସ୍‍ କରିଥାନ୍ତି । ତୋର ଏ ଶୁଖିଲା ମୁହଁ ଦେଖିଲେ ଛାତି ଫାଟି ଯାଉଛି ।’’

 

ବଉଳ ଲୋ, ପୁରୁଷମାନେ କେତେ ଅଳ୍ପକେ ବିଚଳିତ ହୋଇ ପଡ଼ନ୍ତି ସେଦିନ ବୁଝିଲି । ଶଙ୍କରର ମୁହଁରୁ ସ୍ଫୁର୍ତ୍ତି ମରିଗଲା, ଆଖି କୋଣରେ ଲୁହ ଜକାଇ ଆସିଲା । ମୁଁ ଭାରି ଅନୁତପ୍ତ ହେଲି କାହିଁକି ତାର ଆନନ୍ଦ ଧୂଳିସାତ୍‌ କରିଦେଲି ବୋଲି ।

 

ଆଉ ସହି ନ ପାରି ଶଙ୍କର ହାତ ଧରି କହିଲି—‘‘ନାହିଁ ସୀତାପତି, ଆଜି ମୋର ଖୁବ୍‌ ଆନନ୍ଦର ଦିନ । ତମେ ବୃତ୍ତି ପାଇଛ, ମୋ ଠାରୁ ଆଉ ଅଧିକ କିଏ ଖୁସି ହେବ ? ମୁଁ ମିଛରେ ମୁହଁ ଶୁଖାଇ ତମକୁ ପରୀକ୍ଷା କରୁଥିଲି । ଆଚ୍ଛା, ମତେ କଣ ଦବ କହିଲ ?’’ ସେ ଦିନ କି ଆଶାରେ ଶଙ୍କରକୁ ପୁରସ୍କାର ମାଗିଥିଲି ଜାଣେନା; କିନ୍ତୁ ଶଙ୍କର ମୋ ଆଶାଠାରୁ ଅଧିକ ଆଶ୍ଚର୍ଯ୍ୟ କରି ମୋତେ ଦେଲା ନାରୀର ସର୍ବଶ୍ରେଷ୍ଠ ପୁରସ୍କାର—ପୁରୁଷର ଆତ୍ମଦାନ । ମୋ ମୁହଁକୁ ତୋଳି ଧରି ଶଙ୍କର କହିଲା—‘‘ସୀତା, ଆଜି ମୁଁ ତତେ ପୁଣିଥରେ ନିଜକୁ ଦେଲି । ନିଜକୁ ତୋରି ପାଇଁ ଯୋଗ୍ୟ କରିବା ଲାଗି ସେହିଦିନଠାରୁ ପ୍ରସ୍ତୁତି ପଥରେ ଆଗେଇ ନେଉଛି । ଆଉ ଅଧିକ କଣ ଦେବି କହ-?’’

 

ଶଙ୍କରର ସେ କଥାରେ ମୁଁ ଦ୍ରବି ଗଲି, ବଉଳ । ତାର ସେ ବିମୋହନ ମୁଖଶ୍ରୀ ଯଦି ସେ ଦିନ ତୁ ଦେଖିଥାନ୍ତୁ, ତେବେ ମତେ ବାତୁଳ ବୋଲି ଭାବି ନ ଥାନ୍ତୁ । ନିଜର ସର୍ବସ୍ୱ ମୁଁ ତାଙ୍କୁ ଦାନ କଲି । ସେ ପ୍ରଶାନ୍ତ ବଦନ, ଆନତ ନେତ୍ର, ଆଜାନୁଲମ୍ୱିତ ବାହୁ, ସ୍ଫୀତ ବକ୍ଷ, ସେ ଦେହର ପ୍ରତି ଅଙ୍ଗ ପ୍ରତ୍ୟଙ୍ଗ ପ୍ରତ୍ୟେକ ନାରୀପାଇଁ ଲୋଭନୀୟ ଆକର୍ଷଣ । ପୁରୁଷର ଆତ୍ମବଳି ନାରୀ ନିକଟରେ କିପରି ଲୋଭପ୍ରଦ, ତୁ କେବେ ଅନୁଭବ କରିଛୁ ? ସେ ଦିନର ସମ୍ଭାଷଣରେ ଦୁହେଁ ଦୁହିଁଙ୍କର ପୂର୍ବର ସାକ୍ଷୀ ହୋଇ ନିଜକୁ ଭବିଷ୍ୟତ ଆଶାରେ ବଞ୍ଚାଇ ରଖାଇବା ପାଇଁ ପ୍ରତିଶ୍ରୁତିକୁ ପୁଣି ପାରସ୍ପରିକ କଲୁ ।

 

ଶଙ୍କର ବିଦାୟ ନେଇ ଗଲା । ବଗିଚାର ସେ ଗଛ ଓ ତା ପାଖ ଲତାଟି ସେଦିନଠାରୁ ବହୁ ସମୟରେ ହେଲା ମୋର ସନ୍ଧ୍ୟା ବେଳର ସାଥୀ । ପ୍ରିୟତମର ଭବିଷ୍ୟତ ଆଶ୍ୱାସନାରେ ମୁଁ ନିଜକୁ ବାଗ୍‌ଦତ୍ତା ବୋଲି ମନେ କଲି ଓ ତାରି ଭାବରେ ନିଜକୁ ସଜାଇବାରେ ଲାଗିଲି ।

 

ଶଙ୍କର ଥିଲା ନିରାଡ଼ମ୍ୱର, ନିଷ୍ଠାପର ଓ ଆଦର୍ଶବାଦୀ । ନିଜକୁ ସେ ପୂର୍ବକାଳ ଗୁରୁକୁଳର ଆଦର୍ଶ ଛାତ୍ରରୂପେ ରୂପାୟିତ କରିଥିଲା । ସାଧାରଣ ଧୋତି ଚାଦରରେ ସେ ନିଜର ଅଙ୍ଗଶୋଭାକୁ ଚତୁର୍ଦ୍ଦିଗରେ ବିଚ୍ଛୁରିତ କରେ । ଆଧୁନିକ ବାତାବରଣ ତାକୁ ଆକୃଷ୍ଟ କରି ପାରି ନ ଥିଲା । ଧର୍ମରେ ପ୍ରଗାଢ଼ ବିଶ୍ୱାସ, ଗୁରୁଜନଙ୍କଠାରୁ ଅସୀମ ଭକ୍ତି—ତାର ଆଉ ଗୋଟାଏ ଗୁଣ । ତାର ଗୁଣଗ୍ରାମକୁ ମୁଁ କଣ ଭାଷା ଦେଇ ବର୍ଣ୍ଣନା କରି ପାରିବି, ବଉଳ ?

 

ପରୀକ୍ଷା ପରେ ଶଙ୍କର ପ୍ରୟାଗକୁ ପତ୍ର ଲେଖିଲା ଉଚ୍ଚଶିକ୍ଷା ନିମନ୍ତେ । ପତ୍ରର ଉତ୍ତର ଆସିବା ପର୍ଯ୍ୟନ୍ତ ଖାଲି ବସି ରହିବା ଅପେକ୍ଷା ତାର ଘର ନିକଟରେ କେତୋଟି ଛାତ୍ରଙ୍କୁ ନେଇ ସଂସ୍କୃତ ଟୋଲ କଲା । ସେଥିରେ ଦିନେ ଦିନେ ସକାଳଓଳି ମୁଁ ଯାଇ ବସେ । ତାର ପଠନର ପ୍ରଣାଳୀ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଏ । ମନ୍ତ୍ରମୁଗ୍‌ଧ ମୃଗଶିଶୁ ପରି ସମସ୍ତେ ଅପଲକ ଦୃଷ୍ଟିରେ ଚାହିଁ ରହିଥାନ୍ତି ତାର ଦିବ୍ୟଜ୍ୟୋତି ଭରା ମୁଖମଣ୍ଡଳକୁ । ନିସ୍ତବ୍‌ଧ ଭାବରେ ଶୁଣନ୍ତି ଜଳଦ ଗମ୍ଭୀର ଉଦାର କଣ୍ଠସ୍ୱରକୁ । ତାହା ସତରେ ସ୍ୱର୍ଗୀୟ—ମର୍ତ୍ତ୍ୟ ମାନବୀର ଉପଭୋଗ୍ୟ ।

 

ଗୃହକୋଣରେ ରହିବାର ସମୟ ମୋର ଆସିଗଲା । ତା ପରଠାରୁ ବୋଉ ଆଉ ବାହାରକୁ ଯିବାକୁ ଦେଲାନାହିଁ । ବାପାଙ୍କ ଇଚ୍ଛା ଥିଲେ ସୁଦ୍ଧା ବୋଉ ଯୁକ୍ତି ଆଗରେ ସେ ତୁନି ହୋଇ ଯାଆନ୍ତି । ପ୍ରତ୍ୟହ ମିଳନର ବିଚ୍ଛେଦ ଘଟିଲା, ଏହିଠାରୁ ଆରମ୍ଭ ହେଲା ବିରହ । ତାର ଜ୍ୱାଳା ଯେ ଅସହ୍ୟ, ତାହା ପ୍ରଥମଥର ପାଇଁ ଏହି ଅଙ୍ଗରେ ନିଭାଇଲି ।

 

କିଛିଦିନ ପରେ ଶଙ୍କରର ପ୍ରୟାଗରୁ ପତ୍ର ଆସିଲା । କଲେଜରେ ଯୋଗ ଦେବାପାଇଁ । ଯାତ୍ରା ପାଇଁ ଯୋଗାଡ଼ ଚାଲିଲା । ଯିବା ଦିନ ଆଖର ହୋଇଗଲା । ସେଦିନ ଦ୍ୱିପ୍ରହରରେ ସେ ଆସିଲା ଆମ ଘରକୁ ବିଦାୟ ପାଇଁ । ବାପା ବୋଉଙ୍କଠାରୁ ବିଦାୟ ନେଇ ଚାଲିଲା ବଗିଚାର ସେହି ଆମ୍ୱଗଛ ଚଉରାପାଖକୁ ଯେଉଁଠି ପରସ୍ପର ମଧ୍ୟରେ ପ୍ରେମର ପ୍ରଥମ ବିନିମୟ ହୋଇଥିଲା । ସେଦିନର ବିଦାୟବେଳେ ଭାଷାହୀନ ହୋଇ ଚାହିଁବା ସାର ହେଲା । ଭାଷା ଉଦ୍‌ବେଳ ହୋଇ ଉଠିଲେ ଅଶ୍ରୁ ବାକ୍‌ରୋଧ କରେ, ବୁକୁ ଦୁରୂ ଦୁରୂ କରି ଉଠେ । ଆସନ୍ନ ବିଚ୍ଛେଦପାଇଁ ନିଜକୁ ପ୍ରସ୍ତୁତ କରି ଶଙ୍କର ମୋ ମୁହଁକୁ କଣ୍ଠଲଗ୍ନ କରି କହିଲା—

 

‘‘ଚାଲିଲି ସୀତା, ଜୀବନର କର୍ତ୍ତବ୍ୟ ପଥରେ । ମୁଁ ଦୂରେଇ ଗଲି ବୋଲି ମୋତେ ପାଶୋରି ଦେବୁନି କିମ୍ୱା ପାଠରେ ହେଳା କରିବୁ ନାହିଁ । ନିଜର ସତ୍‌ଚିନ୍ତା, ଉତ୍ସାହ ବଳରେ ଆଗେଇ ଚାଲିବୁ ଆମ ପୂର୍ବପୁରୁଷଙ୍କ ପନ୍ଥା ଧରି । ଈଶ୍ୱର କରନ୍ତୁ ଏ ବିରହ ରାତି ଶୀଘ୍ର ପାହିଯାଉ, ଆଉ ମିଳନର ଜ୍ୟୋତିର୍ମୟୀ ଉଷା ଅଚିରେ ବିଭୁ ଆଶୀର୍ବାଦ ଧରି ଆସୁ ।’’

 

ବଉଳ ଲୋ, ତାର ସେ ମର୍ମ-ମଥିତ ବାଣୀ ଶୁଣି ମୋର ଧୈର୍ଯ୍ୟ ସେତୁ ଭାଙ୍ଗିଗଲା ବାଲିବନ୍ଧ ପରି । ମୁଁ ପିଲାଟି ପଡ଼ିଲି ତାରି କୋଳରେ । ଲୁହ ନୁହଁ ଲୋ, ଲହୁ ମୋର ତରଳି ଆଖି ବାଟ ଦେଇ ବାହାରକୁ ଆସିଲା । କଣ କହିବି କିଛି ବୁଦ୍ଧିକୁ ଆସୁ ନ ଥାଏ । ଶେଷରେ ଏତିକି କହିଲି—

 

‘‘ସତେ କଣ ଭୁଲି ହେବ ସୀତାପତି । ଶେଷ ନିଶ୍ୱାସ ବୋହିଲା ପର୍ଯ୍ୟନ୍ତ ତମରି ନାମ ହିଁ ଜପିବାରେ ଲାଗିବି । କାୟମନୋବାକ୍ୟରେ ମୁଁ ତମରି କେବଳ... ।’’

 

ଆଉ କିଛି କହିବାପାଇଁ ମୋର ଭାଷା ନ ଥିଲା । ହାତ ଦୁଇଟି ଧରି ସେ ନିତାନ୍ତ ଗଦ୍‌ଗଦ୍‌ କଣ୍ଠରେ କହିଲା—‘‘ଯାଉଛି’’ ।

 

‘ଯାଅ’ ବୋଲି କହିବାକୁ ପାଟି ଫିଟିଲା ନାହିଁ । ମୁଣ୍ଡ ହଲାଇଲି ବାଧ୍ୟରେ । ଶେଷ ଥର ପାଇଁ ସ୍ପର୍ଶ-ଆତୁର ମନ ତାର ଆଲିଙ୍ଗନ କଲା ମତେ ଏକାନ୍ତ ନିଜସ୍ୱ ପରି । ସେତିକିବେଳେ ଭାବୁଥାଏ ଏହି ନିବିଡ଼ ଆଲିଙ୍ଗନ ଭିତରେ ମୋର ଶେଷ ନିଶ୍ୱାସ ବାହାରି ଯାଆନ୍ତା କି । ମାତ୍ର ସେପରି ସୌଭାଗ୍ୟ ମୋର ଆସିବ କୁଆଡ଼ୁ ? ବେଳ ଗଡ଼ିଗଲା କେତେ, ଜଣା ପଡ଼ିଲା ନାହିଁ । ହଠାତ୍‌ ସ୍ୱପ୍ନରୁ ଉଠିଲା ପରି ଶଙ୍କର କହିଲା-‘‘ଯାଏ ତେବେ’’ । ପଛକୁ ଫେରି ଚାହିଁ, ଆଖି ପୋଛି, ଧୀରେ ଧୀରେ ଲୁଚିମଲା ମୋ ଆଖି ଆଗରୁ ମା.... ।

 

ମୁଁ ଘରକୁ ଆସି ବିଛଣାରେ ଶୋଇ ରହି ନିଜର ବିରହ ବେଦନା ଦବାଇବାକୁ ଚେଷ୍ଟା କଲି । ସନ୍ଧ୍ୟା କେତେବେଳେ ହୋଇ ଯାଇଛି ଜାଣେନା । ଉଠିବାକୁ ଚେଷ୍ଟା କରି ଆଉ ଉଠି ପାରିଲି ନାହିଁ । ଜାଣିଲି ମୋର ସେ ବିରହ ଶଯ୍ୟା ରୋଗଶଯ୍ୟାରେ ପରିଣତ ହେଲା । ସେ ଶଯ୍ୟା ଯଦି ମୋର ଚିତା-ଶଯ୍ୟା ହୋଇଥାନ୍ତା, ତେବେ କେଡ଼େ ସୁଖ ହୋଇ ନ ଥାନ୍ତା ? ମାତ୍ର ଆଶୀର୍ବାଦ ମୋ ପାଇଁ ଅଭିଶାପ । ରୂପ ମୋର କଳଙ୍କ ।

 

କେତେ ଦିନ ବିତିଗଲା । ଏ ପୋଡ଼ା ଦେହ ପୁଣି ସୁସ୍ଥ ହୋଇ ଉଠିଲା । ଶଙ୍କର ଯିବାର କେତେଦିନ ପରେ ଚିଠି ଆସିଲା, ଭଲଅଛି ସେ । ପଢ଼ାରେ ମନ ଦେଇଛି, ମାତ୍ର ମୋରି କଥା ମନେ ପକାଇ କାନ୍ଦୁଛି । ଚିଠି ପଢ଼ି ଲୁହ ଧାର ଧାର ହୋଇ ବହିଗଲା । କଣ କରିବି, କିଛି ଉପାୟ ନ ଥିଲା ।

 

ଘରେ ବହି ପଢ଼ାରେ ସମୟ ବିତାଇଲି । କିଛିଦିନ ପରେ ଚାଲିଲା ବିବାହର ଆୟୋଜନ । ବାପାଙ୍କର ଇଚ୍ଛା ନ ଥିଲେ ମଧ୍ୟ ବୋଉ ଯୁକ୍ତି ଅଲଘଂନୀୟ । କଣ କରିବି ଅନ୍ୟ ଉପାୟ ନ ଦେଖି ବୋଉର ଯୁକ୍ତି ଅଲଘଂନୀୟ । କଣ କରିବି ଅନ୍ୟ ଉପାୟ ନ ଦେଖି ଦିନେ ନିର୍ଲଜ୍ଜ ଭାବରେ ବୋଉକୁ କହିଲି-

 

‘‘ବୋଉ, ମୁଁ ଏବେ ବିଭା ହେବି ନାହିଁ ଆଉ ଦି ବର୍ଷ ପରେ ଆଇ. ଏ. ପରୀକ୍ଷାଟା ଦେବି, ତା ପରେ ।’’

 

ବୋଉ–‘‘ନାଇଁ ଗୌରି, ଆମ ଘର ଝିଅ ଏତେ ପାଠ ପଢ଼ି କଣ କରିବୁ ? ବେଶି ବୟସର ଝିଅମାନେ ବିଭା ହେବାରୁ ଏତେ ଅନାଚାର ବଢ଼ି ଯାଉଛି । ତୁ ବିଭା ହୋଇ ପଛକେ ପଢ଼ିବୁ ।’’

 

ମୁଁ କହିଲି—‘‘ବୋଉ, ମୁଁ କଣ ତୋର କଣ୍ଟା ହୋଇଛି ଯେ ମୋତେ ତଡ଼ିଲେ ତୋର ଶାନ୍ତି ହେବ ?’’

 

ମୋର ଏ ପଦକ କଥାରେ ବୋଉର ଲୁହର ଝରଣା ବୋହି ଚାଲିଲା । ମୋତେ କୁଣ୍ଢାଇ କହିଲା—

 

‘‘ଗୌରି, ମା ମୋର, ଏ କଥା କହନା । ମାର ହୃଦୟ ତୁ ବୁଝି ପାରିବୁ ନାହିଁ । ହଉ ଆଉ କେତଟା ଦିନ ପଢ଼ୁ ଥା ।’’

 

ଗୋଟାଏ ଘାଟି ଗଲା । ପୁଣି କେତେ ଦିନ ଗଡ଼ିଗଲା । ଘରେ ପଢ଼ି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲି । ଶଙ୍କରଙ୍କଠାରୁ ମଧ୍ୟ ଚିଠି ପାଉଥିଲି ପ୍ରାୟ ମଝିର ମଝିରେ । ତାଙ୍କରି ଚିନ୍ତାରେ ମୋର ଅଧିକରୁ ଅଧିକ ସମୟ କଟୁଥିଲା । ଏହିପରି ବର୍ଷେ ଗଲା । ଦ୍ୱିତୀୟ ବର୍ଷ ପରୀକ୍ଷା ସରିଲେ ତାଙ୍କର ଆସିବା କଥା । ଆସନ୍ନ ମିଳନର ରଙ୍ଗୀନ୍‌ ସ୍ୱପ୍ନରେ ମୁଁ ଆତ୍ମହରା ହୋଇ ଭୋକ ଶୋଷ ଭୁଲି ଯାଉଥିଲି । ବଉଳ ଲୋ, ମୁଁ ଦିନ ଦିନ ଏପରି ଖାଲି କଳ୍ପନାରେ ଭାସି ସମୟ କଟାଇ ଦିଏ ।

 

ବିଧାତା ମୋର ଏ ଆନନ୍ଦ ସହି ପାରିଲେନି ବୋଧହୁଏ । ଏପରି ସମୟରେ ଅନେକ ଦିନ ଧରି ଶଙ୍କରଙ୍କର କୌଣସି ଚିଠି ଆସିଲା ନାହିଁ । ପ୍ରଥମେ ପ୍ରଥମେ ଭାବୁଥିଲି ପଢ଼ାରେ ବ୍ୟସ୍ତ ରହି ଚିଠି ଦେଉ ନାହାନ୍ତି ଅବା; କିନ୍ତୁ ଏ ଆଶ୍ୱାସ ବାଣୀ ମନ ମାନିଲା ନାହିଁ ବେଶି ଦିନ । ଶେଷକୁ କେତେ ସନ୍ଦେହ ଗ୍ରାସ କଲା । ପ୍ରତ୍ୟହ ଚିଠି ପାଇଁ ଆଶା ରଖି ନିରାଶ ହୁଏ । ମୋର ଆଶଙ୍କା ଶେଷରେ ଧୈର୍ଯ୍ୟ ଅତିକ୍ରମ କଲା । ବାପାଙ୍କୁ କହିଲି ବାପା ହେଡ଼୍‌ପଣ୍ଡିତଙ୍କୁ ଡକାଇ ପଚାରିଲେ । ସେ ମଧ୍ୟ ନିରାଶ ବାଣୀ ଶୁଣାଇଲେ । ବଡ଼ ଚିନ୍ତାରେ ସମୟ ବିତିଲା । ଶେଷରେ ତାର ଗଲା । ସେଥିର ମଧ୍ୟ ଉତ୍ତର ଆସିଲା ନାହିଁ । ସେତେବେଳର ମନର ଅବସ୍ଥା ତୁ କଣ ବୁଝି ପାରିବୁ, ବଉଳ-। ମାଛ ପାଣି ଭିତରୁ ଆସି ଶୁଖିଲାରେ ଛଟ ଛଟ ହେଲା ପରି ମୋର ଦିନ କଟିଲା । ଖାଲି ଈଶ୍ୱରଙ୍କୁ ଡାକିବା ଛଡ଼ା ଆଉ କିଛି କରି ପାରିଲି ନାହିଁ ।

 

ଏହିପରି ସାତ ଦିନ ସାତ ରାତି ବିତିଲା । ସେ ସାତ ଦିନ ସାତ ଯୁଗ ପରି ଲାଗିଲା । ବିଧାତା ସର୍ବଦା ମନୁଷ୍ୟକୁ ନିଜ କର୍ମ ଫଳ ଭୋଗିବାକୁ ଦିଅନ୍ତି । ଶେଷରେ ଦିନେ ସକାଳୁ ତାର ଆସିଲା ପ୍ରୟାଗରୁ । ପ୍ରୟାଗରୁ ବାପାଙ୍କ ନିକଟକୁ କିଏ ତାର କଲା, କଣ ଲେଖା ଅଛି ଭାବି ନ ପାରି ବାପା ଚିନ୍ତିତ ମନରେ ଖୋଲି ପଢ଼ିଲେ । ପ୍ରୟାଗରୁ ତାର ଶୁଣି ମୁଁ ପାଖରେ ଠିଆ ହୋଇଥିଲି-। ବାପା ପଢ଼ିଲେ, ‘‘ଶଙ୍କର ଆଉ ଇହଜଗତରେ ନାହାନ୍ତି’’ । ଏ କଥା ଶୁଣୁ ଶୁଣୁ ମୋ ମୁଣ୍ଡ କଣ ହୋଇଗଲା, ଢଳି ପଡ଼ିଲି ବାପାଙ୍କ ଉପରେ । ତାପରେ କଣ ହେଲା ଜାଣେନା ।

 

କେତେବେଳେ ଉଠିଲି କେଜାଣି, ଦେଖେ ତ ବାପା, ବୋଉ ପାଖରେ ବସିଛନ୍ତି, ହେଡ଼୍‌ପଣ୍ଡିତ ମଧ୍ୟ । ମତେ ଉଠିବା ଦେଖି ବୋଉ କହିଲା—‘‘ତୁ କାହିଁକି ଆଗରୁ କହିଲୁ ନାହିଁ ଗୌରୀ, ସବୁ ଶେଷ ହେବା ପରେ ଜଣାଇଲୁ । କହିଥିଲେ କଣ ତୋ କଥା ଏଡ଼ି ଦେଇଥାନ୍ତୁ ?’’

 

ମୁଁ ‘ବୋଉ’ ଡାକି ତା କୋଳରେ ମୁଣ୍ଡ ଗୁଞ୍ଜି ଦେଲି । ସେଥିରେ ଯେ ଯାହା ବୁଝିଲେ ।

 

ଦିନ ଗଲା, ପୁଣି ବିବାହ କଥା ଉଠିଲା । ମୁଁ ବୋଉକୁ ଶୁଣାଇଲି ମୋ ଜୀବନର କରୁଣ–ଗୀତି । ବୋଉ କିଛି କହିଲା ନାହିଁ, ନୀରବରେ ଦୁଇଧାର ବୁହାଇ ଦେଲା ତତଲା ଲୁହ ।

 

ବଉଳ । ସେହି ଦିନଠାରୁ ପାଞ୍ଚବର୍ଷ ବିତି ଗଲାଣି । ମୁଁ ବି.ଏ. ପାଶକରି ବେଗୁନିଆ ବାଳିକା ବିଦ୍ୟାଳୟରେ ଶିକ୍ଷୟିତ୍ରୀ ହୋଇଛି । ସଂସାରରେ ବାପା ବୋଉ ଆଉ ନାହାନ୍ତି । ମୁଁ ବିବାହ ନ କରି ବିଧବା ହୋଇଛି । ଫୁଲ ନ ଫୁଟୁଣୁ ଝଡ଼ି ପଡ଼ିଛି କଢ଼ିଟିର ରୂପସମ୍ଭାର ଘେନି । ତାଙ୍କର ଲାଗି ଜନ୍ମାନ୍ତରକୁ ତିଆରି କରୁଛି ନିଜକୁ, ପ୍ରତି ଉଷ୍ମ-ନିଶ୍ୱାସରେ ନିଜକୁ ଜାଳି ଜାଳି ପବିତ୍ର କରି ଏ ଜନ୍ମରେ ତପସ୍ୟା କରିଥିଲେ, ଆର ଜନ୍ମରେ ପାଇବ ସତୀ ପରି ଶଙ୍କରଙ୍କୁ ।

 

ବଉଳ ଲୋ । ଶୁଣିଲୁ ତ । ଆଉ କିଛି ଲେଖିବାକୁ ହାତ ଯାଉନି । ଖାଲି ପ୍ରାର୍ଥନା ଏ ଜୀବନ ଶେଷ ହେଉ ଶୀଘ୍ର, ଜନ୍ମାନ୍ତରରେ ପଦ୍ମ ପରି ଫୁଟି, ସୂର୍ଯ୍ୟ କିରଣ ଲାଗି ଝଲସି ଉଠୁ, ସୂର୍ଯ୍ୟକୁ ଚାହିଁ ଚାହିଁ ଅବସାନ ଘଟୁ ।

 

ଆଜି ଏତିକି ବଉଳ, ବିଦାୟ ।

 

ତୋର

ଅଭାଗିନୀ

ବଉଳ

Image

 

ବ୍ୟର୍ଥ-ସନ୍ଦେହ

 

ଶୁଭଙ୍କର ଟ୍ରେନର ପ୍ରଥମ ଶ୍ରେଣୀ ବଖରାରେ ବସି ଚିନ୍ତାରତ ଥାଆନ୍ତି । ଦୁଇ ପାଖର ଶ୍ୟାମଳ ଶସ୍ୟକ୍ଷେତ୍ର ଓ ବୃକ୍ଷରାଜି ଧାଇଁ ଚାଲିଯାଉଥାଏ । ପାଞ୍ଚଟା ବର୍ଷ କିପରି ଭାବରେ ଯେ କଟି ଯାଇଛି ତାହା ତାଙ୍କୁ ଜମା ଜଣା ପଡ଼ିନାହିଁ; ମାତ୍ର ଆଜିର ଅଭାବ ତାଙ୍କ ଦୃଢ଼ ହୃଦୟକୁ ଦ୍ରବୀଭୂତ କରି ଦେଉଛି । ସେ ଖାଲି ଭାବୁଛନ୍ତି କିପରି ନିଷ୍ଠୁର ହେଲେ ତାଙ୍କର ପ୍ରାଣପ୍ରିୟ ମନୋଜ୍ଞା ମନୋବୃତ୍ୟାନୁସାରିଣୀ ସୁସ୍ମିତା ପ୍ରତି ।

 

ସୁସ୍ମିତା ତାଙ୍କର ଧର୍ମପତ୍ନୀ । ବେଦୀ ଉପରେ ‘‘ଓଁ ମମବ୍ରତେ ତେ ହୃଦୟଂ ଦଦାତୁ....’’ ମନ୍ତ୍ର ପଢ଼ି, ଅଗ୍ନି ସାକ୍ଷୀ ରଖି, ସପ୍ତପଦୀ ବୁଲି ତାଙ୍କୁ ନିଜ ଜୀବନ ସହିତ ବାନ୍ଧିଥିଲେ ଚିରଦିନ ପାଇଁ-। ସେ ପ୍ରତିଜ୍ଞା କଣ ସେ ରକ୍ଷା କଲେ ? ସ୍ୱାମୀର ଯେ କର୍ତ୍ତବ୍ୟନିଷ୍ଠା—ତାହାର କଣ ଏହି ପରିଣାମ-? ଏହା କଣ ଖାଲି ତାଙ୍କର ଭୁଲ ? ସାମୟିକ ଉତ୍ତେଜନାର ଫଳ ଏପରି ଭୟାବହ ହେବ ବୋଲି ସେ ତ ଜାଣି ନ ଥିଲେ । ଛାୟାଚିତ୍ର ପରି ସେଦିନର କଥା ତାଙ୍କ ଆଖି ଆଗର ନାଚି ଉଠିଲା ।

 

ଯେଉଁଦିନ ଅଫସି ଘରେ ପଶିଗଲାବେଳେ ରଥୀନ୍ଦ୍ରବାବୁ, ସୁରେଶବାବୁ ଓ ବ୍ୟୋମକେଶ କଣ କଥା ହେଉଥିଲେ ଏବଂ ଶୁଭଙ୍କରଙ୍କୁ ଦେଖି ଚୁପ୍‌ ହୋଇଗଲେ, ସେଦିନ ଯେ ସେ ବିବ୍ରତ ବୋଧ ନ କଲେ ଏ କଥା କେହି କହି ପାରିବ ନାହିଁ । ସେ ବିଚଳିତ ହୋଇ କାର୍ଯ୍ୟ ସମ୍ପନ୍ନ କରି ପାରିଲେ ନାହିଁ । ତାଙ୍କ ମନକୁ କିଛି ଆସିଲା ନାହିଁ । ମଧ୍ୟାହ୍ନରେ ସେମାନଙ୍କୁ ପଚାରି ବସିଲେ ତାଙ୍କର ଗଳ୍ପର ବିଷୟବସ୍ତୁ । ବନ୍ଧୁଗଣ ତାଙ୍କଠାରୁ କଥା ଲୁଚାଇ କରି ରଖିବେ ଏହା ତାଙ୍କର ସ୍ୱପ୍ନାତୀତ ଥିଲା । କିନ୍ତୁ ପଚାରିବା ପରେ କେହି ଯେତେବେଳେ କିଛି ନ କହିଲେ, ସେତେବେଳେ ଏକପ୍ରକାର ଜିଦ୍‌ଧରି ବସିଲେ ଓ ବନ୍ଧୁତ୍ୱର ଦ୍ୱାହି ଦେଲେ । ବନ୍ଧୁଗଣ ବଡ଼ କୁଣ୍ଠା ପ୍ରକାଶ କଲେ, ସେ କିନ୍ତୁ ନ ଶୁଣି ଉଠିଲେ ନାହିଁ । ଶେଷରେ ରଥୀନ୍ଦ୍ର ବାଧ୍ୟ ହୋଇ କହିଲେ-

 

‘‘ଶୁଣ ଶୁଭଙ୍କର, ଲଳିତ କହୁଥିଲା ସୁସ୍ମିତା ଓ ସରୋଜ ଆଜିକାଲି କୁଆଡ଼େ ଜଣେ ଜଣେ ବଡ଼ ନେତା ଓ ନେତ୍ରୀ ହେଲେଣି । ପ୍ରାୟ ସବୁ ମନ୍ତ୍ରୀ, ଉପମନ୍ତ୍ରୀଙ୍କ ସହିତ ତାଙ୍କର ଦୋସ୍ତି ଓ ପ୍ରତି ସଭାରେ ପୁରୋଧା । ସରକାରୀ ଜିପ୍‌ ତ ତାଙ୍କର କହିଲେ ଚଳେ, ସେମାନେ ସେ ଜିପ୍‌ରେ ବସି..... ।’’

 

ଏତିକି କହି ଚୁପ୍‌ ହେବାର ଦେଖି ଶୁଭଙ୍କର କହିଲେ– ‘‘କଥାଟାରେ ଅସମାପିକା କ୍ରିୟା ନ ଲଗାଇ ସମାପିକା କ୍ରିୟାର ସଦ୍‌ବ୍ୟବହାର କର । ଅଧାରେ ନୀରବ ରହିଲ କାହିଁକି ?’’

 

ରଥୀନ୍ଦ୍ର–‘‘ନା ସେପରି କିଛି ନାହିଁ । ତେବେ ଲଳିତ କଥା ଶୁଣି ଲାଭ କଣ ? ସେ ତ ସମସ୍ତଙ୍କ ବିଷୟରେ ସେପରି କହେ । ତା ମତରେ ସ୍ତ୍ରୀ ଗୃହକୋଣ ବ୍ୟତୀତ କେଉଁଆଡ଼େ ନ ଯାଇ ନିଜର ‘ଅସୂର୍ଯ୍ୟମ୍‌ପଶ୍ୟା’ ନାମକୁ ସାର୍ଥକ କରିବେ । ଏହାର ବ୍ୟତିକ୍ରମ ହେଲେ ସେ ଯେ ଅପବାଦ ନାଗରା ଡବି ଡିବି କରି ବଜାଇବ; ଏଥିରେ ସନ୍ଦେହ କଣ ?’’

 

ଶୁଭଙ୍କର—‘‘ବିଂଶ ଶତାବ୍ଦୀରେ ନାରୀ ପୁଣି ଗୃହକୋଣରେ ରହିବ ? ଦୁଇଟା ଯେ ଏକାବେଳକେ ବିପରୀତ କଥା । ତେବେ ଲଳିତ କାହିଁକି ଏପରି କହିଲା ଶୁଣେ । ତା ସହିତ ତାର ଶତ୍ରୁତା ତ ନାହିଁ ? ସେ ମୋର ଅନୁମତି ନେଇ ଏବେ କେତେଦିନ ହେଲା ‘ଅନୁନ୍ନତ ଜାତିର ଉନ୍ନତି’ ସଂଘରେ ଲାଗିଛି । ସେଥିପାଇଁ ତାକୁ ଯଥେଷ୍ଟ ଶ୍ରମ ସ୍ୱୀକାର କରିବାକୁ ପଡ଼ୁଛି, ଏ କଥା ମୋ ବ୍ୟତୀତ ଆଉ ଅଧକ କିଏ ଜାଣେ ?’’

 

ରଥୀନ୍ଦ୍ର ଶୁଭଙ୍କରଙ୍କ କଥାରେ ନିଜେ ଦୋଷୀ ପରି ମୁଣ୍ଡ ପୋତି ରହିଲେ । ତାଙ୍କର ମନେ ହେଲା ସେ ନ କହିଥିଲେ ଏପରି ଅପ୍ରୀତିକର ପରିସ୍ଥିତି ହୋଇ ନ ଥାନ୍ତା ପରା । ଲଳିତ ତରଫରୁ ସେ କହି ନିଜର ନିବିଡ଼ ବନ୍ଧୁତ୍ୱରେ ଆଞ୍ଚ ଲଗାଇଲେ ସିନା । ପରିସ୍ଥିତି ନିତାନ୍ତ ଗମ୍ଭୀର ହୋଇ ଉଠିଲା । ସମସ୍ତେ ଚୁପ୍‍ ହୋଇ ବସି ରହିଲେ ।

 

ହଠାତ୍‌ ଝଡ଼ ପରି ଘର ଭିତରକୁ ପଶି ଆସିଲା ଲଳିତ । ତାକୁ ଦେଖି ସମସ୍ତେ ଉଠିବାକୁ ଆରମ୍ଭ କଲେ । ଲଳିତ ନାଟକୀୟ ଭଙ୍ଗିରେ କହି ଉଠିଲା—

 

ବନ୍ଧୁଗଣ । ବର୍ତ୍ତମାନ ମୁଁ ସମସ୍ତଙ୍କୁ ପାଞ୍ଚ ମିନିଟ୍‌ ଏଠାରେ ବସିବାକୁ ଅନୁରୋଧ କରୁଛି-। ଶୁଭଙ୍କରବାବୁ ଅଛନ୍ତି ଏଠାରେ, ମୁଁ ତାଙ୍କୁ ଯାହା କହିବାକୁ ଚାହୁଁଥିଲି ତାହା ଏଠାରେ କହିବି । ଆପଣମାନଙ୍କ ବିଚାର ଉପରେ କଥା ରହିବ ।’’

 

ଲଳିତ କଥାରେ ଚମକି ଉଠିଲେ ଶୁଭଙ୍କର । ଅନ୍ୟମାନେ ଅପ୍ରସ୍ତୁତ ହୋଇଗଲେ ତଥାପି ସମସ୍ତେ ବସିବାକୁ ବାଧ୍ୟହେଲେ । ଶୁଭଙ୍କରଙ୍କ ଛାତି ଥରି ଉଠିଲା ଏକ ଅଜଣା ଆଶଙ୍କାରେ-। ତାଙ୍କର ମନେ ହେଲା, ନିଜର ଅତି ଆଦରର ସୁସ୍ମିତା କଥା ଆଜି ପାଞ୍ଚ-ଜଣଙ୍କ ଆଗରେ ସମ୍ଭବତଃ ପଡ଼ିବ ।

 

ଲଳିତ କହି ଉଠିଲା—‘‘ଶୁଭଙ୍କରବାବୁ, ସୁସ୍ମିତା ଦେବୀ ଆପଣଙ୍କ ଧର୍ମପତ୍ନୀ ଯେପରି, ଆମର ବନ୍ଧୁପତ୍ନୀ ସେହିପରି । ତାଙ୍କର ଅଧଃପତନ ଆମ ପ୍ରାଣରେ ଆଘାତ ଦେଉଛି । ଆମେ ତାଙ୍କୁ କହିଥିଲେ ସେ ବିରକ୍ତ ହୋଇଥାନ୍ତେ ଏବଂ ଆପଣ ଅନଧିକାର ଚର୍ଚ୍ଚାର ପର୍ଯ୍ୟାୟରେ ତାହା ପକାଇ ଦିଅନ୍ତେ । ତେଣୁ ମୁଁ କହେ, ସେ ଏସବୁ ଉନ୍ନତ ଅନୁନ୍ନତ କାମ ଛାଡ଼ି ଘର ଭିତରେ ରହି ନିଜ ପରିବାର ଉନ୍ନତ କରନ୍ତୁ । ଘରେ କଣ କାମ ନାହିଁ ?’’

 

ଲଳିତ କଥା ଶୁଣି ଶୁଭଙ୍କରଙ୍କ ଛାତିରେ ଛୁରୀ ମୁନ ଗଳିଗଲା । ସେ ଆଉ ସମ୍ଭାଳି ନ ପାରି କହିଲେ—

 

‘‘ଲଳିତବାବୁ, ଆପଣଙ୍କ ଆକ୍ରୋଶର କାରଣ ମୁଁ ଜାଣେ । ସୁସ୍ମିତା ଆପଣଙ୍କ ‘ପତିତା-ନାରୀ ଉଦ୍ଧାରଣ ସଂଘରେ ଯୋଗ ଦେଇ ନାହିଁ । ମୁଁ ତାକୁ ନିଜେ ଏଥିରେ ନ ମିଶିବାକୁ କହିଥିଲି । ତାର କାରଣ ଆଉ ବଖାଣି ଲାଭ ନାହିଁ । ତେବେ ଆପଣଙ୍କ କଥା ମନେ ରଖିବାକୁ ଚେଷ୍ଟା କରିବି-।’’

 

କଥା ଆଉ ବଢ଼ିବାକୁ ନ ଦେଇ ଅନ୍ୟମାନେ ସମସ୍ତେ ଯିବାକୁ ଉଦ୍ୟତ ହେଲେ । ଶୁଭଙ୍କର ଏ ସଂକୀର୍ଣ୍ଣ ପରିସ୍ଥିତିରୁ ନିଜକୁ ରକ୍ଷାକରିବାପାଇଁ ବାହାରିଗଲେ ପ୍ରଥମେ । ପଛରେ ଲଳିତ କହୁଥିବାର ଶୁଣାଗଲା, ‘‘ଶୁଭଙ୍କରର ଦିମାକ୍‌ ମୁଁ ଦେଖି ନେବି ।’’ ଶୁଭଙ୍କର ଶୀଘ୍ର ଶୀଘ୍ର ପାଦ ଚଳାଇ ଅଫିସ ବାହାରେ ଠିଆ ହୋଇଥିବା ନିଜ ଗାଡ଼ିରେ ଚାଲିଲେ ଘର ଆଡ଼କୁ । ସାରା ରାସ୍ତାଟା ଖୁବ୍‌ ନୀରବରେ କଟିଗଲା । ମୁଖମଣ୍ଡଳ ତାଙ୍କରି ବିଷାଦର କଳା ବଉଦରେ ଆଚ୍ଛନ୍ନ ହେଲା । କଣ କହିବେ ସୁସ୍ମିତାକୁ, ଏହି ଚିନ୍ତା ତାଙ୍କୁ ଘାରୁଥାଏ ।

 

ଘରେ ପହଞ୍ଚି ଦେଖିଲେ ଧାଈ ତାଙ୍କର ଏକମାତ୍ର କୁଳପ୍ରଦୀପ ଜ୍ୟୋତିଃପ୍ରକାଶକୁ ବାହାରେ ଧରି ଖେଳାଉଛି । ତାଙ୍କର ଧୂମାୟିତ ଚିତ୍ତ, ଅଗ୍ନି ସଂଯୋଗରେ ଦାଉ ଦାଉ ହୋଇ ଜଳି ଉଠିଲା । ସୁସ୍ମିତା ନାହିଁ, କାହିଁକି ନାହିଁ ? ଏହି ପ୍ରଶ୍ନ ତାଙ୍କ ଚିତ୍ତକୁ ଆନ୍ଦୋଳିତ କଲା । ସେ ଅଫିସ୍‌ରୁ ଫେରି ପ୍ରତ୍ୟହ ଜ୍ୟୋତିକୁ କୋଳକୁ ନିଅନ୍ତି । ଆଜି ତାର ବ୍ୟତିକ୍ରମ ଦେଖି ଧାଈ ଆଉ ଆଗେଇବାକୁ ସାହସ କଲାନାହିଁ । ପୂଜାରୀ ଜଳଖିଆ ଆଣି ଫେରାଇ ନେଲା । ଚାକର ଜୋତା ଖୋଲିବାକୁ ଆସି ଗାଳି ଖାଇ ପଳାଇଲା । ଚଉକିଟାଏ ଟାଣି ନେଇ ବାରଣ୍ଡାର ଗୋଟାଏ ପାଖରେ ଗୁରୁ ଗମ୍ଭୀର ମୁହଁ କରି ବସି ରହିଲେ ଶୁଭଙ୍କର ।

 

କିଛି ସମୟ ପରେ ସୁସ୍ମିତା ଫେରିଲା ଗୋଟାଏ ଜିପ୍‌ରେ ଅନ୍ୟ କେତେଜଣଙ୍କ ସହ । ସେମାନେ ବାହାରେ ବିଦାୟ ନେଇ ଗଲେ । ସୁସ୍ମିତା ଘର ଭିତରକୁ ପଶି ଦେଖିଲା ଶୁଭଙ୍କର ବସିଛନ୍ତି ଗମ୍ଭୀର ମୁଖରେ । ସୁସ୍ମିତାର ଚିର ହାସ୍ୟବଦନରେ, ଗୋଟାଏ ଝଲକ ବିଦ୍ୟୁତ୍‌ ଖେଳିଗଲା-। ଅଭିମାନ ଭାଙ୍ଗିବାକୁ ଉଦ୍ୟତ ହେବା ପୂର୍ବରୁ ଶୁଭଙ୍କର ଗର୍ଜି ଉଠିଲେ—

 

‘‘ତୁମେ କାହିଁକି କେତେଗୁଡ଼ାଏ ଛତରାଙ୍କ ସହିତ ଘୂରି ବୁଲ ? ତୁମେ ବାହାରକୁ ଏତେ ଯାଅ କାହିଁକି ଘରର କାମ ଛାଡ଼ି ? ମୁଁ ତୁମ ଯୋଗୁ ବାହାରେ ଲଜ୍ଜିତ ହେବି, ଅପଦସ୍ଥ ହେବି, ଅପମାନିତ ହେବି ? ବାହାରେ ତୁମ ନାଁରେ ଲୋକେ କୁତ୍ସା ରଟନା କରି ବୁଲୁଛନ୍ତି । ତୁମେ ହିଁ ତାଙ୍କୁ ସୁଯୋଗ ଦେଉଛ ।’’

 

ସୁସ୍ମିତା ଆଶ୍ଚର୍ଯ୍ୟ, ସ୍ତମ୍ଭୀଭୂତ । ଏ ଶୁଭଙ୍କରଙ୍କ ସହିତ ତାର କେବେ ପରିଚୟ ଘଟି ନ ଥିଲା । ଯେଉଁ ଶୁଭଙ୍କରଙ୍କ ସହିତ ତାର ବିଗତ ପାଞ୍ଚବର୍ଷର ପ୍ରତ୍ୟେକଟି ମୁହୂର୍ତ୍ତ ଗୁନ୍ଥା ହୋଇଥିଲା, ଏ ସେ ଶୁଭଙ୍କର ନୁହନ୍ତି । ହଠାତ୍‌ ତାଙ୍କରି ଏପରି ପରିବର୍ତ୍ତନର କାରଣ ସେ ବୁଝି ପାରିଲା ନାହିଁ । ସୁସ୍ମିତା ଚିରଦିନ କୋମଳ-ଭାଷିଣୀ । ତାର ନମ୍ର ଚାହାଣି ଓ କମ୍ରବାଣୀରେ ସମସ୍ତେ ଆପ୍ୟାୟିତ । ତଥାପି ତାରି ଆଜି ଏ ଦଶା । ସେ ପାଖକୁ ଯାଇ, ନିଜର ଦୁଶ୍ଚିନ୍ତାକୁ ଦୂରକରି, ପଚାରିଲା ଧୀର କଣ୍ଠରେ—

 

‘‘ହଠାତ୍‌ ତମେ ଆଜି ଏପରି ଭୟଙ୍କର ହୋଇ ଉଠିଛ କାହିଁକି ? ଅଫିସ୍‌ରୁ ଫେରି ମୁହଁ ନ ଧୋଇ, ନ ଖାଇ ଏ କଣ ପାଗଳାମି ଆରମ୍ଭ କରିଛ ? ଲୋକେ ଶୁଣିଲେ କଣ କହିବେ ? ଚାକର ପୂଜାରୀ ତଟସ୍ଥ ହୋଇ ଠିଆ ହୋଇଛନ୍ତି । ଛି, ଭିତରକୁ ଚାଲ । ଖାଇସାର, ମୋତେ ଯାହା କହିବ, ସବୁ ଶୁଣିବି, ସବୁ ମାନିବି ।

 

ଶୁଭଙ୍କରଙ୍କ ପିତ୍ତ କମି ଆସିଥିଲା, କିମ୍ୱା କୋମଳତା ତାଙ୍କ ନିଷ୍ଠୁର ନିର୍ମମ ପ୍ରାଣକୁ ସ୍ପର୍ଶକରି ତରଳାଇବାକୁ ଆରମ୍ଭ କରିଥିଲା । ସେ ଆଉ ଦ୍ୱରୁକ୍ତି ନ କରି ସିଧା ଗାଧୁଆଘରକୁ ବାହାରିଲେ । କିଛି ସମୟ ପରେ ଫେରି ଦେଖିଲେ ଖାଇବା ଘରେ ଟେବୁଲ ଉପରେ ଖାଇବା ସାମଗ୍ରୀ ସୁସଜ୍ଜିତ ଭାବରେ ଥୁଆ ହୋଇଛି ଓ ସୁସ୍ମିତା ବାହାରର ବେଶ ପରିବର୍ତ୍ତନ କରି ସ୍ମିତ ବଦନରେ ତାଙ୍କୁ ଅପେକ୍ଷା କରିଛି । ପେଟ ତ ଜଳୁଥିଲା, ନୀରବରେ ସେତକ ଉଦରସ୍ଥ କରି ଶୁଭଙ୍କର କିଞ୍ଚିତ ଆଶ୍ୱସ୍ତ ହେଲେ ।

 

ସନ୍ଧ୍ୟା ହୋଇ ଆସିଥିଲା । ସେଦିନ ଶୁଭଙ୍କର ଆଉ କ୍ଲବକୁ ଗଲେ ନାହିଁ । ନିଜ ସ୍ତ୍ରୀ ସହିତ ଆପୋଷ ମିଳାମିଶା କରିବାକୁ ବାହାରିଲେ । ଛାତରେ ବସି ଶୁଭଙ୍କର କହିଲେ-

 

‘‘ସୁସ୍ମିତା, ତୁମ ପ୍ରତି ଆଜି ଯେ ନିଷ୍ଠୁର ବ୍ୟବହାର କରିଛି ସେଥିପାଇଁ ମୁଁ ଖୁବ୍‌ ଦୁଃଖିତ, କିନ୍ତୁ କଣ କରିବି କହିଲ ? ଅଫିସରେ ସମସ୍ତେ ସରୋଜ ଓ ତୁମ ବିଷୟ ନେଇ କଥା ହେଉଛନ୍ତି । ସରକାରୀ ଜିପ୍‌ ତୁମ ଜିପ୍‌, ତୁମେ ସରକାରଙ୍କର । ଦେଶ ସେବା ନାଁ ରେ ମଣିଷ ସେବା—ଆହୁରି କେତେ କଣ । ସେ–ସବୁ ଶୁଣି ମୁଁ ନିଜକୁ ସ୍ଥିର ରଖି ପାରିଲିନାହିଁ । ତୁମେ ଏସବୁ ଛାଡ଼ିଯାଅ, ସ୍ମିତା-।’’

 

ସୁସ୍ମିତା କଥାଗୁଡ଼ାକ ଠିକଭାବରେ ବୁଝି ପାରୁ ନ ଥିଲା । ସରୋଜ ତାରି ସମ୍ପର୍କ ଦିଅର, ତା ନାଁ ସହିତ ନିଜ ନାମର ସଂଯୋଗ । ଯେ ଜୀବନର ପ୍ରତିଟି ମୁହୂର୍ତ୍ତ ଦେଇଛି ପର ସେବାରେ, ଯାହାର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ସେହି ଅନୁନ୍ନତଙ୍କ ଉନ୍ନତି କଳ୍ପେ ଦତ୍ତ; ସେହି ଦେବୋପମ ସରୋଜ ସହିତ ତା ନାଁ । ହାୟ ଭଗବାନ୍‌, ତମେ ଏ କଣ କଲ ? ଏକଥା ଶୁଣିବା ପୂର୍ବରୁ ସୁସ୍ମିତାର ମୃତ୍ୟୁ ନ ହେଲା କିପରି ?

 

ସୁସ୍ମିତାକୁ ଚିନ୍ତିତ ଦେଖି ଶୁଭଙ୍କର ନିଜ ଆଡ଼କୁ ଢଳାଇ ନେଲେ । ଅତି କୋମଳକଣ୍ଠରେ ତାଙ୍କର କଣ୍ଠଲଗ୍ନାକୁ କହିଲେ–

 

‘‘କଣ ଭାବୁଛ, ସ୍ମିତା ? ତୁମେ କିଛି ନ କହିଲେ ଯେ ହେବ ନାହିଁ । ଲୋକଙ୍କ ମୁହଁକୁ ଆମେ ବନ୍ଦ କରି ପାରିବା ନାହିଁ ସତ, କିନ୍ତୁ ତାଙ୍କୁ ସେ ସୁଯୋଗ ନ ଦେଲେ ହେଲା । ତୁମେ ଲଳିତ ସହିତ କାମ ନ କରି ସରୋଜ ସହିତ ମିଶିଲ ବୋଲି ତାର ଏ ଆପତ୍ତି, କୁତ୍ସାରଟନା ମୁଁ ଜାଣ; ତଥାପି ଲୋକେ କହିବାକୁ ଛାଡ଼ୁନାହାନ୍ତି । ଖାଲି ସେତିକି ନୁହେଁ, ସେ ଧମକ ଦେଇଛି ଦେଖିନେବ ଆମକୁ ।’’

 

ସବୁ ଶୁଣି ସୁସ୍ମିତା ଟିକିଏ ସ୍ମିତ ହସ ଖେଳାଇ କହିଲା—‘ଲଳିତବାବୁଙ୍କ କଥା ସବୁ ସବୁ ଶୁଣିଲି । ସରୋଜବାବୁଙ୍କ ସହିତ ମୁଁ ଯୋଗ ଦେବା ପରେ ଆମ ସଂଘ ସରକାରୀ ଜିପ୍‌ ଓ ଅର୍ଥ ସାହାଯ୍ୟ ପାଇଛି, ତାହା ତାଙ୍କ ଆକ୍ରୋଶର ପ୍ରଧାନ କାରଣ । ଦ୍ୱିତୀୟ କାରଣ ହେଲା ପ୍ରାୟ ସବୁ ନାରୀ-ସେବା-ସଂଘର ମହିଳାମାନେ ଏଥିରେ ଯୋଗ ଦେଇଛନ୍ତି । ଲୋକଙ୍କ ସହାନୁଭୂତି ଯଥେଷ୍ଟ ପାଉଛି ସଂଘ ଓ ଗୋଟିଏ ବାଳିକା-ବିଦ୍ୟାଳୟ ଅଚିରେ ହେବାର ପ୍ରଚେଷ୍ଟା ଚାଲିଛି ।’’ —ଟିକିଏ ନୀରବ ରହି ପୁଣି କହିଲା-‘‘ଏତିକି ବେଳେ ମତେ ତୁମେ କହୁଛ ଛାଡ଼ି ଦେବାକୁ ? ତାର ବାର୍ଷିକ ଅଧିବେଶନ ହେବ ଆଉ ଛ’ ଦିନ ପରେ, ଛାଡ଼ିବି କିପରି କହିଲ ? ଯଦି ତୁମେ ଚାହ ଏଥିରେ ମୁଁ ଯୋଗ ନ ଦେବାକୁ, ତେବେ ତା ପରେ ମୁଁ ଏଥିରୁ ଆଡ଼େଇ ହୋଇ ରହିବି ।’’

 

ଗଳା ତାର ଭାରି ହୋଇ ଆସିଲା, ସତେ ଯେପରି କୋହକୁ ବହୁ କଷ୍ଟରେ ଚାପି ଦେବାର ଚେଷ୍ଟାରେ ନିଜକୁ ସଂକୁଚିତ କରୁଛି ।

 

ଶୁଭଙ୍କରଙ୍କ ଚିତ୍ତ ଦ୍ରବୀଭୂତ ହେଲା, ତଥାପି ନିଜର ମାନ ବଜାୟ ରଖିବା ଚେଷ୍ଟାରୁ ବିରତ ହେଲେନାହିଁ । ସୁସ୍ମିତା କିଛି ଖରାପ କାମ କରୁନାହିଁ ସତ, ତଥାପି ତାଙ୍କର ପୁରୁଷ-ଚିତ୍ତ ଲଳିତ କଥାରେ ଆହତ ହୋଇଥିଲା । ସେ କହିଲେ—

 

‘‘ନା ସୁସ୍ମିତା, ତୁମେ ଆଉ ଯାଅ ନାହିଁ, ଯାହା କରିବାର ସେମାନେ କରନ୍ତୁ । ତୁମକୁ କଷ୍ଟ ହେବ ଜାଣେ, ତଥାପି ମୁଁ ଯେ କେତେ ବାଧ୍ୟ ହୋଇ ତୁମକୁ ଏ ପଥରୁ ଅପସରି ଯିବାକୁ କହୁଛି, ତୁମେ ବୁଝି ପାରିବ ନାହିଁ । ଛାତି ମୋର ପଥର କରିଛି ସ୍ମିତା । ତମେ କଣ ବୁଝି ପାରିବ ?’’

 

ସୁସ୍ମିତା ଚମକି ଉଠିଲା ଶୁଭଙ୍କରଙ୍କ କଥା ଶୁଣି । କିନ୍ତୁ ଏ କି ନିର୍ମମ ଆଦେଶ । ଯାହାକୁ ସେ ନିଜର ସମସ୍ତ ଶକ୍ତି, ସାମର୍ଥ୍ୟ ଦେଇ ଦିନ ପରେ ଦିନ ବଢ଼ାଇବାରେ ଲାଗିଛି, ଯାହା ବିଷୟରେ ଆଶା ଓ ଆକାଙ୍‌କ୍ଷାର ବଡ଼ଦେଉଳ ତୋଳିଛି, ନିଜ ହାତରେ ତାହାରି ସମାଧି ତୋଳିବ ? ନିଜେ ତାର ସମସ୍ତ ଭାର ନେଇଛି ସେହି ଦିନୁ, ଯେଉଁଦିନ ସେ ହରିଜନ ବସ୍ତିର ଲଳିତା ନାମ୍ନୀ ଝିଅଟି ଆସି ନିଜର ଓ ଅନ୍ୟମାନଙ୍କର ପଢ଼ିବାର ଆକାଙ୍‌କ୍ଷା ଜଣାଇ କହିଥିଲା-‘‘ନିରନ୍ନ ମୁହଁରେ ଶିକ୍ଷାର ଉଚ୍ଚଆଶା ପ୍ରଳାପ ମାତ୍ର । ତଥାପି ଆପଣଙ୍କ ଦୟାରେ ଆମେ ସେତିକି ପାଇଲେ ଶାଗ, ପେଜ ଖାଇ, ଚୀରାକନା ପିନ୍ଧି ପଢ଼ିବାର ଚେଷ୍ଟା କରିବୁ, ମା । ସରସ୍ୱତୀ ଆପଣମାନଙ୍କୁ ଆଖି ଦେଇଛନ୍ତି । ଆପଣ ଆମକୁ ଚକ୍ଷୁଦାନ କରନ୍ତୁ ।’’

 

ତାର ସେ କଥାରେ ସୁସ୍ମିତାର ତାଳୁରୁ ତଳିପା ଯାଏ ଥରି ଉଠିଥିଲା । ଏ କି ନିଷ୍ଠା, କି ଆଗ୍ରହ ସାମାନ୍ୟ ହରିଜନ କନ୍ୟାର । ପୂର୍ବର ଗାର୍ଗୀ, ମୈତ୍ରେୟୀ କଣ ଫେରି ଆସିଲେ ନୀଚକୁଳରେ ଉଚ୍ଚ-ଆଶା ନେଇ ? ସେହି ଦିନଠାରୁ ସେ ପ୍ରତିଜ୍ଞାବଦ୍ଧ ହେଲା, ତାଙ୍କ ପାଇଁ ବିଦ୍ୟାପୀଠ କରିବ, ଦେଖାଶୁଣା ସେ ନିଜେ କରିବ । କିନ୍ତୁ ଆଜି ବିଧାତାର ନିଷ୍ଠୁର ଉପହାସରେ ତାକୁ ଅପସରି ଯିବାକୁ । ଆଦେଶ ମିଳୁଛି ।

 

ଶୁଭଙ୍କର ସୁସ୍ମିତାକୁ ନୀରବ ରହିବାର ଦେଖି ପଚାରିଲେ—‘‘କଣ ହେଲା, କହ ?’’

 

ସୁସ୍ମିତା—‘‘ମୁଁ ଏବେ ଛାଡ଼ି ପାରୁନି । ସ୍କୁଲଟି କରିବାପାଇଁ ମୁଁ ପ୍ରତିଜ୍ଞାବଦ୍ଧ ହୋଇଛି । ମତେ ଆଉ ଦୁଇ ମାସ ସମୟ ଦିଅ । ସେତିକି ଦିନ ଭିତରେ ମୁଁ ଆପ୍ରାଣ ଚେଷ୍ଟାକରି ତାକୁ ଠିଆ କରାଇ ଚାଲି ଆସିବ ।’’

 

ଶୁଭଙ୍କରଙ୍କ ପିତ୍ତ ପୁଣି ଥରେ ତେଜି ଉଠିଲା । କାରଣଟା ହେଲା ସୁସ୍ମିତା ତାଙ୍କ କଥା ନ ଶୁଣି ପ୍ରତିଜ୍ଞାକୁ ବଡ଼ କରି ଧରି ବସିଛି । ସେ କହିଲେ—

 

‘‘ଶୁଣ ସ୍ମିତା, ମୋ କଥା ଶୁଣିବା ତମର ପ୍ରଧାନ କର୍ତ୍ତବ୍ୟ; ସେ କଥା ଭୁଲି ଯାଉଛ ? ନାରୀର ପ୍ରଧାନ କର୍ତ୍ତବ୍ୟ ଗୃହରେ—‘ଗୃହିଣୀ-ଗୃହ-ମୁଚ୍ୟତେ’ । କଣ ପୁଣି ‘ପତିରେକ ଗୁରୁଃ ସ୍ତ୍ରୀଣା’ କଥାଟା ଭୁଲିଲେ ? ତୁମେ ତାକୁ ଛାଡ଼ିବ, ନ ହେଲେ ଛାଡ଼ିବ ମତେ—ଏ ମୋର ଶେଷ କଥା ।’’

 

ହଠାତ୍‌ ବିନାମେଘରେ ବଜ୍ରପାତ ହେଲା ସୁସ୍ମିତା ମୁଣ୍ଡ ଉପରେ । ସେ ଏପରି କିଛି ଅନ୍ୟାୟ କରି ନାହିଁ, ଅଥଚ ତା ପ୍ରତି ଏ ନିଷ୍ଠୁର ଆଦେଶ । ସେ କାମ ସାରି ରହିଯିବ ବୋଲି କହୁଥିଲା, କିନ୍ତୁ ଏ କଣ ହେଲା ? ସୁସ୍ମିତା ପୁଣି ଥରେ ବୁଝାଇବାକୁ ଚେଷ୍ଟା କରି କହିଲା-‘‘ଧନଟି ପରା, ଏପରି ନିର୍ମମ ଆଦେଶ କର ନାହିଁ । କଥାଟା ବୁଝ, ପ୍ରତିଜ୍ଞା ରଖିବା ଉଚିତ—ତମେ ନିଜେ କହିଛ ପରା ।’’

 

ଶୁଭଙ୍କର ମୁହଁଟାକୁ ଫଣ ଫଣ କହିଲେ—‘‘ନା, ତା ହୋଇ ପାରିବ ନାହିଁ । ତୁମକୁ ଏହା ଛାଡ଼ିବାକୁ ହେବ । ଆଉ ଦିନକ ପାଇଁ ତମେ ଏଥିରେ ଯୋଗ ଦେଇ ପାରିବନାହିଁ ।’’

 

ସୁସ୍ମିତା ଟିକିଏ କଠୋର ଆସିଲା ଶୁଭଙ୍କରଙ୍କ ଏପରି ପରିବର୍ତ୍ତନରେ । କହିଲା–‘‘ମତେ ଯେ ଯିବାକୁ ହେବ, ମୁଁ କଥା ଦେଇଛି । ଛ ଦିନ ପରେ ବାର୍ଷିକ ସଭା । ମୁଁ ନ ଗଲେ ଚଳିବ କିପରି ?’’

 

ଶୁଭଙ୍କରଙ୍କ ମୁଖ-ମଣ୍ଡଳ ଅନ୍ଧକାରାଚ୍ଛନ୍ନ ହୋଇଗଲା । ହଠାତ୍‌ ତାଙ୍କ ହୃଦୟର ପ୍ରଶାନ୍ତ ଆକାଶରେ ଆଜି ଏ କି ଧୂମକେତୁର ଆବିର୍ଭାବ । ସୁସ୍ମିତା ତାଙ୍କୁ କେବେ ଅମାନ୍ୟ କରେ ନାହିଁ । ଏପରି ହେଲା କାହିଁକି ? ତେବେ କଣ ଲଳିତ... । ନା ନା, ସେ ଏ କଣ ଭାବୁଛନ୍ତି ତାଙ୍କର ଧର୍ମପତ୍ନୀ, ପ୍ରିୟତମା ବିଷୟରେ ? ତଥାପି ତାଙ୍କର ଜିଦ୍‌ ବଢ଼ି ଚାଲିଲା । ସେ ଗର୍ଜନକରି କହି ଉଠିଲେ–

 

ଶୁଣ ସ୍ମିତା । ତମର ସ୍ଥାନ ଆଉ ଏଠାରେ ନାହିଁ । ଆମ ସହିତ ସମସ୍ତ ସମ୍ପର୍କ ବିଚ୍ଛେଦ କରି ଯାଅ, ନିଜର ପ୍ରତିଜ୍ଞା ପାଳନ କର ।’’ ଏତିକି କହି ସେ ଚଞ୍ଚଳ ପଦକ୍ଷେପରେ ଘରୁ ଚାଲିଗଲେ-

 

ସୁସ୍ମିତା ଶେଷ କଥା ତକ ଶୁଣି ପାରିଲା ନାହିଁ । ପତନୋନ୍ମୁଖ ଶରୀରକୁ ସମ୍ମୁଖସ୍ଥ ଟେବୁଲରେ ଭରାଦେଇ ରହିଗଲା । ଆଖିରୁ ଝରି ପଡ଼ିଲା ଅଜସ୍ର ମୁକ୍ତାବିନ୍ଦୁ । ଏ କି ସମସ୍ୟା । ସ୍ୱାମୀ ତାକୁ ସ୍ପଷ୍ଟ କହିଛନ୍ତି, ତାର ସ୍ଥାନ ଆଉ ଏଠାରେ ନାହିଁ । ତେବେ ତା ପାଇଁ ସ୍ଥାନ କେଉଁଠି ? ସେ କଣ ପିତୃଗୃହକୁ ଫେରିଯିବ ? ସେଠାକୁ ଯିବ ବା କିପରି? ଯେଉଁଠି ସେ ନିଜର ଗୃହ, ସ୍ୱାମୀ, ପୁତ୍ରର ଗର୍ବ କରିଛି—ସେଠାରୁ କଣ ସେ ଯିବ ନିଜର ନିର୍ଲ୍ଲଜ ମୁହଁ ଦେଖାଇବାକୁ ? ତେବେ କଣ ଆତ୍ମହତ୍ୟା ? ନା, ନା, ସେ ପାପଠାରୁ ବଳି ପାପ ନାହିଁ । ତାହାହେଲେ କଣ ଚାଲିଯିବ ଘର ଛାଡ଼ି-? ଅତି ଆଦରର ଏ ସୋହାଗ-ସଂସାର ତାର, ଆଜି କାହାର ଅଭିଶାପରେ ଛାରଖାର ହେଉଛି-?

 

ଆଉ ଭାବି ପାରିଲା ନାହିଁ ସୁସ୍ମିତା । ନିଜ ଶୟନକକ୍ଷକୁ ଯାଇ ଦୁଆର ବନ୍ଦକରି, ତକିଆରେ ମୁହଁ ଗୁଞ୍ଜିଦେଲା । କଇଁ କଇଁ ହୋଇ କାନ୍ଦ ଉଠିଲା ଅକୁହା କୋହକୁ ସମ୍ଭାଳି ନ ପାରି । କେତେ ସମୟ ସେ ଏପରି ପଡ଼ି ରହିଲା କେଜାଣି, ଯେତେବେଳେ ତାର ବାହ୍ୟଜ୍ଞାନ ଫେରି ଆସିଲା, ଦେଖିଲା ଚାରିଆଡ଼ ଅନ୍ଧାର । ସମସ୍ତେ ଶୋଇଲେଣି । ନିଜର ଶୟନକକ୍ଷରେ ଶୁଭଙ୍କର ସୁପ୍ତ । ସେ ଆଜି ଅଭୁକ୍ତା, ଏକଥା ଜାଣି ମଧ୍ୟ ଶୁଭଙ୍କର ଶୋଇ ପାରିଲେ ? ନା, ତେବେ ଆଉ ଏଠାରେ ନୁହେଁ । ଦୂର, ବହୁଦୂରକୁ ଅପସରି ଯିବାକୁ ହେବ । ସ୍ୱାମୀଙ୍କ ନାମ ଚିରଉଜ୍ଜ୍ୱଳ ରହୁ । ମନେ ପଡ଼ିଲା ଏକମାତ୍ର ଆତ୍ମଜ ଜ୍ୟୋତି-? ଜ୍ୟୋତିକୁ ଛାଡ଼ିଯିବ କିପରି ତାର ମାତୃ-ପ୍ରାଣ ? ଜ୍ୟୋତି ତ ପାଖରେ ନାହିଁ କାହିଁକି ? ତେବେ କଣ ଜ୍ୟୋତିକୁ ପାଖରେ ରଖି ଶୁଭଙ୍କର ସୁସ୍ମିତାକୁ....-? ନା, ଆଉ ନିଷ୍ଠୁରତାର ଚିତ୍ର ସେ ଦେଖି ପାରିବ ନାହିଁ । ମନେ ପଡ଼ିଲା-ଦିନେ ରଘୁନନ୍ଦନ ଏହିପରି ଜନକତନୟାଙ୍କୁ ନିର୍ବାସନ ଦେଇ-ଥିଲେ ପ୍ରଜାର କଟୁକଥା ଶୁଣି । ଆଜି ତାର ଭାଗ୍ୟ-ବିଧାତା ସମ୍ଭବତଃ ସେହି କଥାର ପୁନରାବୃତ୍ତି କଲେ ।

 

ରାତି ସେତେବେଳକୁ ସାଢ଼େ-ଏଗାର । ଗୋଟାଏ ବେଳେ ମେଲ୍‍ ଯାଏ କଟକ ବାଟରେ । ସସ୍ମିତା ଉଠି ବସିଲା, ଲୁହ ପୋଛି ହୃଦୟକୁ କଠିନ କଲା । ସ୍ଥିର କଲା, ସେ ଚାଲିଯିବ ସେହି ସ୍ୱର୍ଗୀୟ ଭୁବନକୁ ଯେଉଁଠି ନାହିଁ ଲୋକାପବାଦ ଓ ନୀଚସ୍ୱାର୍ଥ । ତର-ତରରେ ନିଜର ସାମାନ୍ୟ କେତେଖଣ୍ଡ ଲୁଗା ପଟା ସଜ୍ଜିତ କରି ଗୋଟାଏ ସୁଟ କେଶ୍‌ହାତରେ ଧରି ବାହାରି ପଡ଼ିଲା-। ଯିବା ପୂର୍ବରୁ ଶୁଭଙ୍କରଙ୍କ ରୁଦ୍ଧଦ୍ୱାର ନିକଟରେ ନୀରବରେ ଦୁଇଟି ମୁହୂର୍ତ୍ତ ଠିଆ ହୋଇ କଣ ଭାବିଲା କେଜାଣି, ଆଖିରେ ଲୁହ ହେଲା ଭରପୂର । ଭିତରୁ ତାର ଖାଲି କୋହ ଉଠିଲା । ମନର ଜୋର୍‌ରେ ସବୁ ଚାପି ଧୀରେ ଧୀରେ ଓହ୍ଲାଇ ଗଲା । ଫାଟକ ପାଖରେ ଡ୍ରାଇଭର ତା ଘରକୁ ସେଦିନ ଟିକିଏ ବିଳମ୍ୱରେ ଯାଉଥିଲା । ସୁସ୍ମିତା ଡାକିବି କି ନାହିଁ ଭାବୁ ଭାବୁ ଡ୍ରାଇଭର ତା ନିକଟରେ ନୀରବରେ ଠିଆ ହେଲା । ଇଙ୍ଗିତରୁ ସୁସ୍ମିତା ବୁଝି ପାରିଲା, ସିଦ୍ଧାର୍ଥ ଛନ୍ଦକ ସାହାଯ୍ୟରେ ଗୃହତ୍ୟାଗୀ ହେଲାପରି ତାକୁ ମଧ୍ୟ ଡ୍ରାଇଭର ସାହାଯ୍ୟରେ ମଟରରେ ଯିବାକୁ ହେବ । କିଛି ନ କହି ଗାଡ଼ି ଆଣି ଡ୍ରାଇଭର ଠିଆ ହେଲା । ସୁସ୍ମିତା ଚିରଦିନ ଲାଗି ଘରକୁ ଚାହିଁ ହୃଦୟ ଦେବତା ଓ ପ୍ରାଣର ଜ୍ୟୋତିଠାରୁ ବିଦାୟ ନେଲା । ମଟର ଚାଲିଲା । ଗୋଟିଏ ରାତିରେ କି ବିରାଟ ପରିବର୍ତ୍ତନ ଘଟିଗଲା, ଶୁଭଙ୍କର କଣ ଜାଣିଲେ ? ଅନ୍ଧକାରରେ ମିଳାଇ ଗଲା ସୁସ୍ମିତା ।

 

ଷ୍ଟେସନରେ ପହଞ୍ଚି ଦେଖେ ତ ଗାଡ଼ି ଠିଆ ହୋଇଛି । ତର ତର ହୋଇ ପ୍ରଥମ ଶ୍ରେଣୀର ଟିକଟ ଖଣ୍ଡିଏ କାଟି ଆଣିଲା ଡ୍ରାଇଭର । ସୁସ୍ମିତା ଟ୍ରେନରେ ଚଢ଼ି ଗଲାବେଳେ ଦେଇଗଲା ଟୁକୁରା କାଗଜ ଓ ପାଞ୍ଚ ଟଙ୍କାର ନୋଟଟିଏ । ଡ୍ରାଇଭର ବିନମ୍ର ନମସ୍କାରଟିଏ ଜଣାଇ ଆଗେଇ ଗଲା । ଗାଡ଼ି ଚାଲିଲା କଟକରୁ ଉତ୍ତରକୁ ।

 

ତା ପରଦିନ ସକାଳୁ ଶୁଭଙ୍କରଙ୍କ ନିଦ ଭାଙ୍ଗିଲା ମାତ୍ରେ ପ୍ରଥମ ମନେ ପଡ଼ିଲା ସୁସ୍ମିତା । ପୂର୍ବରାତ୍ରର ଘଟଣା ମନେ ପଡ଼ି ଚିତ୍ତ ହେଲା ବ୍ୟାକୁଳ । କାଲିର ରାଗ ରୂପାନ୍ତରିତ ହୋଇଛି ଅନୁରାଗରେ । ସେ ତର ତର ହୋଇ ଆସିଲେ ସୁସ୍ମିତାର ଶୟନ-କକ୍ଷକୁ । ଦୁଆର ମୁକୁଳା । ତେବେ କଣ ସୁସ୍ମିତା ଗାଧୋଇ ଗଲାଣି ଏତେ ସକାଳୁ ? ମନେ ମନେ ଠିକ୍‌ କରିଥିଲେ ସୁସ୍ମିତାର ଅଭିମାନ ଭାଙ୍ଗି ଦେବେ, ସଭାକୁ ଯିବାକୁ କହିବେ । କିଛି ସମୟ ଗାଧୁଆଘର ବାହାରେ ଅପେକ୍ଷା କରି ରହିଲେ । ଡ୍ରାଇଭର ଆସି ଟୁକୁରା କାଗଜ ଖଣ୍ଡିକ ଦେଲା । ଶୁଭଙ୍କର ଖୋଲି ପଢ଼ିଲେ । ପଢ଼ୁ ପଢ଼ୁ ମୁଖ ବିବର୍ଣ୍ଣ, ତଳେ ପଡ଼ି ଯାଉ ଯାଉ ଧରି ପକାଇଲେ ଚଉକିକୁ । ସୁସ୍ମିତା ଲେଖିଛି—

 

ଅଭିନ୍ନ ଆତ୍ମନ୍‌,

 

ମୁଁ ଚାଲି ଯାଉଛି ଦୂରକୁ, ବହୁଦୂରକୁ । ଏ ଜନ୍ମରେ ଆଉ ଦେଖା ହେବାର ଆଶା ନାହିଁ । ମତେ କ୍ଷମା କରିବ । ଜ୍ୟୋତି ଚିରଦିନ ଜ୍ୟୋତିର୍ମୟ ହେଉ, ଏତିକି ପ୍ରାର୍ଥନା ।

 

ତୁମରି

ଅଭାଗିନୀ

-ସୁସ୍ମିତା-

 

‘‘ପାଷାଣି, ତୁ ଏ କଣ କଲୁ ? ମୁଁ ଯେ ଆସିଥିଲି ତତେ ସବୁ ଅଧିକାର ଦେବାକୁ । ଏପରି ଭାବରେ ମୁହଁ ମୋଡ଼ି ଅଭିମାନିନୀ ନିଜର ମାନ ରଖିଲୁ । ମୁଁ ଯେ ତୋରି କିଙ୍କର, ସାମାନ୍ୟ ଶିଶିର ବିନ୍ଦୁକୁ ତୁ ମାର୍ତ୍ତଣ୍ଡର ପ୍ରଚଣ୍ଡ ତାପଦ୍ୱାରା ଶୁଖାଇ ଦେବାକୁ ବସିଲୁ । ସୁସ୍ମିତା, ରାଣୀମୋର, ଫେରିଆ, ଫେରିଆ-’’ ଏହା କହି ଶୁଭଙ୍କର ବାତୁଳଙ୍କ ପରି ମୁଣ୍ଡ ପିଟିବାରେ ଲାଗିଲେ । ଜ୍ୟୋତିକୁ କୁଣ୍ଢାଇ ସେ କାନ୍ଦି ଅସ୍ଥିର ହେଲେ, ଶିଶୁ ସମ୍ଭାଳି ନ ପାରି ତୁହାଇ ‘ମା’ ‘ମା’ ବୋଲି ପାଟି କଲା । ନିଜକୁ ପ୍ରକୃତିସ୍ଥ କରିବାକୁ ସେ ସେଠାରୁ ଉଠି ଆଗେଇଲେ ଶୋଇବା ଘରକୁ–କିନ୍ତୁ ଦେଖିଲେ ଯାହା ଯେଉଁଠି ରହିବାର ରହିଛି, ଖାଲି ନାହିଁ ପ୍ରାଣର ସୁସ୍ମିତା । ଘର ତାଙ୍କୁ ଶ୍ମଶାନବତ୍‌ ମନେ ହେଲା । ସେ ଘରେ ମୁହଁ ମାଡ଼ି ଶୋଇ ରହିଲେ ଦିନସାରା ଅନ୍ୟ କେଉଁଆଡ଼େ ନ ଯାଇ ।

 

ସୁସ୍ମିତା ସେ ଦିନ ମେଲ୍‌ରେ ଯାଇ ହାଉଡ଼ା ଷ୍ଟେସନରେ ପହଞ୍ଚି ନିଜକୁ ବଡ଼ ଏକାକିନୀ ବୋଧକଲା । ଜୀବନରେ ତାର ଏହି ପ୍ରଥମ ଶୁଭଙ୍କରଙ୍କ ବିନା ଯାତ୍ରା କରିବା । କୁଆଡ଼େ ଯିବ କିଛି ସ୍ଥିର କରି ନ ଥିଲା । ଗୋଟାଏ ଜିଦ୍‌ ଯେ ତାକୁ ଘରଛଡ଼ା କରିଛି, ସେ ତାକୁ କେତେଦୂର ନେବ କେଜାଣି । ଚଳଚ୍ଚିତ୍ର ପରି ଆଖି ଆଗରେ ନାଚି ଉଠିଲେ ଶୁଭଙ୍କର ଆଉ ଜ୍ୟୋତି । ନା, ଆଉ ନୁହେଁ–ସେ ଟିକଟ ଖଣ୍ଡିଏ କାଟିଲା ହୃଷୀକେଶ । ତାର ଏ ଯାତ୍ରା ସୀତାଙ୍କ ପରି ଏକାକୀ ‘ବାଲ୍ମୀକି ଆଶ୍ରମ’ ପ୍ରତି । ଦୁଇଦିନ ପରେ ହରିଦ୍ୱାରରେ ପହଞ୍ଚିଲା । ସେତେବେଳକୁ ସେ ନିଜକୁ କିଞ୍ଚିତ୍‌ ପ୍ରକୃତିସ୍ଥ କରି ସାରିଛି । ନିଜର ମନୋବଳ, ଆତ୍ମ-ବିଶ୍ୱାସ ତାକୁ ଚିରଦିନ ସତ୍‌ମାର୍ଗରେ ଚଳାଇ ଆଣିଛି । ହରିଦ୍ୱାରର ସ୍ୱର୍ଗୀୟ ମାଧୁରୀ ଦେଖି ସେ ଆଶ୍ୱସ୍ତା ହେଲା । ଅକଳନ ଦାନ ଏ ଅମରଭୂମିକୁ ବିଧାତାଙ୍କର । ସେଠାରୁ ବସ୍‌ଯୋଗେ ଯାଇ ପହଞ୍ଚିଲା ହୃଷୀକେଶରେ, ପ୍ରାୟ ମଧ୍ୟାହ୍ନରେ । ଅନେକ ପଣ୍ଡା ଭିତରୁ ଜଣେ ବୟୋବୃଦ୍ଧ ପଣ୍ଡାକୁ ଧରି ଗୋଟିଏ ଛୋଟ ବଖରା ଯୋଗାଡ଼ କଲା । ସେଠାରେ ସେ ନିଜର ସଂସାର କରି ବସିଲା, ପଣ୍ଡା ସାହାଯ୍ୟରେ ଗୋଟିଏ ଅନାଥିନୀ ବୃଦ୍ଧାକୁ ସାଙ୍ଗରେ ଧରି ।

ଶୁଭଙ୍କର ଦିନ ପରେ ଦିନ କଟାଇଲେ ମାତୃହୀନ ଜ୍ୟୋତିକୁ ଧରି । ଅନୁତାପ ତାଙ୍କ ଚିତ୍ତକୁ ଦଗ୍‌ଧ କରିବାରେ ଲାଗିଲା । ତଥାପି କର୍ତ୍ତବ୍ୟାନୁରୋଧରେ ଅଫିସ ଓ ଘର କରୁଥାନ୍ତି ପ୍ରତ୍ୟହ ଯନ୍ତ୍ରପରି । ପ୍ରେମ ଓ କର୍ତ୍ତବ୍ୟର ଦ୍ୱନ୍ଦ୍ୱ ମଧ୍ୟରେ ସେ ଦିନକୁ ଦିନ କ୍ଷୀଣ ହେଉଥାନ୍ତି । ଯେତେ ଖୋଜାଇ ସୁଦ୍ଧା ସୁସ୍ମିତାର ପତ୍ତା ପାଇଲେ ନାହିଁ । ସତେ ଅବା ଚିରଦିନ ଲାଗି ଅଭିମାନିନୀ ତାଙ୍କୁ ଛାଡ଼ି ଚାଲିଗଲା ।

ଏହି ଦ୍ୱନ୍ଦ ଭିତରେ ଥିଲାବେଳେ ଅଫିସ୍‌ରୁ ଆସିଲା ପରଓ୍ୟାନ ଦିଲ୍ଲୀ ଯିବାକୁ ହେବ । ଏହି ମର୍ମନ୍ତୁଦ ଯନ୍ତ୍ରଣାବେଳେ ବାହାରକୁ ଯିବା ତାଙ୍କୁ ବରଲାଭ ପରି ମନେହେଲା । ପରଦିନ ଜ୍ୟୋତିକୁ ତା ଆଈ ପାଖରେ ଛାଡ଼ି ସେ ବାହାରିଲେ ଦିଲ୍ଲୀ । ସେଠାରେ ପହଞ୍ଚି ଅଫିସ୍‌ର କାର୍ଯ୍ୟ ସମାପନ କରି ଆଗକୁ ଧାଇଁଲେ ସୁସ୍ମିତାର ଅନୁସନ୍ଧାନରେ ନିଜେ । ବାଟରେ ପ୍ରୟାଗ, ବାରଣାସୀ, ବୁଦ୍ଧଗୟା ଦେଇ ଆସିଥିଲେ, କାରଣ ସୁସ୍ମିତା ଚିରଦିନ ତୀର୍ଥ ଦର୍ଶନାଭିଳାଷିଣୀ ଥିଲା । ସେ ସବୁ ଜାଗାରେ ତାକୁ ନ ଯାଇ ତାଙ୍କ ଚଞ୍ଚଳ ମନ ଧାଇଁଲା ଆଗକୁ । ସେ ଚାଲିଲେ ହରଦ୍ୱାର, ହୃଷୀକେଶ ଓ ଲଛମନ୍‌ଝୋଲା । ସେଠାରେ ଖୋଜି ଖୋଜି ନ ପାଇ ହତାଶ ହୋଇ ପଡ଼ିଲେ । ଲଛମନ୍‌ଝୋଲାରୁ ଫେରିଲେ ଶୋକ ଜର୍ଜର ଚିତ୍ତରେ । ମନକୁ ପାପ ଛୁଇଁଲା-ସୁସ୍ମିତା ଜୀବନରେ ଅଛି ତ... ? କ୍ଷୀଣତମ ଆଶା ମନରୁ ଉଭେଇ ଗଲା ଧୀରେ ଧୀରେ ।

ହୃଷୀକେଶ ଆସି ଶିବାନନ୍ଦଙ୍କ ଆଶ୍ରମ ଦେଖିବା ପାଇଁ ତାଙ୍କର ଇଚ୍ଛା ନ ଥିଲେ ସୁଦ୍ଧା, ଆଶ୍ରମରେ ପହଞ୍ଚିଲେ ମୋହାଚ୍ଛନ୍ନ ଭାବରେ । ସେଦିନ ଥାଏ ‘ଗୁରୁ-ପୂର୍ଣ୍ଣିମା’ । ଆଶ୍ରମର ସବୁ ଆଡ଼ର ଶିଷ୍ୟ, ଶିଷ୍ୟା ଆସି ଗୁରୁଦେବଙ୍କ ପଦ-ବନ୍ଦନା କରି ଯାଉଥାନ୍ତି । ଆଶ୍ରମ ଜନ ସମାଗମରେ ପୂର୍ଣ୍ଣ । ଅତି କଷ୍ଟରେ ସେ ଭିଡ଼ ମଧ୍ୟରେ ଠେଲିପେଲି ଶୁଭଙ୍କର ଆଗେଇ ଚାଲିଲେ ଗୁରୁବନ୍ଦନାର କେନ୍ଦ୍ରସ୍ଥଳକୁ ।

ଜାନରଣ୍ୟ ଭିତରେ ‘ବନ୍ଦନା’ ସାରି ଫେରିବାବେଳେ ଛାତି ଥରାଇ ଦୀର୍ଘଶ୍ୱାସ ବାହାରୁ ଥାଏ । ହଠାତ୍‌ ସର୍ପାହତ ପରି ଚମକି ପଡ଼ିଲେ ଜଣେ କାହାକୁ ଦେଖି । ଯାହା ପାଇଁ ଏତେ ପ୍ରାର୍ଥନା, ସେ କଣ ଏତେ ନିକଟରେ ? ସୁସ୍ମିତା ଶୁଭଙ୍କରଙ୍କୁ ହଠାତ୍‌ ଦେଖିପାରି ଆଶ୍ଚର୍ଯ୍ୟ ହେଲା । ଏ ତା ଆଖିର ଦୁର୍ବଳତା ନୁହେଁ ତ ? ଶୁଭଙ୍କର ଏଠି, ଏମିତି ଭାବରେ.... ? ଆଉ ଭାବି ପାରିଲା ନାହିଁ । ମୁଣ୍ଡ ବୁଲାଇ ପଡ଼ିଯିବାବେଳେ ଶୁଭଙ୍କର ଧାଇଁ ଆସି ଧରି ପକାଇଲେ । ତାଙ୍କର ଆବେଗ ପୂର୍ଣ୍ଣ କଣ୍ଠ ବଚନ ଯୋଗାଇ ପାରୁ ନ ଥାଏ-ହାତ, ଦେହ ଥରୁଥାଏ ସୁସ୍ମିତାର ଅଙ୍ଗ ସ୍ପର୍ଶରେ, ଆଖିରୁ ଝରୁଥାଏ ଅଶ୍ରୁ । ସୁସ୍ମିତା ମୂକ ପାଷାଣପରି ସତେ ଯେପରି ଚଳତ୍‌ ଶକ୍ତିହୀନା । ତେବେ କଣ ସୁସ୍ମିତା ଛାଡ଼ିଦେବ ଶୁଭଙ୍କରଙ୍କ ହାତରେ ନିଜକୁ ? କଣ କରିବ, କଣ ନ କରିବ ଭାବି ସ୍ଥିର କରି ପାରିଲା ନାହିଁ । ସେ ନିତାନ୍ତ ଦୁର୍ବଳ ହୋଇ ପଡ଼ିଲା । ନିଜର ବାହ୍ୟଜ୍ଞାନ ହରାଇ ବସିବା ପୂର୍ବରୁ ଥରେ ଚାହିଁଲା ଚାରି-ଆଡ଼କୁ । ଲୋକେ ଚାହୁଁଛନ୍ତି ଦେଖି ନିଜକୁ ସଂଯତ କରିନେଲା ସୁସ୍ମିତା । ଶୁଭଙ୍କରଙ୍କୁ ଇଙ୍ଗିତ ଦେଲା ତା ସହିତ ଆସିବାକୁ । ଗହଳି ଭିତରୁ ବାହାରି ଆସିବା ପରେ ଶୁଭଙ୍କର କହିଲେ-‘‘ଫେରିଚାଲ ସ୍ମିତା, ଫେରିଚାଲ-’’ । ବାସ୍ପଗଦ୍‌ଗଦ୍‌କଣ୍ଠ ତାଙ୍କର ରୁଦ୍ଧ ହୋଇଗଲା । ଦୁହେଁ ଅନ୍ତରରେ ବାଚାଳ ହେଲେ ସୁଦ୍ଧା ବାହାରେ ମୂକ ହୋଇ ଚାଲିଲେ ।

ଶୁଭଙ୍କର ସୁସ୍ମିତା-ଘରେ ପହଞ୍ଚି ସୁସ୍ମିତା ହାତ ଧରି ଅନୁରୋଧ କଲେ ଫେରିଯିବାକୁ । ସୁସ୍ମିତା ଓ ସରୋଜ ପ୍ରତି ତାଙ୍କର ସନ୍ଦେହ ଯେ ମିଥ୍ୟା ତାହା ପ୍ରକାଶ କଲେ । ଏବେ ସେ ପୂର୍ଣ୍ଣଭାବେ ଅନୁତପ୍ତ । କେତେ କଥା କହିଲେ ଶୁଭଙ୍କର କଥାରେ ଚାହାଣିରେ । ଜଣାଇଲେ ଆଉ କେତେକ କଥା, ଯାହା ବଚନରେ କହି ପାରିଲେନାହିଁ ।

କ୍ଷମାର ଯୋଗ୍ୟା ହୋଇ ମଧ୍ୟ ଅତି ଧୀରେ ସୁସ୍ମିତା କହିଲା—‘‘ବିଧାତା ଯାହା ଭାଗ୍ୟରେ ସୁଖ ଲେଖିନି, ତାକୁ ଆଉ କିଏ ସୁଖୀ କରିବ ? ଯେଉଁଥି ପାଇଁ ଘର ଛାଡ଼ି ଆସିଲି, ଏଠାରେ ପୁଣି ତାହାକୁ ଧରିଛି । ଗୋଟିଏ ସ୍କୁଲର ଶିକ୍ଷୟିତ୍ରୀ ହୋଇ ନିଜର ଅନ୍ନସଂସ୍ଥା କରୁଛି । ତାହାରି ଉଚ୍ଚଶ୍ରେଣୀର ଶୁଭ ଦିଆହେବ ପନ୍ଦରଦିନ ପରେ । ବଦ୍ରିନାଥର ସ୍ୱାମୀ ନିଜେ ଆସିବେ ଏଥିପାଇଁ । ପୁଣି କ୍ଷମା ଦେବ ଏଥର ମୋର ଆସ୍ପର୍ଦ୍ଧା ପାଇଁ ?’’ –ଶୁଭଙ୍କରଙ୍କ ମୁଖ ମଳିନ ହୋଇ ଉଠିଲା । ସେ ପୁଣି ପ୍ରତ୍ୟାଖ୍ୟାତ, ତଥାପି ସ୍ଥିର କଲେ ଏଥର ଧୈର୍ଯ୍ୟ ଛାଡ଼ିବେ ନାହିଁ ।

ଶୁଭଙ୍କରଙ୍କ ଛୁଟି ସରି ଯାଇଛି, ତାଙ୍କୁ ଫେରିବାକୁ ହେବ । ତେବେ କଣ ସୁସ୍ମିତାକୁ ନ ନେଇ ଫେରିଯିବେ ? ସେ କଣ ତାର ଅଭିମାନ ଭୁଲିନାହିଁ ? ସେ ସ୍ଥିର କଲେ, ଫେରି ଅଫିସରେ ଯୋଗ ଦେଇ ପୁଣି ଛୁଟି ନେଇ ଆସିବେ । ସୁସ୍ମିତାକୁ କହିଲେ—‘‘ତେବେ ମୁଁ ଖାଲି ଏକା ଫେରି ଯାଉଛି, ସ୍ମିତା । ପୁଣି ଏ ଦୁର୍ବହ ଜୀବନ ଧରି ଆସିବି, ସେତେବେଳେ ଆଉ ପ୍ରତ୍ୟାଖ୍ୟାନ କରିବ ନାହିଁ-ଏତିକି ମୋର ମିନତି ।’’

ସୁସ୍ମିତାର ଚିତ୍ତ ଥରି ଉଠିଲା ଶୁଭଙ୍କରଙ୍କ କଥା ଶୁଣି । ଆଖି ଲୋତକରେ ହେଲା ପରିପୂର୍ଣ୍ଣ । ମନେ ହେଲା ସବୁ ଛାଡ଼ି ଚାଲିଯିବ; କିନ୍ତୁ ପ୍ରତିଶ୍ରୁତି ମନେ ପଡ଼ିଲା । ହୃଦୟକୁ ପଥର କରି ସେହି ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରି ବସିବ ବୋଲି କହି ରଖିଲା ।

ଶୁଭଙ୍କର ଫେରିଲେ, ସୁସ୍ମିତା ହରିଦ୍ୱାର ଷ୍ଟେସନକୁ ଆସିଲା ଛାଡ଼ିବାକୁ । ରେଳରେ ବସି ଶୁଭଙ୍କର ଚାହିଁ ରହିଥାନ୍ତି କରୁଣ ନେତ୍ରରେ । ଟ୍ରେନ ଛାଡ଼ିଦେଲା ଧୀରେ ଧୀରେ । ଦୁହେଁ ଦୁହିଁଙ୍କଠାରୁ ବିଦାୟ ନେଇ ଅପସରି ଗଲେ ଦୂରକୁ ।

ଟ୍ରେନର ଏକୁଟିଆ ବଖରାରେ ଶୁଭଙ୍କର ଧ୍ୟାନମଗ୍ନ ଯୋଗୀ ପରି ମୂକ ରହିଥିଲେ । ଚଳଚ୍ଚିତ୍ର ପରି ତାଙ୍କ ଆଖି ଆଗରେ ଭାସି ଉଠିଲା ବିଗତ ଏତେ ଦିନର ବ୍ୟର୍ଥ ଅନୁସନ୍ଧାନ । ସୁସ୍ମିତାକୁ ନ ପାଇଲେ ତାଙ୍କ ଜୀବନ ଯେ କଣ ହେବ ଯେ ଭୟାବହ ଦୃଶ୍ୟ ଦେଖି ଶିହରି ଉଠିଲେ–ଧ୍ୟାନ ଭଙ୍ଗହେଲା ଚା-ବାଲାର ଡାକରେ । ଟ୍ରେନ କେତେବେଳେ ଷ୍ଟେସନରେ ଠିଆ ହୋଇଛି ସେ ଜାଣି ନାହାନ୍ତି ।

ଚା-ବାଲା ପଚାରିଲା—‘‘ବାବୁ ଚା, ଗରମ ଚା ।’’ ଶୁଭଙ୍କର ଦୀର୍ଘନିଶ୍ୱାସ ପକାଇ କହିଲେ—‘ନାଇରେ ବାବୁ, ଚା’କୁ ଚାତକ ପରି ଚାହୁଁଛି—କେବେ ମିଳିବ କେଜାଣି ।’’ ଚା-ବାଲା କଣ ବୁଝିଲା କେଜାଣି ମୁହଁ ଶୁଖାଇ ଠିଆ ହେଲା । ଟ୍ରେନ ଛାଡ଼ିଦେଲା ହୁଇସିଲ୍‌ ଦେଇ, ଭୁସ୍‌ ଭୁସ୍‌ ଧୂଆଁ ଛାଡ଼ି ।

Image

 

ନିରନ୍ନର ପ୍ରତିଷ୍ଠା

 

ଅନେକଦିନ ବେକାର ବସି ବସି ଅବିନାଶ ଯେଉଁଦିନ ଛତ୍ରପୁର ହାଇସ୍କୁଲରେ ଚାକିରିର ନିୟୋଗ-ପତ୍ର ପାଇଲେ, ତାହା ସେ ଦିନ ତାଙ୍କ ଘର ପାଇଁ ଏକ ସୌଭାଗ୍ୟର ଦିନ ।

 

ପଞ୍ଚତିରିଶ ବର୍ଷର ସମ୍ପୂର୍ଣ୍ଣ ଯୁବକ ଅବିନାଶ । ଭାଗ୍ୟର କଷାଘାତରେ ସେ ପୂର୍ଣ୍ଣ ସ୍ୱାସ୍ଥ୍ୟବାନ ହୋଇ ମଧ୍ୟ ଦୀର୍ଘ ପାଞ୍ଚ ବର୍ଷ ଧରି ବେକାର । ପ୍ରତ୍ୟହ ପ୍ରତ୍ୟୁଷରୁ ଉଠି ନିଜର ଦୈନନ୍ଦିନ ଆସନ ସ୍ୱାଧ୍ୟାୟ ସାରି, ସାମାନ୍ୟ ଜଳଯୋଗ କରି ସମ୍ୱାଦପତ୍ରର ‘ଚାକିରି ଲୋଡ଼ା’ ସ୍ତମ୍ଭଟି ଦେଖିବାରେ ଲାଗନ୍ତି । ତାଙ୍କ ଜୀବନର କେତେ ସକାଳ, ସନ୍ଧ୍ୟା ଏହିପରି ଭାବରେ କଟିଛି, ତାହା ସେ ଏକା ଜାଣନ୍ତି ଓ ଜାଣନ୍ତି ପରମେଶ୍ୱର ।

 

ଅବିନାଶ ଦରିଦ୍ର ସନ୍ତାନ କିମ୍ୱା ଅଯୋଗ୍ୟ ନୁହଁନ୍ତି । ତଥାପି ଭାଗ୍ୟ-ବିଧାତାର ବିଚିତ୍ର ନିୟମ ଅନୁସାରେ ସେ ଦରିଦ୍ର, ନିଃସମ୍ୱଳ ଓ ଅଯୋଗ୍ୟ । ତାଙ୍କ ଯୋଗ୍ୟତାର ମୂଲ୍ୟ ସମାଜ କିମ୍ୱା ସଂସାର କେହି ଦେଇନି । ତାଙ୍କ ଦୁଃଖରେ କେହି ପଦେ ହେଲେ ସାନ୍ତ୍ୱନାର ବାଣୀ ଶୁଣାଇ ନାହିଁ । ନିଜ ଗୋଡ଼ରେ ଠିଆ ହେବାର ପ୍ରବଳ ଚେଷ୍ଟାରେ ସେ ଦୀର୍ଘଦିନ ସାଧନା ଚଳାଇଛନ୍ତି ।

 

ଅବିନାଶ ହେଲେ ଓଡ଼ିଶା ବିଖ୍ୟାତ ଓକିଲ ଚନ୍ଦ୍ରଶେଖରଙ୍କ କନିଷ୍ଠ ପୁତ୍ର । ପିତାଙ୍କର ଆୟ ଅପେକ୍ଷା ବ୍ୟୟ ଥିଲା ଅନେକ ବେଶି । ଜୀବନରେ ସଞ୍ଚୟଠାରୁ ଅଧିକ ପାପ ଆଉ କିଛି ନାହିଁ ବୋଲି କହୁଥିଲେ । ନିଜକୁ ଗାନ୍ଧୀ ଗୋପବନ୍ଧୁଙ୍କ ତାଙ୍କର ଦାନ ଥିଲା ଅମାପ । ସେ ଏକାଧାରରେ କବି, ବକ୍ତା ଓ ଲେଖକ ଥିଲେ । ଓକିଲାତି କରିବାକୁ ଇଚ୍ଛା ନ ଥିଲେ ସୁଦ୍ଧା ତାହାକୁ ଆୟର ଏକ ଅଙ୍ଗ ଭାବରେ ଧରିଥିଲେ । ଜୀବନର ଏକ ଚତୁର୍ଥାଂଶ ଆୟ ଘରକୁ ଦେଇ ବାକିତକ ଦେଉଥିଲେ ଦରିଦ୍ର, ଦୁଃସ୍ଥ, ଅକର୍ମଣ୍ୟ ପାଇଁ ହୋଇଥିବ ‘ସେବାଶ୍ରମ’କୁ । ଏପରିକି ନିଜର ବାସୋପଯୋଗୀ କୋତେଟି ବଖରା ଛାଡ଼ି ବାକିତକ ମଧ୍ୟ ସେ ଦାନ କରିଥିଲେ ଆଶ୍ରମକୁ ।

 

ଚନ୍ଦ୍ରଶେଖରଙ୍କ ପରିବାର ନିହାତି ଛୋଟ ନୁହେଁ । ସ୍ତ୍ରୀ, ତିନୋଟି କନ୍ୟା ଓ ତିନୋଟି ପୁତ୍ର ସହ ଦରିଦ୍ର ପିଉସୀ ଦୁଇଜଣ ସର୍ବଦା ପାଖରେ ଥାଆନ୍ତି । ଅନାଥ ଶିଶୁ ଦୁଇଟି ମଧ୍ୟ ପାଖରେ ଥାଇ ଶିକ୍ଷାଲାଭ କରୁଥାନ୍ତି । ବାର ଜଣ ଲୋକଙ୍କୁ ଧରି ଆଡ଼ମ୍ୱରହୀନ ଭାବରେ ବିଖ୍ୟାତ ଚନ୍ଦ୍ରଶେଖରଙ୍କ ଚଳଣି ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ଏହା ବ୍ୟତୀତ ଅଇଲା, ଗଲା ତ ରହିଛି । କିଛି ହେଲେ ଚା ଓ ଜଳପାନର ବ୍ୟବସ୍ଥା ସର୍ବଦା ପ୍ରଚଳିତ ଅବସ୍ଥାରେ ଥାଏ । ଅଧେ ଲୋକ ଏ ‘ଚା’ ଓ ‘ଫା’ ପାଇଁ ଆସି ପହଞ୍ଚନ୍ତି । ସନ୍ଧ୍ୟାଠାରୁ ରାତି ବାର ପର୍ଯ୍ୟନ୍ତ ଲୋକଙ୍କର ଯିବା ଆସିବା ଚାଲିଥାଏ । ରାତି ଅଧକୁ ବସା ଭିତରକୁ ଯାଇ ଗଣ୍ଡେ ଖାଇ ଚନ୍ଦ୍ରଶେଖର ଶୋଇ ପଡ଼ନ୍ତି ପୁଣି ପରଦିନର କର୍ତ୍ତବ୍ୟ ଚିନ୍ତା କରୁ କରୁ ।

 

ଚନ୍ଦ୍ରଶେଖରଙ୍କ ଜନ୍ମଭୂମି ହେଲା ପୁରୀ ଜିଲ୍ଲାର ଜଙ୍କିଆ ପାଖରେ । ନିଜର ଘରଖଣ୍ଡିକ ଓ ଜମି ପାଞ୍ଚମାଣ ଛଡ଼ା ଆଉ କିଛି ଗାଁ ବୋଲି ନ ଥିଲା । ଗାଁ ଘର ଛାଡ଼ି ଆସି ସେ ଓକିଲାତି କଲେ ପୁରୀରେ । ସମୁଦ୍ରକୂଳ ନିକଟରେ ଗୋଟିଏ ଦ୍ୱିତଳ ପ୍ରାସାଦ ଭଡ଼ା ନେଇଥିଲେ । ପିଲାପିଲି ସମସ୍ତେ ସେହିଠାରେ ପାଠ ପଢ଼ିବାକୁ ଆରମ୍ଭ କଲେ । ସ୍ତ୍ରୀଙ୍କର ଅନ୍ଦରମହଲକୁ ରାତି ଛଡ଼ା ଦିନରେ ପାଦ ପଡ଼େନି । ନିଜ ପରିବାରର ଅଭାବ ଅସୁବିଧା ଅପେକ୍ଷା ବାହାର ଲୋକଙ୍କ ଅଭାବ ଅସୁବିଧା ତାଙ୍କ ଗୋଚରକୁ ବେଶି ଆସେ । ଏଥିପାଇଁ ଘରେ ଯେ ଅଶାନ୍ତିର ସୂତ୍ରପାତ ନ ହୁଏ, ଏପରି ନୁହେଁ-। ତଥାପି ସ୍ତ୍ରୀ ଦୁର୍ଗାବତୀ ସର୍ବଂସହା ପରି ସବୁ ରହି ଯାଆନ୍ତି ବୋଲି କଥାଟା ପଦାକୁ ଜଣାପଡ଼େ ନାହିଁ ।

 

ଚନ୍ଦ୍ରଶେଖର ନିଜେ ପଣ୍ଡିତ ଲୋକ । ତେଣୁ ପିଲାମାନଙ୍କ ପଢ଼ିବା ପ୍ରତି କଠୋର ଦୃଷ୍ଟି ଦେଇଥିଲେ । କନ୍ୟାଦାୟରୁ ମୁକ୍ତ ହୋଇ ସେ ଦେଶ ସେବାରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ଉତ୍ସର୍ଗ କଲେ । ବଡ଼ପୁଅ ବି.ଏ. ପାସ୍‍କରି ଟାଟାନଗରକୁ ମାଷ୍ଟ୍ର ହୋଇ ଗଲେ । ମଝିଆପୁଅ ଇଞ୍ଜିନିଅରିଂ ପାସ୍‍ କରି ଗଲେ ବମ୍ୱେ । ତା ପରବର୍ତ୍ତୀ ତାଙ୍କ ଖବର ଆଉ କେହି ପାଇନାହିଁ । ଚନ୍ଦ୍ରଶେଖର କିନ୍ତୁ ନିଶ୍ଚଳ, କେବେ ବିଚଳିତ ହେବାର କେହି ଦେଖିନି । ଶେଷ ଅବିନାଶ, ପୁରୀ କଲେଜରେ ପଢ଼ୁଥାନ୍ତି ବି. ଏ. ।

 

ଏ ମଧ୍ୟରେ ଚନ୍ଦ୍ରଶେଖର ଓକିଲାତି ଛାଡ଼ି ଦେଇ ବହିଲେଖାରୁ ଯେ ରୋଜଗାର କରୁଥାନ୍ତି, ତହିଁରେ ଆଶ୍ରମ ଓ ପରିବାର ଚଳାଉଥାନ୍ତି । ଦେଶର ଦୁଃଖ ଦୁର୍ଦ୍ଦଶାରେ ତାଙ୍କ ଅନ୍ତର ସର୍ବଦା କାନ୍ଦୁଥାଏ । ବିପଦ ପଡ଼ିଲେ ସେ ଯେତେ ପାରନ୍ତି ଦାନ କରନ୍ତି ଓ ଅନ୍ୟଠାରୁ ଯୋଗାଡ଼ କରି ବିତରଣ କରନ୍ତି । ଦେଶର ଗଣ୍ୟ-ମାନ୍ୟ ବ୍ୟକ୍ତି ସମସ୍ତେ ତାଙ୍କୁ ଖାତିର କରୁଥିଲେ । ଏ ସବୁ ସତ୍ତ୍ୱେ ନିଜ ପରିବାର ପାଇଁ କିଛି ସଞ୍ଚୟ କରି ନ ଥିଲେ । ନିଜର କୌଣସି ପ୍ରକାର ମନ୍ଦ-ଅଭ୍ୟାସ ନ ଥିଲା, ତେଣୁ ଖାଇବା ଗଣ୍ଡାକ ଓ ଖଣ୍ଡେ ପିନ୍ଧିବା ଛଡ଼ା ଆଉ ପଇସାର ଆବଶ୍ୟକ ସେ କେବେ ଅନୁଭବ କରୁ ନ ଥିଲେ ।

 

ଅବିନାଶ ପାଠ ପଢ଼ିବାବେଳେ ଚନ୍ଦ୍ରଶେଖର ଗୋଟିଏ ଦରିଦ୍ର ବ୍ରାହ୍ମଣକୁ କନ୍ୟାଦାୟରୁ ମୁକ୍ତି ଦେଇଥିଲେ । କାରଣ ତାର ଏକାମାତ୍ର କନ୍ୟାକୁ ନିଜର କନିଷ୍ଠ ପୁତ୍ର-ବଧୂ ରୂପେ ବରଣ କରିଥିଲେ । ଏଥିପାଇଁ ଅବିନାଶଙ୍କ ସହସ୍ର ଆପତ୍ତି ଅଭିଯୋଗ କିଛି ଫଳ ଦେଇନାହିଁ । ପିତାଙ୍କର ଏ ନିଷ୍ଠୁର ଆଦେଶକୁ ମୁଣ୍ଡ ପାତି ଭଗ୍ନହୃଦୟରେ ଗ୍ରହଣ କରିବାକୁ ପରିଶେଷଣେ ସେ ବାଧ୍ୟ ହେଲେ-। ନିଜର ଆଦର୍ଶକୁ ଜଳାଞ୍ଜଳି ଦେଲେ, ବୋଉର ଅଶ୍ରୁଳମୁଖ ଦେଖିଲେ । ଅନ୍ତରର କୋହକୁ ଚାପି ରଖି ଶେଷରେ ଦୋଳ-ମୁକୁଟ ପିନ୍ଧି ବାହାହୋଇ ଫେରିଥିଲେ ହୃଦୟକୁ ପାଷାଣ କରି, ପରାଜିତ ହୋଇ ।

 

ଚନ୍ଦ୍ରଶେଖର ନିଜର ପୁତ୍ରବଧୂକୁ ବରଣ କରି ଆଣିଲେ । ବଧୂ ସୁନ୍ଦରୀ, ପାଠପଢ଼ା ଝିଅ-। ଅବିନାଶଙ୍କ ପରି ଧାର୍ମିକ, ନିଷ୍ଠାପର, ଆଦର୍ଶବାଦୀ ଲୋକଙ୍କୁ ସେ ଦେଖିଲେ ମରହଟ୍ଟି ଭାବରେ । ଶ୍ୱଶୁରଙ୍କ ପ୍ରତିଷ୍ଠା ତାଙ୍କୁ ମୁଗ୍‌ଧ କରିଥିଲା ଓ ସେ ଚାହୁଁଥିଲେ ଭବିଷ୍ୟତରେ ଶ୍ୱଶୁର ପରି ପ୍ରତିଷ୍ଠା ଲାଭ କରିବେ । କିନ୍ତୁ ଅବିନାଶ ଏଥିରେ ହେଲେ ଅନ୍ତରାୟ । ନିଜର ସ୍ୱାମୀତ୍ୱର ଦ୍ୱାହି ଦେଇ ଅବିନାଶ ମନାକଲେ ଆଉ ଅଧିକ ପାଠ ନ ପଢ଼ି ସଂସାର ଧର୍ମରେ ଦୀକ୍ଷିତ କରାଇ ନେବାକୁ । ଏ ପ୍ରସ୍ତାବରେ ଉଭୟପଟରୁ ଘୋର ଆପତ୍ତି ହେଲା । ଶ୍ୱଶୁର ପୁତ୍ରବଧୂର ଇଚ୍ଛାରେ ବାଧା ନ ଦେଇ ଉତ୍ସାହିତ କଲେ । ଏଥିରେ ମଧ୍ୟ ଅବିନାଶ ହେଲେ ପରାଜିତ ।

 

ଅଞ୍ଜଳି ପାଠ ପଢ଼ିଲେ ଓ କୃତିତ୍ୱ ସହ ପାସ୍‍କଲେ ମାଟ୍ରିକ ପ୍ରଥମ ଶ୍ରେଣୀରେ । ଦୁର୍ଭାଗ୍ୟକୁ ଅବିନାଶ ବି. ଏ. ପରୀକ୍ଷାରେ ସେହିଥର ଅକୃତକାର୍ଯ୍ୟ ହେଲେ । ଅଞ୍ଜଳିଙ୍କୁ ସୁବିଧା ମିଳିଲା ଅବିନାଶଙ୍କୁ ଅଧିକ ହେୟ ଜ୍ଞାନ କରିବାକୁ । ଅବିନାଶ ଏଥିରେ ହେଲେ ମର୍ମାହତ । ତାଙ୍କ ପୌରାଣିକଯୁଗର ‘ସ୍ତ୍ରୀ’ର ଗୁଣଧର୍ମ— ମନୋଜ୍ଞା, ମନୋବୃତ୍ତିସାରିଣୀ ବିଫଳ ଗଲା ଓ ସେ ହୃଦୟରେ ଯେଉଁ ମନୋଜ୍ଞାର ରୂପ ଏତେଦିନ ଧରି ଦେଖୁଥିଲେ, ତାହା ହେଲା ଅନ୍ତର୍ହିତା ।

 

ଚନ୍ଦ୍ରଶେଖର ପୁତ୍ର ଉପରେ ହେଲେ ଅସନ୍ତୁଷ୍ଟ ଓ ବଧୂର ସାଫଲ୍ୟରେ ହୃଦୟରେ ପାଇଲେ ଗଭୀର ସନ୍ତୋଷ । ତଥାପି କର୍ତ୍ତବ୍ୟାନୁରୋଧରେ ଅବିନାଶଙ୍କୁ ପୁଣି ଥରେ ପରୀକ୍ଷା ଦେବାକୁ କହିଲେ । ଉଭୟେ ଅଧ୍ୟୟନ-ରତ ହେଲେ ଆଉ ଥରେ ।

 

ଏପରି ଚାଲିଥିବାବେଳେ ଚନ୍ଦ୍ରଶେଖର ଦିନେ ବମ୍ୱେ ବାହାରିଲେ ସମାଜ-ସେବା ଡାକରାରେ । ଗଲାବେଳେ କହି ଯାଇଥିଲେ ଶୀଘ୍ର ଫେରିବେ କାର୍ଯ୍ୟ ସାରି; ମାତ୍ର ଦିନ ପରେ ଦିନ ଗଲା, ଅଥଚ ତାଙ୍କର ଦେଖା ନାହିଁ । ମାସକ ପରେ ସ୍ତ୍ରୀ ଦୁର୍ଗାବତୀଙ୍କ ନାମରେ ଆସିଲା ତିରିଶଟି ଟଙ୍କା ମନିଅର୍ଡ଼ରରେ । ସେଥିରେ ଲେଖାଥିଲା—

 

‘ପତ୍ନୀ ନିବେଶି ପୁତ୍ର ପାଶେ, ଅଥବା ଚଳିବ ସନ୍ୟାସେ ।’ ମୋର କର୍ତ୍ତବ୍ୟ ସରି ଯାଇଛି-। କେବେ ଫେରିବି ଠିକ୍‌ନାହିଁ । ଅପେକ୍ଷା କରିବ ନାହିଁ–’’

 

ଏଥିରୁ କିଏ କଣ ବୁଝିଲା କେଜାଣି ଅଞ୍ଜଳି ବୁଝିଲେ, ଅବିନାଶ ଫେଲ ହେଲେ ବୋଲି ଚନ୍ଦ୍ରଶେଖର ଗୃହତ୍ୟାଗୀ ହେଲେ । ସ୍ତ୍ରୀ ଦୁର୍ଗାବତୀ ପାଷାଣ ପରି ରହିଲେ । ଅବିନାଶ ଅନ୍ଧାର ଦେଖିଲେ ଚାରିଆଡ଼ । ପରୀକ୍ଷା ଆସନ୍ନ, ହାତରେ ପଇସାଟିଏ ନାହିଁ ପରୀକ୍ଷା ଫିସ୍‌ ଦେବାକୁ । ଏହି ଚିନ୍ତା ଘାରିଲାବେଳେ ଅଞ୍ଜଳି ଜିଦ୍‌ ଧରିଲେ ତାଙ୍କ ପଢ଼ା ବନ୍ଦ ହେବନାହିଁ ।

 

ଚାରିଆଡ଼ୁ ବିବ୍ରତ ଅବିନାଶଙ୍କ ଧୈର୍ଯ୍ୟର ସେତୁ ଭାଙ୍ଗିଗଲା । କାହାକୁ ବା କହିବେ ନିଜ ଜୀବନର ଦୁଃଖମୟ ଘଟଣା ? ଏକମାତ୍ର ବୋଉ ଛଡ଼ା ଆଉ କେହି ତାଙ୍କ ଦୁଃଖ ବୁଝିଲେ ନାହିଁ ।

 

ଦାରିଦ୍ର୍ୟ ତାଙ୍କ ବପୁ କ୍ଷୀଣ କରିବାକୁ ଲାଗିଲା ଦିନକୁ ଦିନ । ଗାଈ, ଛେଳି ବିକି ଦିନା କେତେ ଚଳିଲେ । ନିଜର ସାମର୍ଥ୍ୟ ଅନୁଯାୟୀ ଚାକିରି ଖୋଜିଲେ ପଢ଼ା ତ୍ୟାଗକରି । କଳ୍ପନାର ଉଚ୍ଚଆଶା, ଆକାଙ୍‌କ୍ଷାରେ ସବୁ ଉଭେଇ ଗଲା ସଂସାରର ବାସ୍ତବ କ୍ଷେତ୍ରରେ । ସହରରେ ଅନ୍ତତଃ-ତିନି ଚାରି ଟଙ୍କା ଦରକାର ଚଳିବା ପାଇଁ । ସେତିକି ରୋଜଗାର କରିବା ପାଇଁ ଅବିନାଶଙ୍କୁ ପାଞ୍ଚ ଛଅଟି ଟିଉସନ୍‌ ଧରିବାକୁ ପଡ଼ିଲା । ପରିବାରର ଦାୟିତ୍ୱ ଯାହା ଅକାଳରେ ନନା ତାଙ୍କୁ ଦେଇଗଲେ ତାହା ତୁଲାଇବାକୁ ବଦ୍ଧପରିକର ହେଲେ ।

 

ନିଜର ସମସ୍ତ ସୁଖ, ଶାନ୍ତି ଛାଡ଼ି କର୍ତ୍ତବ୍ୟ କରିବାରେ ଲାଗିଲେ କଠିନ ପରିଶ୍ରମ କରି, ନୀତି ବଜାୟ ରଖି । ପ୍ରତ୍ୟହ ପ୍ରତ୍ୟୁଷରୁ ଉଠି ନିଜର ସ୍ନାନ, ଆହ୍ନିକ ସାରି ଶାସ୍ତ୍ର-ଚର୍ଚ୍ଚା କରନ୍ତି । ଘରେ ଚାକର, ପୂଜାରୀ ଯେ ଥିଲେ, ସମସ୍ତେ ଗୋଟି ଗୋଟି ହୋଇ ବିଦାୟ ନେଲେ । ଏକା ରହିଲା ଅନାଥ ପୁରୁଣା ଚାକରଟି ଅବିନାଶଙ୍କୁ ନିଜର ନାଥ ରୂପେ ଆଶ୍ରୟ କରି ।

 

ବାର୍ଷିକ ପରୀକ୍ଷା ପରେ ଟିଉସନ ସରିଗଲା । ନୀତିମାନ୍‌ ଅବିନାଶ ପରୀକ୍ଷାପରେ ଛାତ୍ରମାନଙ୍କୁ ଆଶୀର୍ବାଦ କରି ଫେରିଲେ ଶୂନ୍ୟ ହସ୍ତରେ ।

 

ସନ୍ଧ୍ୟାରେ ବୋଉଙ୍କୁ ନିରୋଳାରେ ଡାକି ଅବିନାଶ କହିଲେ,

 

‘‘ବୋଉ, କଣ କରିବା କହିଲୁ ?’’

 

‘‘ଭଗବାନ ଯାହା କରିବେ, ତୁ ଏତେ ଚିନ୍ତା କରନା ଧନ ।’’

 

‘‘ବୋଉ, ଚିନ୍ତା ଆଉ ମତେ ଛାଡ଼ିବନି । ମୋର ତ ପାଠ ପଢ଼ା ଏତିକିରେ ରହିଲା । ତୁ ବୋହୂକୁ କହ, ଆମେ ଗାଁକୁ ଚାଲିଯିବା । ତା ଛଡ଼ା ଆଉ ଉପାୟ ନାହିଁ ।’’

 

‘‘ହଁ ସେଇୟା କରିବା । ବାବୁ ତ ଅଧାରୁ ଏମିତି କଲେ, କାହାକୁ କହିବି, ମୋ ଭାଗ୍ୟ ।’’

 

‘‘ବୋଉ, ତୁ ବ୍ୟସ୍ତ ହବୁ ନାହିଁ । ମୁଁ ବଞ୍ଚିଲା ଯାଏ ତୋର କିଛି ଅସୁବିଧା ହେବନାହିଁ ।’’

 

ଦୁର୍ଗାବତୀ ପୁଅର କରୁଣ ନିବେଦନକୁ ମର୍ମେ ମର୍ମେ ଅନୁଭବ କଲେ । ବୋହୂର ତାଙ୍କ ସର୍ବଂସହା ଛାତିକୁ ମଧ୍ୟ ଚହଲାଇ ଦେଇଛି । ତଥାପି ନିଜର ମାନ ଛାଡ଼ି ବୋହୂକୁ କହିଲେ ଗାଁକୁ ଯିବାକଥା । ଗାଁକୁ ଯିବାର ଶୁଣି ଅଞ୍ଜିଳ ଅତିଶୟ ବିରକ୍ତ ହୋଇ କହିଲେ—

 

‘‘ଯାହାର ଯୋଗ୍ୟତା ନାହିଁ, ସେ ଆଉ ଜଣଙ୍କୁ ବିଭା ହେଲା କେଉଁ ଅଧିକାରରେ ? ମୁଁ ନିଜେ ଚାକରି କରି ପାଠ ପଢ଼ିବି ଓ ପୋଷିବି । ଆପଣଙ୍କ ପୁଅ ଘରେ ବୋହୂ ପରି ବସିଥାନ୍ତୁ ।’’

 

ବୋହୂର ଏ ଉଦ୍ଧତ ବାକ୍ୟରେ ଦୁର୍ଗାବତୀ ଜଳି ଉଠି କହିଲେ—

 

‘‘ନା ବୋହୂ, ବ୍ରାହ୍ମଣ ଘରର କୁଳବଧୂ । ଆମଘରେ ବୋହୂ ଚାକରି କରିବା ଚଳିନି । ଅବିନାଶ ପଛେ ଭିକ୍ଷା କରି ଘର ଚଳାଇବ । ତୁ ଆଉ ପାଠ ପାଇଁ ଜିଦ୍‌ କରନା । ଜିନିଷ ସଜାଡ଼, କାଲି ସକାଳୁ ଗାଁକୁ ବାହାରି ଯିବା ।’’

 

ଶାଶୁ ବୋହୂଙ୍କର ଏ କଥା କୁହା କୁହି ଅବିନାଶ ଶୁଣିଲେ । ସେ ଧୀର ପଦରେ ଆସି ଅଞ୍ଜଳିକୁ କହିଲେ—

 

‘‘ଶୁଣ, ବୋଉ ଯାହା କହିଲା ତାହା ଠିକ୍‌ । ମୁଁ ପୁରୁଷ, ନିଜର ଜୀବନ ଦେଇ ପରିବାର ପୋଷଣ କରିବା ମୋର କର୍ତ୍ତବ୍ୟ । ତମେ ନାରୀ, ସଂସାର ପାଳନ କରିବା ତୁମ ଧର୍ମ । ତମକୁ ମୁଁ ଅଧିକ ପଢ଼ାଇ ପାରିଲିନି, ସେଥିପାଇଁ କମ୍‌ ଲଜ୍ଜିତ ନୁହେଁ; କିନ୍ତୁ ତା ବୋଲି ଦେହ ଧରି ତୁମ ଅନ୍ନରେ ବଞ୍ଚିବି ଏକଥା ବିଚାର ନାହିଁ । କାଲି ସକାଳୁ ଗାଁକୁ ଯିବାକୁ ହେବ । ତୁମେ ନ ଗଲେ ନିଜର ବ୍ୟବସ୍ଥା କରିପାର ।’’

 

ଏହା କହି ସେ ବାହାରିଗଲେ । ପରଦିନ ସକାଳେ ଶ୍ରୀକ୍ଷେତ୍ରର ମାୟା ତୁଟାଇ ପତିତପାବନଙ୍କ ଶେଷ ଦର୍ଶନସାରି, ଅବିନାଶ ଦକ୍ଷିଣ ରେଳ ଧରି ବାହାରିଲେ ଜୀବନ ସଂଗ୍ରାମରେ ଝାସ ଦେବାକୁ ।

 

ଦ୍ୱିପହରେ ଯାଇ ପହଞ୍ଚିଲେ ଗାଁରେ । ତାଙ୍କ ଘରଟି ଗାଁ ଛାଡ଼ି ନଈ କୂଳରେ, ଗୋଟିଏ ନିଛାଟିଆ ଜାଗାରେ । ଅବିନାଶ ଏହି ଶୂନ୍ୟ-ପୁରୀ ଦେଖି ତାଙ୍କ ଆଖିରୁ ଜୁଳିଜୁଳିଆ ପୋକ ବାହାରିଲା । ଚାଳରେ କୁଟା ନାହିଁ, କି ବଗିଚାରେ ଗୋଟିଏ ଗଛ ନାହିଁ । ଅଞ୍ଜଳି ବସି ପଡ଼ିଲେ ହତାଶରେ ‘ହେ ଭଗବାନ’ କହି । ଦୁର୍ଗାବତୀ ସ୍ଥିର ନେତ୍ରରେ ଘରକୁ ଚାହିଁ ଦୀର୍ଘ ନିଶ୍ୱାସ ଛାଡ଼ିଲେ । ପରେ ପ୍ରକୃତିସ୍ଥ ହୋଇ ଅନାଥକୁ ଡାକି ଘର ସଫା କରିବାକୁ ବାହାରିଲେ । ଅନେକ ବର୍ଷ କେହି ନ ଥିବା ଫଳରେ ଘରେ ସାପ, ବେଙ୍ଗ ଆଦି ଜନ୍ତୁମାନେ ସ୍ୱେଚ୍ଛାରେ ଆସନ ଜମାଇ ରହିଥିଲେ ।

 

ଅବିନାଶଙ୍କ ବିଚାର ଶକ୍ତି ପ୍ରଖର । ସଙ୍ଗେ ସଙ୍ଗେ ବୋଉଙ୍କୁ ଗୃହ ସଂସ୍କାରରୁ କ୍ଷାନ୍ତ କରାଇ ନିଜେ ଲାଗି ପଡ଼ିଲେ । ବହୁ ସମୟ ଲାଗି ତାହା ବାସୋପଯୋଗୀ କଲେ । ରାତିଟା ଚୁଡ଼ା ଖାଇ କଟାଇଲେ କୌଣସି କ୍ରମେ ।

 

ପରଦିନ ସକାଳଟା ଲାଗି ପଡ଼ିଲେ ଘର ଛପର ଇତ୍ୟାଦିରେ । ସନ୍ଧ୍ୟାରେ ତପନ ନିଜର କର୍ତ୍ତବ୍ୟ ଶେଷ କରୁଥାନ୍ତି । ସୁନେଲି କିରଣରେ ଗଛ ଲତା ଝଲ ମଲ କରୁଥାଏ । ଅବିନାଶ ଚିରଦିନ ପ୍ରକୃତିର ପୂଜାରୀ । ପ୍ରକୃତିର ବର୍ଣ୍ଣ ବୈଚିତ୍ର୍ୟକୁ ଦେଖୁ ଦେଖୁ ବିହ୍ୱଳ ହୋଇଗଲେ । କେତେ ସମୟ ପରି ବିହ୍ୱଳତାରେ କଟିଗଲା, ଚେତନା ତାଙ୍କର ଫେରିଲା ବୋଉଙ୍କ ଡାକରେ ।

 

ଦୁର୍ଗାବତୀ ପୁଅର ଏକାଗ୍ରତା ଭାଙ୍ଗିବାକୁ ବାଧ୍ୟ ହୋଇଥିଲେ । ତା ଜୀବନ ଯେ ମରୁବତ୍‌ ହୋଇଛି ଏକଥା ସେ ଉତ୍ତମରୂପେ ହୃଦୟଙ୍ଗମ କରୁଥାନ୍ତି ଉପାୟହୀନ ହୋଇ । ଯାହା ବିଧିର ବିଧାନ ତାହା ଏଡ଼ାଇବାର ସାଧ୍ୟ କାହାରି ନାହିଁ । ପୁଅ, ବୋହୂ ଦୁହିଁଙ୍କର ମୁହଁ ଉଭୟ ଦିଗକୁ । ଘରେ ଯେ ଅଶାନ୍ତିର ଝଡ଼ ସୃଷ୍ଟି କରିଛି ତାହା ଘରେ ସୀମିତ ରହିଛି ଏତିକି ସୌଭାଗ୍ୟର କଥା । ଏଥିରେ ଯେ ଅନ୍ତର୍ଦାହ ଭୋଗ କରୁଛନ୍ତି ଅବିନାଶ, ତାହା କେବଳ ଜାଣନ୍ତି ଦୁର୍ଗାବତୀ । ଅଞ୍ଜଳି ଅନେକ ପରିମାଣରେ ନିଜର ଅହମିକାକୁ ବାଦ୍‌ଦେଲେଣି ସ୍ୱାମୀଙ୍କର ରୁଦ୍ରରୂପକୁ ଭୟ କରି, ତଥାପି ନିଜକୁ ସ୍ୱାମୀଙ୍କ ଭାବରେ ନିମଗ୍ନ କରି ପାରି ନାହାନ୍ତି । ତାଙ୍କ ଅହମିକା ଅଗ୍ନି ସ୍ଫୁଲିଙ୍ଗ ପରି ପ୍ରତି ମୁହୂର୍ତ୍ତରେ ପ୍ରଜ୍ଜ୍ୱଳିତ ହେଉଥାଏ, ସୁଯୋଗ ଦେଖି ବାହାରକୁ ଆସେ ।

 

ପୁଅକୁ ଏକା ଦେଖି ଦୁର୍ଗାବତୀଙ୍କ ମାତୃହୃଦୟ ଦୁଃଖରେ ଜର୍ଜରିତ ହେଲା । ସେ କହିଲେ–

 

‘‘ଅବିନାଶ, ଅନ୍ଧାରରେ ଏକାଟି ବସିଛୁ କାହିଁକି ବାପା ? କିଛି ଚାଉଳର ଯୋଗାଡ଼ କଲେ ଆଜି ଚଳିବାକୁ ହେବ ।’’

 

ଅବିନାଶ ଚମକ ଭାଙ୍ଗିଲା । ଭାବିଲେ, ‘‘ସତେ ତ । ମନ ସିନା ପ୍ରକୃତିର ବୈଚିତ୍ର୍ୟରେ ଭୁଲିବ, ଦେହ କଣ ଭୁଲିଯିବ ?’’ ମାଗିବାକୁ ଯିବେ କାହା ଘରକୁ ? ପରିବାରର ପୋଷଣ ଦାୟିତ୍ୱ ବିଧାତା ଖଞ୍ଜି ଦେଇଛି ଏତିକିବେଳୁ । ଗୀତାର ଶ୍ଳୋକ–‘କର୍ମଣ୍ୟେ ବାଧିକାରସ୍ତେ ମା ଫଳେଷୁ କଦାଚନ’ ତାଙ୍କ ଜୀବନ ପଥକୁ ସୁଗମ କରୁ-ଏହା ଚିନ୍ତା କରି ଉଠିଲେ । ସ୍ୱପ୍ନରୁ ଜାଗ୍ରତ ହେବା ପରି କହି ଉଠିଲେ—

 

‘ହଁ ବୋଉ, ମୁଁ ଯାଉଛି, ତୁ ବ୍ୟସ୍ତ ହବୁନି । ବର୍ତ୍ତମାନ ଫେରିବି । ଅନାଥକୁ କହିଥା ଦୀପ ଜାଳି ଘରେ ରହିଥିବ ।’’

 

ମଫସଳ ଗାଁରେ ସନ୍ଧ୍ୟା ଘଡ଼ିଏ ହେଲେ ଦୁଆର କିଳା ଆରମ୍ଭ ହୋଇଯାଏ । କକେଇଙ୍କ ଦୁଆର ପଡ଼ିଯାଇଥିବାର ଦେଖି ଅନେକ ଡକାଡକି କଲେ । କେତେ ସମୟ ପରେ କକେଇ ପୁତୁରାଙ୍କୁ ଏତେ ଦିନ ପରେ ଦେଖି ଆଶ୍ଚର୍ଯ୍ୟ ହେଲେ । ଭିତରକୁ ଡାକି ନେଇ ସମାଦର କରି କୁଶଳ ପ୍ରଶ୍ନ କଲେ । ଏହା ପୂର୍ବରୁ ଚନ୍ଦ୍ରଶେଖରଙ୍କ ଅନୁପସ୍ଥିତି ଗାଁରେ ସମସ୍ତେ ଜାଣିଥାନ୍ତି ।

 

ଅବିନାଶ ଚାଉଳ ଧରି ଫେରି ଦେଖିଲେ ବୋଉ ଗୁଡ଼ିଏ ଶୁଖିଲାପତ୍ର ସଂଗ୍ରହ କରି ବସିଥାନ୍ତି ପୁଅକୁ ଅପେକ୍ଷା କରି । ନିଜର କଷ୍ଟ ଅପେକ୍ଷା ବୃଦ୍ଧା ମାତାଙ୍କର ଏ କଷ୍ଟ ଅବିନାଶଙ୍କୁ ଅଧିକ ଆକୁଳ କଲା । ସ୍ତ୍ରୀ ଶୋଇଛନ୍ତି ଭୋକରେ, ରାଗରେ, ଅନାଥ ଜଗି ବସି ଢୁଳାଇ ପଡ଼ିଛି । ବୋଉ ପାଖରେ ଚାଉଳ ଦେଇ ଗଲେ ନିଜ ଶୟନକକ୍ଷକୁ । ନିଜର ମନୋମତ ସଜାଇଛନ୍ତି ଅବିନାଶ ଦରିଦ୍ରର ନିଃସ୍ୱ ଗୃହକୁ । ଗୁଡ଼ିଏ ବହି ଅବିନାଶଙ୍କ ନିଜସ୍ୱ ସମ୍ପତ୍ତି । ଆସବାବ ବୋଲି ଖଣ୍ଡିଏ ଖଟ ଓ ଗୋଟିଏ ଛୋଟ ଟେବୁଲ । ଘରଟିରେ ବସି ଚିନ୍ତାରତ ହେଲେ ଅବିନାଶ । ରାତି ଅଧକରୁ ବେଶି ହେଲା । ରନ୍ଧା ସାରି ବୋଉ ଡାକିବାକୁ ଆସି ଦେଖିଲେ ଧ୍ୟାନମଗ୍ନ ବୁଦ୍ଧ ପରି ପଦ୍ମାସନରେ ବସିଛନ୍ତି ଅବିନାଶ । ପୁଅର ଏ ଭଳି ମତି ଗତି ଅନେକ ଦିନରୁ ସେ ଜାଣନ୍ତି, ତଥାପି ମା ମନ ଆଶଙ୍କା ଭରି ଉଠେ ବେଳେ ବେଳେ । ଆଉ ରାତି ଅଧିକ ନ କରି ବୋଉ ଡାକିଲେ,–‘‘ଖାଇବାକୁ ଆ ଅବିନାଶ ।’’ ଅବିନାଶ ଧ୍ୟାନ ଭାଙ୍ଗି ଗଲେ ମାତାଙ୍କ ଆଦେଶ ପାଳନ ନିମନ୍ତେ ।

 

ପ୍ରତ୍ୟୁଷରୁ ଉଠି ନିତ୍ୟକର୍ମ ସାରି ବାହାରିଲେ ଜଙ୍କିଆ ସ୍କୁଲର ମାଷ୍ଟ୍ରଙ୍କ ପାଖକୁ ଚାକିରି ଉଦ୍ଦେଶ୍ୟରେ । ମାଷ୍ଟ୍ରଙ୍କ ସହ ସାକ୍ଷାତ କରି ବୁଝିଲେ କାଲି ଜଣେ ନୂଆ ମାଷ୍ଟ୍ର ନିଆ ହେଲେ ଏତେ ଦିନ ଖାଲି ପଡ଼ିଥିବା ଜାଗାରେ । ସେ ବିଫଳ ମନୋରଥ ହୋଇ ଫେରିଲେ । ବାଟ ଚାଲି ଚାଲି ଥକା ହୋଇ ବସି ପଡ଼ିଲେ ନଈକୂଳରେ । ଅଦୂରରେ ଅନାଥ ବଗିଚାର ଅରମା ସଫା କରିବାରେ ପାରି ଉଠୁ ନ ଥିଲା ଏକା । ଆଉ କ୍ଳାନ୍ତି ଅପନୋଦନ ନ କରି ବାହାରିଲେ ଅନାଥକୁ ସାହାଯ୍ୟ କରିବାକୁ । ଅନାଥ ଆପତ୍ତି କରିଥିଲା; କିନ୍ତୁ ତାହା ଗ୍ରାହ୍ୟ ହେଲାନାହିଁ ।

 

ଦିନ ପରେ ଦିନ କଟିଲା ଏହିପରି । ଦାରିଦ୍ର୍ୟ କ୍ରମଶଃ ଉତ୍କଟତର ହେବାକୁ ବସିଲା । ବଗିଚାରେ ପନିପରିବା ଚାଷ କରି, ଜମିକୁ ଅନ୍ୟ ସହିତ ଭାଗ ଲଗାଇ ଯାହା ପାଆନ୍ତି ସାମାନ୍ୟ, ସେଥିରେ ଚାରି ମାସ ଚଳେ, ବାକି ଆଠମାସ ଅର୍ଦ୍ଧାହାର, ଅନାହାର ସହିତ ଚାଲେ ସଂଗ୍ରାମ । ଏ ମଧ୍ୟରେ ପରିବାରକୁ ଦୁଇଟି ଶିଶୁ ଆସିଲେଣି, ସ୍ତ୍ରୀ ରୁଗ୍‌ଣା-ଔଷଧ, ପଥି ପାଇଁ ପଇସା ନାହିଁ । ହା ହୁତାଶରେ ନିଜକୁ ଦାରିଦ୍ର୍ୟ ପାଖରେ ସମର୍ପଣ କରିବା ଛଡ଼ା ଆଉ ଉପାୟ ନାହିଁ, ତଥାପି ଚେଷ୍ଟାରେ ତ୍ରୁଟି କରି ନାହାନ୍ତି ଅବିନାଶ ।

 

ଅବିନାଶ ପାଇଁ ପାଖ ଗାଁର ହୋମିଓପାଥି ଡାକ୍ତରଙ୍କ ପୁଅକୁ ପାଠ ପଢ଼ାଇ ତା ବଦଳରେ ଶିଖିଲେ ହୋମିଓ ଚିକିତ୍ସା । ଡାକ୍ତରି ଔଷଧ ପରିବାରଙ୍କୁ ଦେବା ପାଇଁ ପଇସାର ଅଭାବ-। ତେଣୁ ଘରେ ଓ ବାହାରେ, ଯେ ଦରିଦ୍ର ତାକୁ ବିନା ପଇସାରେ ଔଷଧ ଦେଇ ରୋଗ ମୁକ୍ତ କଲେ-। ଗାଁରେ କାହାର ବିପଦ ପଡ଼ିଲେ ପ୍ରଥମେ ତା ମନକୁ ଆସେ ଅବିନାଶ କଥା । ଦୁଃଖୀର ଭଗବାନ ବୋଲି ଲୋକେ ତାଙ୍କୁ ଡାକିଲେ ।

 

ଏହି ଘାତ ପ୍ରତିଘାତ ଭିତର ଦେଇ ଅବିନାଶ ନିଜକୁ ପ୍ରତିଷ୍ଠା କରିବାକୁ ଲାଗିଲେ । ନିଜେ ଅନାହାରରେ ରହି ପରିବାର ପୋଷଣର କର୍ତ୍ତବ୍ୟ ତୁଲାଇଲେ । ପ୍ରତ୍ୟହ କଠିନ ପରିଶ୍ରମ କରି ଯେ ବଗିଚାରେ ପରିବା କରନ୍ତି ସେତିକିରେ ବିକି ଭାଙ୍ଗି ଚଳିବାକୁ ପଣ କରିଥାନ୍ତି । ତାଙ୍କ ଭାଗରେ ଯାହା ପଡ଼େ ତାହା ତାଙ୍କୁ କାଣିଚାଏ ହେଲେ ସୁଦ୍ଧା ସେଥିପ୍ରତି ଦୁଃଖ ନ ଥାଏ । ଏ ସବୁ ପାରି ଯେତିକି ସମୟ ମିଳେ ସେତିକି ସମୟ ପଠନରେ ବିନିଯୋଗ କରନ୍ତି । କର୍ତ୍ତବ୍ୟାନୁରୋଧରେ ନିଜେ ହସିବାକୁ ଭୁଲି ଯାଇଥାନ୍ତି । ନିଜେ ସମସ୍ତ ଦୁଃଖ, କଷ୍ଟକୁ ଜଳାଞ୍ଜଳି ଦେଇ ଅନ୍ୟର ସେବା ପାଇଁ ଆଗଭର ହୋଇ ବାହାରନ୍ତି । ଗୋଟିଏ କଥାରେ ଦୁଃଖୀ ରଙ୍କି କହନ୍ତି-‘‘ଆହା, ସେ ବାବୁଟି ଦେବତାଟିଏ, ଆଉ ତା ମାଆଟି ଠାକୁରାଣୀ । କିଏ ଗଲେ ଆଇଲେ, କିଛି ନ ଥିଲେ ପାଣି ତୋରାଣି ଟିକିଏ ଲୁଣ ପକାଇ ପିଇବାକୁ ଦେବ, ଦିପଦ କଥା, କହିବ ହସି ହସି ।’’

 

ଆଉ ବସି ରହିଲେ ଚଳିବ ନାହିଁ ଦେଖି ପ୍ରତ୍ୟହ ସମ୍ୱାଦ ପତ୍ରକୁ ଦେଖି ଦୂର ଦୂରାନ୍ତକୁ ଚାକରିପାଇଁ ଚିଠି ଲେଖିଲେ । ଚିଠି ଲେଖି ଅପେକ୍ଷା କରିବା ଛଡ଼ା ଆଉ କିଛି କରିବାର ନ ଥାଏ । ଆଜି ଏତେଦିନ ପରେ ଚିଠିର ଉତ୍ତର ଆସିଛି ହେବ, ଦରମା ଚାଳିଶ ଟଙ୍କା । ଦରିଆରେ ଭାସିବାବେଳେ କୁଟା ଖଣ୍ଡିଏ ଅତି ବିରାଟ ନୌକା ପରି ମନେହୁଏ । ଏହା କଣ କମ୍‌ସୌଭାଗ୍ୟ ? କିନ୍ତୁ ଘରେ କେହି ପୁରୁଷ ନାହାନ୍ତି, ଦାୟିତ୍ୱ କାହାକୁ ଦେଇ ଯିବେ, ଏହି ଚିନ୍ତା ଘାରିଲା । ବୋଉଙ୍କୁ ଡାକି କହିଲେ—‘‘ବୋଉ, ଏତେ ଦିନ ପରେ ଚାକିରି ଖଣ୍ଡିଏ ମିଳିଛି, ମାତ୍ର ଘରେ କିଏ ରହିବ ?’’

 

ବୋଉ କହିଲେ—

 

‘‘ନ ଗଲେ କଣ ଆଉ ଚଳିବ ଧନ, ଘର ମୁଁ ସମ୍ଭାଳି ରଖିଥିବି ।’’

 

ଏହି ପଦକ ସେ ବୋଉଙ୍କଠାରୁ ଆଶା କରିଥିଲେ । ହାତର ଶେଷ ସମ୍ୱଳ ବିବାହ ମୁଦିଟା ବିକି କୋଡ଼ିଏଟା ଟଙ୍କା ଆଣିଲେ । ବହୁତ ଧାର ଉଧାର ହୋଇ ଯାଇଛି । ଆଶା, କିଛି ଗୋଟାଏ ସୁରାହା ମିଳିଲେ ଶୁଝିଦେବେ ।

 

ଘରକୁ ଆଠ ଟଙ୍କା ଦେଇ ବାକି ଟଙ୍କା ଧରି ଛତ୍ରପୁର ବାହାରିଲେ ରେଳ ଚଢ଼ି । କେତେ ଚିନ୍ତା ମନକୁ ଘାରୁଥାଏ ତାର ଇୟତ୍ତା ନାହିଁ ।

 

ଶେଷରେ ଛତ୍ରପୁରରେ ପହଞ୍ଚି ଅଖିଆଅପିଆ ଚାଲିଲେ ଆନସ୍ଳୋ ସ୍କୁଲକୁ । ସ୍କୁଲର ସର୍ବୋଚ୍ଚ କର୍ମକର୍ତ୍ତାଙ୍କ ସହ ସାକ୍ଷାତ କଲେ । ମାନ୍ଦ୍ରାଜୀ ହେଡମାଷ୍ଟ୍ର ଭେଙ୍କଟରମଣ ଅବିନାଶଙ୍କ ବୁଦ୍ଧିଦୀପ୍ତ ମୁଖମଣ୍ଡଳ, ପରିପୂର୍ଣ୍ଣ ସ୍ୱାସ୍ଥ୍ୟ, ସର୍ବୋପରି ଆୟତନେତ୍ର ଦେଖି ମୁଗ୍‌ଧ ହେଲେ । ବିନା ଡିଗ୍ରିରେ ସଂସ୍କୃତ ଶିକ୍ଷକର ଯୋଗ୍ୟତା ପାଇଲେ ଅବିନାଶ ମିଶ୍ର । ସେହି ଦିନଠାରୁ ସେ ହେଲେ ସମସ୍ତଙ୍କର ‘ପଣ୍ଡିତଜୀ’ ।

 

ସ୍କୁଲ ହଷ୍ଟେଲରେ ଗୋଟିଏ ବଖରା ଦେଲେ ହେଡମାଷ୍ଟ୍ର ଦୟା ପରବଶ ହୋଇ । ଏହା ପରେ କର୍ତ୍ତବ୍ୟ ହେଲା ପ୍ରତି ମାସକୁ ଥରେ ଗାଁକୁ ଯାଇ ଟଙ୍କା ଦେବା ଓ ଘର କଥା ବୁଝିବା । ମନିଅର୍ଡ଼ର କଲେ ପଇସା ଖର୍ଚ୍ଚ ହେବ ଭାବି ଏହି ଉପାୟ ସ୍ଥିର କଲେ । ନିଜେ ପେଟପୂରା ନ ଖାଇ ଟଙ୍କାତକ ସାଇତି ରଖନ୍ତି ଘର ପାଇଁ ।

 

ଅବିନାଶ ଅନୁଷ୍ଠାନକୁ ପ୍ରାଣ ଦେଇ ଗଢ଼ିବାକୁ ଲାଗିଲେ । ଶିକ୍ଷାଦାନ ପରି ଆଦର୍ଶ କର୍ମ ପାଇ ସେ ସ୍ଫୀତ ହୋଇ ଉଠିଲେ । କ୍ରମେ କ୍ରମେ ସ୍କୁଲରେ ତାଙ୍କର ପ୍ରତିପତ୍ତି ବଢ଼ିଲା । ସେ ମଧ୍ୟରେ କେତେକ ତାଙ୍କ ପ୍ରତିପତ୍ତି ସହି ନ ପାରି ଶତ୍ରୁତା କଲେ । କେତେ ବେନାମି ଚିଠି ହେଡମାଷ୍ଟ୍ରଙ୍କ ନାଁରେ ଆସିଲା; କିନ୍ତୁ ଭେଙ୍କଟ ରମଣ ଥିଲେ ଅଟଳ ଓ ଅଚଳ ।

 

ବର୍ଷଟିଏ ପୂରିବାକୁ ବାକି ଅଛି ଛ’ଦିନ, ହଠାତ୍‌ ସ୍କୁଲରେ ଦିନେ ଚହଳ ପଡ଼ିଲା- ଆଜି ଇନ୍‌ସପେକ୍ଟର ଆସିବେ ସ୍କୁଲ ପରିଦର୍ଶନ କରିବାକୁ । ଏତେ ଶୀଘ୍ର ହଠାତ୍‌ ପୁଣି ଥରେ ପରିଦର୍ଶନ କାରଣ କେହି ବୁଝୁ ନ ବୁଝୁ ଭେଙ୍କଟରମଣ ବୁଝି ପାରିଲେ । ସେ ଏକାନ୍ତରେ ଅବିନାଶକୁ ଡାକି କହିଲେ–

 

‘ଦେଖ ପଣ୍ଡିତଜୀ, ଇନ୍‌ସପେକ୍ଟରଙ୍କ ପାଖକୁ କିଏ ବେନାମି ଚିଠି ପଠାଇ ତୁମେ ବିଷୟ ବୁଝିବାକୁ ଡକାଇଛି । ତୁମେ ଦି ଦିନ ଛୁଟି ନେଇ ଚାଲିଯାଅ । ମୁଁ ଅବସ୍ଥା ସମ୍ଭାଳି ନେବି । ପରେ ଆସି ପୁଣି କାମରେ ଲାଗିବ ।’’

 

ଅବିନାଶ ହେଡମାଷ୍ଟ୍ରଙ୍କ ଭୟର କାରଣ ବୁଝିପାରି ଅଳ୍ପ ହସି କହିଲେ—

 

‘‘ମୁଁ ଭୀରୁ ନୁହେଁ । ଅନୀତି, ଆଚରଣ ମୁଁ କରିବି ନାହିଁ । ଆପଣଙ୍କ ଦୟା ମୋର ଚିରଦିନ ମନେ ରହିବ । ଯାହା ହେବାର ମୁଁ ନିଜେ ସହିବି ।’’

 

ଭେଙ୍କଟରମଣ ଆଶ୍ଚର୍ଯ୍ୟ ହେଲେ ଅବିନାଶଙ୍କ ନିଶ୍ଚଳ ମୂର୍ତ୍ତି ଦେଖି । ସତ୍ୟକୁ ପ୍ରତିପାଦନ କରିବା ପାଇଁ ଦରିଦ୍ର ବ୍ରାହ୍ମଣ ଯୁବକର ସାହସରେ ସେ ହେଲେ ଉତ୍‌ଫୁଲ୍ଲ । ବୃଦ୍ଧ ଆନନ୍ଦର ଆତିଶଯ୍ୟ ହେତୁ କୁଣ୍ଢାଇ ପକାଇଲେ ଅବିନାଶଙ୍କୁ । ଗଦ୍‌ଗଦ୍‌ କଣ୍ଠରେ କହିଲେ—

 

‘‘ତୁମକୁ ଚାକିରିର ମୋହ ବିବଶ କରିନି ଦେଖି ମୁଁ ପ୍ରୀତ ହେଲି । ଯାହା ଚିରନ୍ତନ, ଯାହା ଅକ୍ଷୟ, ଈଶ୍ୱର ତମକୁ ସେଥିରେ ହିଁ ବିଭଳଶାଳୀ କରିଛି । ସାମାନ୍ୟ ଧନ ଲୋଭ ତୁମର ହେବ କିପରି ? ଈଶ୍ୱର ତୁମର ସହାୟ ହୁଅନ୍ତୁ ପଣ୍ଡିତଜୀ ।’’

 

ଇନ୍‌ସପେକ୍ଟର ସାହେବ ଆସିଲେ । କେତେ ତର୍କ ବିତର୍କ ପରେ ସ୍ଥିର ହେଲା ଅବିନାଶଙ୍କ ଡିଗ୍ରୀ ନାହିଁ, ତେଣୁ ସେ ଏ ସ୍କୁଲରେ ରହି ପାରିବେ ନାହିଁ, ବରଂ ଯେତେଦିନ ରହି ବେତନ ନେଇଛନ୍ତି, ତାହା ଫେରାଇ ଦେବେ । ଏ ସମ୍ୱାଦ ଶୁଣି ସ୍କୁଲର ଛାତ୍ର ହେଲେ ସ୍ତବ୍‌ଧ । ତାଙ୍କ ପ୍ରିୟ ପଣ୍ଡିତଜୀ ଚାଲିଯିବେ ଏହା ଯେପରି ସ୍ୱପ୍ନାତୀତ ସେହିପରି ହୃଦୟ ବିଦାରକ । ବହୁ ସହକର୍ମୀ ହେଲେ ଦୁଃଖିତ । ବାକି ଯେ କେତେଜଣ ତାଙ୍କ ନୀଚବୃତ୍ତିକୁ ଚରିତାର୍ଥ କଲେ, ଅବିନାଶଙ୍କ ଚରମ କ୍ଷତି କରି, ସେମାନେ ହେଲେ ଉଲ୍ଲସିତ ।

 

ଛତ୍ରପୁରରୁ ଛଳଛଳ ଆଖିରେ ବିଦାୟ ନେଇ ଆସିଲେ ଅବିନାଶ । ଦୁଃଖ ତାଙ୍କରି ଚାକିରି ଗଲା ବୋଲି ନୁହେଁ, ଯେଉଁ ଅବୋଧ ବାଳକଙ୍କୁ ନିଜ ଆଦର୍ଶରେ ମନୁଷ୍ୟ କରି ଗଢ଼ି ତୋଳିବାର ଭାର ନେଇଥିଲେ, ତାଙ୍କୁ ଛାଡ଼ିବାକୁ ବାଧ୍ୟ ହେଲେ ବୋଲି । ଗୁରୁର ଗୌରବ ତାଙ୍କର ଅକ୍ଷୁଣ୍ଣ ରହିଲା । ଛାତ୍ରମାନ କାନ୍ଦି କାନ୍ଦି ଷ୍ଟେସନରୁ ବିଦାୟ ନେଲେ । ଭଗ୍ନ ହୃଦୟ ଧରି ଫେରିଲେ ଅବିନାଶ । ପୁଣି ସେହି ଦାରିଦ୍ର୍ୟର ପୁନରାବୃତ୍ତି ।

 

ପୁଣି କିଛିଦିନ କୋଡ଼ି, କାଙ୍କ ଧରି କଠିନ ପରିଶ୍ରମରେ ଗଲା । ସମୟ ପାଇଲେ ଚାକିରିର ଚେଷ୍ଟା ଓ ପଠନରେ ନିରତ ରହନ୍ତି ସେ । ଭାଗ୍ୟଟା ତାଙ୍କର ଏପରି ଯେ, ଯେଉଁ ଡାଳ ଧରୁଛନ୍ତି, ସେହି ଡାଳ ଭାଙ୍ଗୁଛି । କେତେଟା ମାସ ପଢ଼ିଥିଲେ ପରୀକ୍ଷାଟା ଦେଇ ଡିଗ୍ରୀଟାଏ ପାଇଥାନ୍ତେ, ବିଧାତା ସେଥିରେ ବାଦ ସାଧିଲା । ଡିଗ୍ରୀର ମୂଲ୍ୟ ଆଜିକାଲି ଦୁନିଆରେ ଅଧିକ-ମନୁଷ୍ୟତା, ସତ୍ୟନିଷ୍ଠା ଓ ପାଣ୍ଡିତ୍ୟଠାରୁ । ତେଣୁ ଅସଂଖ୍ୟ ଡିଗ୍ରୀହିନ ଅବିନାଶ ଦୁଃଖ ଦାରିଦ୍ର୍ୟରେ ସଢ଼ିବାକୁ ବାଧ୍ୟ ହେଉଛନ୍ତି ।

 

ବହୁ ଚେଷ୍ଟାକରି ଶେଷରେ କଲିକତାରେ ଗୋଟିଏ ପ୍ରେସରେ ଖଣ୍ଡିଏ ଚାକିରି ପାଇ ଅବିନାଶ ସେଠାକୁ ଗଲେ । ମହରଗରୁ ଯାଇ କାନ୍ତାରରେ ପଡ଼ିଲାପରି ସେଠାରେ ଅଭାବର ସମ୍ମୁଖୀନ ହେଲେ । ପ୍ରଲୋଭନ ଏଡ଼ାଇବାକୁ ବସ୍ତିର ଘରେ ଆଲୋକ ପାଇଁ ପଇସା ଦରକାର । ବନ୍ଧୁହୀନ ଅବିନାଶ ପ୍ରେସରେ ‘ଓଭର-ଟାଇମ’ କାମ କରି ଟଙ୍କା ପଠାଇଲେ ଘରକୁ । ଏ ମଧ୍ୟରେ ପରିବାରର ଲୋକସଂଖ୍ୟା ଛ’ଅରୁ ନ’ଅ ହୋଇ ସାରିଛି । ମାତା ବୃଦ୍ଧା, ତେଣୁ ଚାକର ଓ ପାଚକ ଯୋଗାଇବାକୁ ହୋଇଛି । ସମ୍ପତ୍ତି ବୋଲି ବର୍ଷକ ଖାଇବା ଭଳି ଜମି କରିଛନ୍ତି ।

 

ପ୍ରେସ୍‍ର ମାଲିକ ଗୁପ୍ତବାବୁ ଉତ୍ତମ ଲୋକ; କିନ୍ତୁ ତାଙ୍କ ତଳିଆ ମଲ୍ଲିକବାବୁ ଓ ଘୋଷବାବୁ ଅବିନାଶଙ୍କୁ ଶନିଦୃଷ୍ଟିରେ ଦେଖୁଥାନ୍ତି । କାରଣ ସେ ଗୁପ୍ତବାବୁଙ୍କର ପ୍ରିୟପାତ୍ର ହୋଇଥାନ୍ତି ଅଳ୍ପଦିନ ଭିତରେ । ଏ ଅବସ୍ଥା ମଧ୍ୟ ବେଶିଦିନ ରହିଲା ନାହିଁ ।

 

ଦିନେ ଗୋଟାଏ ବହି ଛପାଇବାକୁ ମଲ୍ଲିକବାବୁ ଆସି କହିଲେ—‘‘ଏଟା ଛପାଇ ଦେବେ ଆଜି ସନ୍ଧ୍ୟାକୁ’’ ।

 

ଅବିନାଶ ବହିଟି ମାଗିନେଲେ ପଢ଼ିବାକୁ ‘ହଁ’ କହି । ମାତ୍ର ପଢ଼ି ଦେଖିଲେ ପ୍ରେସ୍‍ର ମର୍ଯ୍ୟାଦା ଅକ୍ଷୁଣ୍ଣ ରଖିବାକୁ ହେଲେ, ତାହା ଛପା ହେବା ଅସମ୍ଭବ । ସନ୍ଧ୍ୟାରେ ସେ ଘୋଷଙ୍କୁ ପରିଷ୍କାର ନାହିଁ କରିଦେଲେ ।

 

ଘୋଷ ଏଥିରେ ଖୁବ୍‌ରାଗିଲେ । ବ୍ୟଙ୍ଗ କରି କହିଲେ-‘‘ବେଶିଦିନ ରହିବାକୁ ଇଚ୍ଛା ଅଛି ତ ଆମ ସଙ୍ଗେ ହାତ ମିଳାନ୍ତୁ, ନ ହେଲେ ପେଡ଼ି ପେଟରା ବାନ୍ଧନ୍ତୁ’’ ।

 

ସେହି ରାତିରେ ଗୁପ୍ତବାବୁଙ୍କୁ କି ଗୁପ୍ତ ମନ୍ତ୍ରଣା ଦେଲେ କେଜାଣି, ପରଦିନ ସକାଳେ ଗୁପ୍ତବାବୁ ବ୍ୟଥିତ କଣ୍ଠରେ କହିଲେ—

 

‘‘କ୍ଷମା କରିବେ ଅବିନାଶବାବୁ, ମୁଁ ନାଚର ।’’

 

ଅବିନାଶ ସବୁ ବୁଝି ପାରିଲେ । ବିଧାତାର ଇଙ୍ଗିତ ତାଙ୍କୁ କୁଆଡ଼େ ନେଉଛି କେଜାଣି । ଅବିନାଶ ପୁଣି ଫେରି ଆସିଲେ ନିଜର ଜନ୍ମଭୂମିକୁ । ପୂର୍ବ ଅପେକ୍ଷା ଘରର ଅବସ୍ଥା ଟିକିଏ ସ୍ୱଚ୍ଛଳ ହୋଇଯାଇଛି । ଋଣମୁକ୍ତ ହୋଇ ସାରିଛନ୍ତି, କନ୍ୟାଦାୟରୁ ମୁକ୍ତି ପାଇଛନ୍ତି । ତଥାପି କର୍ତ୍ତବ୍ୟ ଧରିଛି ତାଙ୍କୁ ଅକ୍ଟୋପାସ ପରି ଚାରିଆଡ଼ୁ । ପୁଅଙ୍କ ପ୍ରତି କର୍ତ୍ତବ୍ୟ ସରିନାହିଁ, ଛୋଟ ପାଠ ପଢ଼ୁଛନ୍ତି ।

 

ବେଳେ ବେଳେ ଅବିନାଶଙ୍କର ସଂସାର ପ୍ରତି ବିତୃଷ୍ଣା ଆସୁଛି । ଜୀବନର ମୂଲ୍ୟ, ମନୁଷ୍ୟ ଓ ମୂଲ୍ୟ ଆଜିର ଏ ଦୁନିଆ ବୁଝେନି । ଜାଲ, ଜୁଆଚୋରି, ବ୍ୟଭିଚାରରେ ପରିପୂର୍ଣ୍ଣ ଏ ସଂସାର ତାଙ୍କୁ ବିଷବତ୍‌ ଲାଗୁଛି ।

 

ଏ ଦ୍ୱନ୍ଦ୍ୱରେ ଥିବାବେଳେ ସେ ଗୋଟିଏ ମଠର ନିମନ୍ତ୍ରଣରେ ଗଲେ କାଶୀ । ସେଠାରେ ସତ୍‌ସଙ୍ଗ, ବେଦ-ଚର୍ଚ୍ଚା ତାଙ୍କ ମନରେ ଦେଲା ଅପାର ଆନନ୍ଦ । କେତେଦିନ ସେଠାରେ ରହିବା, ପରେ ଅବିନାଶଙ୍କର ଝୁଙ୍କ୍‌ ସେ ଆଡ଼କୁ ବଢ଼ିଲା; କିନ୍ତୁ ସଂସାର ତାଙ୍କୁ ମୁକ୍ତି ଦେଉନି ସହଜେ । ମଝିରେ ମଝିରେ କାଶୀ ଯାଇ କିଛିଦିନ ଅବସ୍ଥାନ କରି ମନ ସତେଜ କରି ଫେରନ୍ତି ।

 

ମଠାଧୀଶ ସ୍ୱାମୀଜୀ ଅବିନାଶଙ୍କ ହୃଦୟର ଜ୍ଞାନ ଗାରିମାର ପରିଚୟ ପାଇ ତାଙ୍କୁ ନିଜର ପଟ୍ଟ-ଶିଷ୍ୟ ରୂପେ ଗ୍ରହଣକଲେ । ମଠର ଉନ୍ନତି ପରିକଳ୍ପେ ସ୍ୱାମୀଜୀଙ୍କ ସହ ଅବିନାଶ ଭାରତ ପର୍ଯ୍ୟଟନରେ ବାହାରିଗଲେ ପରିବାରର ଅନୁମତି ନେଇ ।

 

ପର୍ଯ୍ୟଟନରୁ ଫେରି ଅବିନାଶ ଆସିଲେ ଗ୍ରାମକୁ ମାତୃ-ପଦ-ବନ୍ଦନା କରିବାକୁ । ମା ସେତେବେଳକୁ ଅନ୍ତିମ-ଶଯ୍ୟାରେ । ସତେ ଯେପରି ଅବିନାଶଙ୍କୁ ଦେଖିବା ଲାଗି ତାଙ୍କ ପ୍ରାଣ ଅପେକ୍ଷା କରି ରହିଥିଲା । ଅବିନାଶ ଫେରିବାର ଦୁଇଦିନ ପର ଦୁର୍ଗାବତୀ ଶୋକ ସାଗରରେ ଭସାଇ ସଂସାରରୁ ବିଦାୟ ନେଲେ । ଶୁଦ୍ଧାଦି ସାରି ଅବିନାଶ ଗୃହ-ସଂସ୍କାରରେ ଲାଗିଲେ ।

 

ସଂସାର ବନ୍ଧନ ତାଙ୍କର କ୍ଷୀଣ ହୋଇ ଆସିଲା । ଦୂର ସମ୍ପର୍କୀୟ ଜେଜେ ପିତୃମାତୃହୀନ ଭାଇକୁ ଆଶ୍ରୟ ଦେଲେ, ଭବିଷ୍ୟତରେ ସେ ତାଙ୍କର ସଂସାର-ନୌକାର ପୋତ ହେବ ଭାବି । ଏ ମଧ୍ୟରେ ବଡ଼ପୁଅ ମାଟ୍ରିକ ପାସ୍‌କରି ଡାକ୍ତରି ପଢ଼ିଲା । ସାନ ପଢ଼ିଲା ବିଜ୍ଞାନ । ବିଷୟ ସମ୍ପତ୍ତି ସବୁ ସ୍ତ୍ରୀ ଓ ପୁଅଙ୍କ ନାରେ ଲେଖି ଦେଇ ସେ ହେଲେ ନିଃସ୍ୱ ଓ ଋଣମୁକ୍ତ । ଶାଶୁଙ୍କ ମୃତ୍ୟୁପରେ ଅଞ୍ଜଳି ନିଜ ସଂସାରକୁ ଆରେଇ ନେଲେଣି, ସ୍ୱାମୀଙ୍କ ବୈରାଗ୍ୟ ଭାବ ଲକ୍ଷ୍ୟ କରି ।

 

ଅବିନାଶ ନିଜକୁ ସଂସାରରେ ବିନାଶ ନ କରି ଆଧ୍ୟାତ୍ମିକ ମାର୍ଗରେ ଆଗେଇ ନେବାକୁ ସ୍ଥିରକଲେ । ଦେଶ ଓ ଦଶର ଉପକାରାର୍ଥେ ଲେଖିଲେ ବହି । ଦେଶର ଅଧୋଗତିରେ ତାଙ୍କ ପ୍ରାଣ କାନ୍ଦି ଉଠିଲା, କିନ୍ତୁ ହାତରେ ନାହିଁ କ୍ଷମତା ବା ଅସ୍ତ୍ର ।

 

ଏହିପରି ସମୟରେ ଦିନେ ହଠାତ୍‌ ସ୍ୱାମୀଜୀଙ୍କଠାରୁ ଆସିଲା ଡାକରା । ତାଙ୍କ ଡାକରା ପାଇଁ ସେ ପ୍ରସ୍ତୁତ ଥିଲେ । ସଂସାର କ୍ଷେତ୍ରରୁ ବିଦାୟ ନେଇ ସେ ଗଲେ ମହତ୍ତର ସଂସାରକୁ । ସ୍ୱାମୀଜୀ ତାଙ୍କୁ ପାଇଲେ ନିଜର କରି । ଅବିନାଶଙ୍କୁ ମଠାଧୀଶ କରି ସେ ଦେହତ୍ୟାଗ କଲାବେଳେ କହିଗଲେ—

 

‘‘ଅବିନାଶ ସଂସାରରେ ତୁମେ ବିନାଶ ହେବାକୁ ଆସି ନାହଁ ତୁମର ବିନାଶ ନାହିଁ । ନାମର ସାର୍ଥକତା ବଜାୟ ରଖି ତୁମେ ଦେଶବାସୀଙ୍କୁ ଜଗାଅ, ସ୍ପନ୍ଦନ ଖେଳାଅ ପ୍ରତି ହୃଦୟରେ । ଦେଶକୁ ଏ ଦୁର୍ଦ୍ଦିନରୁ ଫେରାଇ ଆଣ ସୁଦିନକୁ । ଯାଅ ଅବିନାଶ ପ୍ରଚାରରେ ଯାଅ—ତୁମ ଚେଷ୍ଟାରେ, ତୁମ ସାଧନାରେ ଦେଶର ପ୍ରତ୍ୟେକ କୋଣରେ ଗୁଞ୍ଜରି ଉଠୁ ସମବେତ କଣ୍ଠସ୍ୱର—ଅସତୋ ମା ସଦ୍‌ଗମୟ, ତମସୋ ମା ଜୋତିର୍ଗମୟ ।’’

 

ସ୍ୱାମୀଜୀଙ୍କ କଣ୍ଠ କ୍ଷୀଣରୁ କ୍ଷୀଣତର ହୋଇ ଆକାଶରେ ମିଳାଇ ଗଲା । ସ୍ଥାଣୁପରି ବସି ରହିଲେ ଅବିନାଶ । ଆଧୁନିକ ସଂସାର, ତାଙ୍କୁ ଡିଗ୍ରୀହୀନ ବୋଲି ଗ୍ରାସାଚ୍ଛାଦନ ଦେଇ ନ ଥିଲା, କିନ୍ତୁ ମହତ୍ତର ସଂସାର ତାଙ୍କୁ ଦେଇଗଲା, ଆଧ୍ୟାତ୍ମିକ ଅଧିକାର ଓ ପ୍ରତିଷ୍ଠା ।

Image